Home Top News ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ : ଦୁର୍ନୀତି ଓ ଅପାରଗତା ଯୋଗୁ ଜଣେ ଜେଲ ଡି.ଆଇ.ଜି.ଙ୍କ...

ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ : ଦୁର୍ନୀତି ଓ ଅପାରଗତା ଯୋଗୁ ଜଣେ ଜେଲ ଡି.ଆଇ.ଜି.ଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର – ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର

32

ଭୁବନେଶ୍ବର ୦୫-୦୧ (ଓଡ଼ିଆ ପୁଅ) ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ.ଅନ୍ତର୍ଭୁକ୍ତ ଅଟନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି.ଶ୍ରୀ ଗୋପବନ୍ଧୁ ମଲ୍ଲିକ। ଶ୍ରୀ ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା। ଜେଲ ବିଭାଗରେ ତାଙ୍କରକାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା।

ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, କୋରାପୁଟ ନନ୍ଦପୁରର ସି.ଡି.ପି.ଓ.ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍‌କରାଯାଇଛି। ୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍‌ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ। ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି।

ଶ୍ରୀ ଏକାନ୍ତ ପ୍ରିୟ ନାୟକ, କମାଣ୍ଡାଣ୍ଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଥିଲେ। ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା।

ଶ୍ରୀ ଗୌତମ ମଲ୍ଲିକ, ଡି.ଏସ୍‌.ପିଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଅଟେ।

ଶ୍ରୀ ଦେବେନ୍ଦ୍ର ନାଥ ବେହେରା, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି। ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ଶ୍ରୀ ସତ୍ୟବ୍ରତ ରାଉତ, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍‌ରହିଛି। ତାଙ୍କର ସାଧୁତା ସନ୍ଦେହ ଜନକ। ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି।

ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍‌ଥିଲାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହ ଜନକ ଅଟେ। ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି।

ଏହି ବାଧ୍ୟତାମୂଳକ ଅବସର ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପ୍ରଶାସନରେ ସ୍ବଚ୍ଛତା, ଉତ୍ତରଦାୟୀତ୍ବ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.