Home Top News ସିଧା ଧମକ: ସାଥିରେ ଆସ ନ’ହେଲେ ମାଟିରେ ମିଶ !

ସିଧା ଧମକ: ସାଥିରେ ଆସ ନ’ହେଲେ ମାଟିରେ ମିଶ !

132

ଭୁବନେଶ୍ୱର: କ’ଣ ହେଇଛି କେଜାଣି, ଚାଟୁକାରୀ କରିବାକୁ ଯାଇ ଏବେ ଧମକ ବି ଦେଲେଣି। ସାଥିରେ ଆସ, ନହେଲେ ମାଟିରେ ମିଶ! ଏପରି ଧମକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜଣେ ଅନୁଗତ ଦେଇଛନ୍ତି। ତାହା ପୁଣି କେବଳ ବିପକ୍ଷ ଦଳକୁ ନୁହେଁ, ପରୋକ୍ଷରେ ନିଜ ଦଳର ନେତା ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଧମକ ଦିଆଗଲା ପରି ଲାଗୁଛି। ଅନୁଗତ ଜଣଙ୍କ ଧମକ ଦେଇ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, “ଛାତ୍ର ଜୀବନରୁ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଭାବେ ଜଣେ ସୁସଙ୍ଗଠକ ରୁପେ ପରିଚିତ ସେ (ଧର୍ମେନ୍ଦ୍ର)। ଦୋଦୁଲ୍ୟମାନ ଓଡ଼ିଶା ବିଜେପିକୁ ନିଜର ସାଂଗଠନିକ ଦକ୍ଷତା ଓ ରାଜନୈତିକ ଅଭିଜ୍ଞତା ଦ୍ଵାରା ରାଜ୍ୟରେ ଦ୍ବିତୀୟ ସ୍ଥାନକୁ ଆଣିଥିଲେ। ତାଙ୍କରି ଉଦ୍ୟମରେ ପଞ୍ଚାୟତ ଓ ଜିଲ୍ଲା ପରିଷଦରେ ବିଜେପି ଆଶାତୀତ ସଫଳତା ହାସଲ କରିଥିଲା। ମୁଁ ନିଜେ ତାଙ୍କର ଦଳ, ରାଜ୍ୟ ଓ ଦେଶ ପାଇଁ ପ୍ରତିବଦ୍ଧତା ଆଖିରେ ଦେଖିଛି ଓ ମାର୍ଗଦର୍ଶନରେ କାମ କରିବା ସୁଯୋଗ ପାଇଛି। ଆଜି ୨୨/୨୩ ବିଧାୟକ ଓ ୮ ସାଂସଦ ତାଙ୍କରି ପ୍ରୟାସ ଯୋଗୁଁ ହୋଇପାରିଛି। ସେଇ ସବୁ ଦକ୍ଷତା ଅଛି ବୋଲି ଉତ୍ତରପ୍ରଦେଶ ନିର୍ବାଚନ ଦାୟୀତ୍ୱ ପାଇଥିଲେ ଓ ବିଜୟ ଚଖାଇଲେ। ଆଜି କିଛି କୁଚକ୍ରୀ, ଗୋଡ଼ଟଣା ଓ ଶାସକ ଦଳର ଅଭିସନ୍ଧି ଦ୍ଵାରା ତାଙ୍କୁ ବଦନାମ କରିବାକୁ ଚେଷ୍ଟା ଚାଲିଛି। ଆରେ ବିଗିଡ଼ି ଯାଇଥିବା ବିଜେପି ସଙ୍ଗଠନ (କାହିଁକି ବିଗିଡିଛି ସବୁ ଜାଣନ୍ତି) ବ୍ୟବସ୍ଥାକୁ କ’ଣ ରାତି ପାହୁ ପାହୁ କିଏ ଠିକ୍ କରିଦେବ କି? ସେଥିପାଇଁ ସମୟ ଦରକାର, ଆଉ ସମୟ କହିବ, ଓଡ଼ିଶାର ଆଗାମୀ ଭବିଷ୍ୟତ କିଏ ହେବ। କହିବା ଲୋକେ କହୁଥିବେ, କିନ୍ତୁ ଭବିଷ୍ୟତରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ। ଆଉ ପରିବର୍ତ୍ତନର ମଙ୍ଗୁଆଳ ପାଇଁ କେବଳ ମାତ୍ର ସେ (ଧର୍ମେନ୍ଦ୍ର) ହିଁ ଏକମାତ୍ର ଆଧାର। ଦୀର୍ଘ ୨୦ବର୍ଷର କର୍ପୋରେଟ ଅଭିଜ୍ଞତା ମୋର ଅଛି, ପିପୁଲ୍ ମ୍ୟାନେଜମେଣ୍ଟ ସ୍ପେଶିଆଲିଟି। ଲୋକ ଦେଖିଲେ ପରଖି ପାରିବି କିଏ କେତେ ପାଣିରେ। ଏଣୁ ଗୋଟେ କଥା ସିଧା ସିଧା କହିବି, ସାଥିରେ ଆସ ନହେଲେ ମାଟିରେ ମିଶ”! ଗର୍ବ ଅହଙ୍କାର ଭରା ଏଇ ଧାଡ଼ିଏ କଥାରେ ପରୋକ୍ଷ ଧମକର ଆଭାସ ମଧ୍ଯ ମିଳୁଛି।ଧର୍ମେନ୍ଦ୍ରଙ୍କ ଚାଟୁକାରୀ କରିବାକୁ ଯାଇ ଧମକ ଦେଇ ଏପରି ଲେଖିଥିବା ବ୍ୟକ୍ତି ଜଣଙ୍କ ପୂର୍ବରୁ ବିଜେପି ରାଜ୍ୟ ଆଇଟି ସେଲ୍ ଦାୟିତ୍ୱରେ ଥିଲେ। ତାଙ୍କ ପତ୍ନୀ ଏବେ ମହିଳା ମୋର୍ଚ୍ଚା ଆଇଟି ସେଲ୍ ରାଷ୍ଟ୍ରୀୟ ପ୍ରମୂଖ। ଯିଏ କି ରାଷ୍ଟ୍ରୀୟ ସ୍ତରରେ ନିଜ ରାଜ୍ୟ ମହିଳା ମୋର୍ଚ୍ଚାକୁ ତଳେ ପକାଇ ଦେଇଛନ୍ତି ବୋଲି ଅଭିଯୋଗ ହୁଏ। କିନ୍ତୁ, ସେ ବରାବର ଧର୍ମେନ୍ଦ୍ରଙ୍କ ପାଇଁ ଖୋସାମତିଆ ପୋଷ୍ଟ୍ କରନ୍ତି। ତେଣୁ ସାଙ୍ଗଠନିକ ବ୍ୟବସ୍ଥାକୁ ଭଙ୍ଗ କଲେ ସୁଦ୍ଧା ଧର୍ମେନ୍ଦ୍ରଙ୍କ ଖୋସାମତି କରୁଥିବା କାରଣରୁ ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ, ସଂସ୍ଥା ଚାଲିଛି। ଏକ ଗୁରୁ ଦାୟିତ୍ୱରେ ଥାଇ ସୁଦ୍ଧା ପତିଙ୍କ ଏପରି ମନ୍ତବ୍ୟକୁ ପତ୍ନୀ ସମର୍ଥନ ଜଣାଇଛନ୍ତି। କିନ୍ତୁ, ଏହା ଉଭୟ ଦଳ ପାଇଁ ଏବଂ ଧର୍ମେନ୍ଦ୍ରଙ୍କ ପାଇଁ କେତେ ଯେ କ୍ଷତିକାରକ ସାବ୍ୟସ୍ତ ହେଉଛି କହିବ ବା କିଏ? ଏଠି ତ’ ପ୍ରତିବାଦ କରିବାର କିମ୍ବା ପକ୍ଷ ରଖିବାର ସ୍ୱର ଦବି ଯାଇଛି। କାରଣ ସିଧା କଥା, ସାଥିରେ ଆସ ନ’ହଲେ ମାଟିରେ ମିଶ ବୋଲି କୁହାଯାଉଛି!
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.