Home ଓଡ଼ିଶା କାହାର ରହିବ ଭାଉ; ଖୋର୍ଦ୍ଧା ଜିଲ୍ଲା ସଭାପତି କିଏ ?

କାହାର ରହିବ ଭାଉ; ଖୋର୍ଦ୍ଧା ଜିଲ୍ଲା ସଭାପତି କିଏ ?

94

ଭୁବନେଶ୍ୱର: ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇ ନୂତନ ଭାବରେ ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ଡଃ ଯତୀନ ମହାନ୍ତିଙ୍କୁ ସଭାପତି କରାଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀ ରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଅଭିଯୋଗରେ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରି ପ୍ରକାଶ କରିଛନ୍ତି। ଦାୟିତ୍ୱ ପାଇବା ପରଠାରୁ ରଶ୍ମୀ ମହାପାତ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରି କାମ କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ପ୍ରଥମେ ଜିଲ୍ଲା ସଭାପତି ଗୁଡ଼ିକର ଚୟନ ହେବାପରେ ଏବଂ ଏହାପରେ ରାଜ୍ୟ ସଭାପତି ନିଯୁକ୍ତିର ପ୍ରାୟ ୯ ମାସ ବିତି ଯାଇଥିଲେ ସୂଧା ଏ’ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଟିମ୍ ଗଠନ ହୋଇପାରି ନାହିଁ। କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ ଏହାର ବ୍ୟତିକ୍ରମ ଘଟି ଜିଲ୍ଲା ଟିମ୍ ଗଠନ ହୋଇସାରିଛି। ଏହାକୁ ଏକ ତ୍ରୁଟି ବୋଲି କୁହାଯାଉଛି। ରାଜ୍ୟର ଅନୁମୋଦନ ବିନା ରଶ୍ମୀ ମହାପାତ୍ର ଜିଲ୍ଲା ଟିମ୍ ଘୋଷଣା କରିବାକୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା କହି ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଥିଲା। ଏହା ବ୍ୟତୀତ ରଶ୍ମୀ ମହାପାତ୍ର ବିଜେପି ଜିଲ୍ଲା ସଭାପତି ଭାବରେ ନୁହେଁ, ସତେ ଯେପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଭଳି କାମ କରନ୍ତି ବୋଲି ଅଭିଯୋଗ ହୁଏ। ବିଜେପି କାମ ଅପେକ୍ଷା ଅପରାଜିତାଙ୍କ ମହିଳା ସଙ୍ଗଠନ “ଅଜିତା” ଏବଂ ଯୁବା ସଙ୍ଗଠନ “ୟୁଥ୍ ଫର୍ ଆକ୍ସନ୍” କାମରେ ରଶ୍ମୀ ମହାପାତ୍ରଙ୍କୁ ଅଧିକ ଦେଖାଯାଏ। ସେହିପରି ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ସଭାପତି ହୋଇ ସେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକ୍ରମ ଗୁଡ଼ିକରେ ଅନାଧିକାର ପ୍ରବେଶ କରିବା ନେଇ ମଧ୍ୟ ଅଭିଯୋଗ ହୁଏ। ଏପରି ବି ଜିଲ୍ଲାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ସୁସମ୍ପର୍କରେ ନରହି କେବଳ ଅପରାଜିତାଙ୍କ ଯୋଜନାରେ ରହି କାମ କରୁଥିବା ନେଇ ଅନେକ କାର୍ଯ୍ୟକର୍ତ୍ତାଙ୍କ ମନରେ ତାଙ୍କ ପ୍ରତି ଅସନ୍ତୋଷ ରହିଥିବା କୁହାଯାଉଛି। ସେହିପରି ଏବେ ନିଜେ ନିଯୁକ୍ତ କରିଥିବା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିକୁ ପରିବର୍ତ୍ତନ କରି ଦେଇଛନ୍ତି ରଶ୍ମୀ ମହାପାତ୍ର। ଯାହା ମଧ୍ୟ ରାଜ୍ୟର ଅନୁମୋଦନ ବିନା କରାଯାଇଥିବା କୁହାଯାଉଛି। ତେଣୁ, ଏହିସବୁ କାରଣରୁ ତାଙ୍କ ଉପରେ ଅତିଷ୍ଠ ହୋଇ ଦଳ ତାଙ୍କୁ ଦାୟିତ୍ବ ମୁକ୍ତ କରିଛି।

ତେବେ, ଏହାକୁ ନେଇ ଏବେ ବିବାଦ ଲାଗି ରହିଛି। ଖୋର୍ଦ୍ଧା ବିଜେପିରେ ଲାଗିଥିବା ଏହି ନିଆଁର ଧାସ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ପଡ଼ୁଛି। ନୂତନ ଭାବରେ ସଭାପତି ଭାବେ ନିଯୁକ୍ତ ଡଃ ଯତୀନ ମହାନ୍ତି ଦାୟିତ୍ୱ ପାଇବା ପରେ ଏକ ପ୍ରେସ୍ ମିଟ୍ ଡକା ଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ବାତିଲ୍ କରାଯାଇଥିଲା। ଖବର ଅନୁଯାୟୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ନିଜେ ରଶ୍ମୀ ମହାପାତ୍ର ପାର୍ଟି ପକ୍ଷରୁ ଜାରୀ ଏହି ନିର୍ଦ୍ଦେଶନାମା ମାନିବାକୁ ନାରାଜ। ସୂଚନା ଅନୁଯାୟୀ ସେମାନେ ଯତୀନ ମହାନ୍ତିଙ୍କୁ ସଭାପତି ଭାବରେ ଗ୍ରହଣ କରୁନାହାଁନ୍ତି ଏବଂ ଏବେ ମଧ୍ୟ ରଶ୍ମୀ ମହାପାତ୍ରଙ୍କୁ ସେମାନେ ଜିଲ୍ଲା ସଭାପତି ମାନୁଛନ୍ତି। ଏହାକୁ ନେଇ ଏବେ ଏକ ଦସ୍ତଖତ ଅଭିଯାନ ଚାଲିଛି। ଜିଲ୍ଲାର ତୃଣମୂଳ ସ୍ତରର ଅନେକ କାର୍ଯ୍ୟକର୍ତ୍ତା ରଶ୍ମୀ ମହାପାତ୍ରଙ୍କ ସମର୍ଥନରେ ରହିଥିବା ମଧ୍ୟ ଜଣାପଡ଼ିଛି।ତେଣୁ ଏହାକୁ ନେଇ ବିବାଦ ଏବେ ଘନେଇବାର ଲାଗିଛି। ଏ’ ଲଢ଼େଇ ରଶ୍ମୀ ମହାପାତ୍ର ଏବଂ ଯତୀନ ମହାନ୍ତିଙ୍କ ମଧ୍ୟରେ ନୁହେଁ, ବାସ୍ତବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏ’ ଲଢ଼େଇ ଚାଲିଥିବା କୁହାଯାଉଛି। ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲି ଆସୁଥିବା ଶୀତଳ ଯୁଦ୍ଧ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। କୁହାଯାଉଛି, ଯେ ଓଡ଼ିଶା ବିଜେପିରେ ଏକ ବାତ୍ୟା ଆସିବାକୁ ଯାଉଛି। ତେବେ, ବାତ୍ୟା ଯେବେ ଆସେ ଛୋଟଛୋଟ ଗଛ ଗୁଡ଼ିକର ବିଶେଷ କ୍ଷତି ହୁଏ ନାହିଁ। ବରଂ ଉପୁଡ଼ି ଯାଏ ମହାଦ୍ରୁମ। ତେବେ ସେ ମହାଦ୍ରୁମ କିଏ, ତାହା ତ’ ଭିବିଷ୍ୟତ କହିବ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.