Home ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ସଭାପତି କିଏ? ପୁନଃବିଚାର ପାଇଁ ଦାବୀ

ଖୋର୍ଦ୍ଧା ଜିଲ୍ଲା ସଭାପତି କିଏ? ପୁନଃବିଚାର ପାଇଁ ଦାବୀ

43

ଭୁବନେଶ୍ୱର: ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇ ନୂତନ ଭାବରେ ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ଡଃ ଯତୀନ ମହାନ୍ତିଙ୍କୁ ସଭାପତି କରାଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀ ରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଅଭିଯୋଗରେ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରି ପ୍ରକାଶ କରିଛନ୍ତି। ଦାୟିତ୍ୱ ପାଇବା ପରଠାରୁ ରଶ୍ମୀ ମହାପାତ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରି କାମ କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ପ୍ରଥମେ ଜିଲ୍ଲା ସଭାପତି ଗୁଡ଼ିକର ଚୟନ ହେବାପରେ ଏବଂ ଏହାପରେ ରାଜ୍ୟ ସଭାପତି ନିଯୁକ୍ତିର ପ୍ରାୟ ୯ ମାସ ବିତି ଯାଇଥିଲେ ସୂଧା ଏ’ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଟିମ୍ ଗଠନ ହୋଇପାରି ନାହିଁ। କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ ଏହାର ବ୍ୟତିକ୍ରମ ଘଟି ଜିଲ୍ଲା ଟିମ୍ ଗଠନ ହୋଇସାରିଛି। ଏହାକୁ ଏକ ତ୍ରୁଟି ବୋଲି କୁହାଯାଉଛି। ରାଜ୍ୟର ଅନୁମୋଦନ ବିନା ରଶ୍ମୀ ମହାପାତ୍ର ଜିଲ୍ଲା ଟିମ୍ ଘୋଷଣା କରିବାକୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା କହି ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଥିଲା। ଏହା ବ୍ୟତୀତ ରଶ୍ମୀ ମହାପାତ୍ର ବିଜେପି ଜିଲ୍ଲା ସଭାପତି ଭାବରେ ନୁହେଁ, ସତେ ଯେପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଭଳି କାମ କରନ୍ତି ବୋଲି ଅଭିଯୋଗ ହେଉଛି। ବିଜେପି କାମ ଅପେକ୍ଷା ଅପରାଜିତାଙ୍କ ମହିଳା ସଙ୍ଗଠନ “ଅଜିତା” ଏବଂ ଯୁବା ସଙ୍ଗଠନ “ୟୁଥ୍ ଫର୍ ଆକ୍ସନ୍” କାମରେ ରଶ୍ମୀ ମହାପାତ୍ରଙ୍କୁ ଅଧିକ ଦେଖାଯାଏ। ସେହିପରି ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ସଭାପତି ହୋଇ ସେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକ୍ରମ ଗୁଡ଼ିକରେ ଅନାଧିକାର ପ୍ରବେଶ କରିବା ନେଇ ମଧ୍ୟ ଅଭିଯୋଗ ହୁଏ। ସେହିପରି ଏବେ ନିଜେ ନିଯୁକ୍ତ କରିଥିବା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିକୁ ପରିବର୍ତ୍ତନ କରି ଦେଇଛନ୍ତି ରଶ୍ମୀ ମହାପାତ୍ର। ଯାହା ମଧ୍ୟ ରାଜ୍ୟର ଅନୁମୋଦନ ବିନା କରାଯାଇଥିବା କୁହାଯାଉଛି। ତେଣୁ, ଏହିସବୁ କାରଣରୁ ତାଙ୍କ ଉପରେ ଅତିଷ୍ଠ ହୋଇ ଦଳ ତାଙ୍କୁ ଦାୟିତ୍ବ ମୁକ୍ତ କରିଛି।

ତେବେ, ଏହାକୁ ନେଇ ଏବେ ବିବାଦ ଲାଗି ରହିଛି। ନୂତନ ଭାବରେ ସଭାପତି ଭାବେ ନିଯୁକ୍ତ ଡଃ ଯତୀନ ମହାନ୍ତି ଦାୟିତ୍ୱ ପାଇବା ପରେ ଏକ ପ୍ରେସ୍ ମିଟ୍ ଡକା ଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ବାତିଲ୍ କରାଯାଇଥିଲା। ଖବର ଅନୁଯାୟୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ନିଜେ ରଶ୍ମୀ ମହାପାତ୍ର ପାର୍ଟି ପକ୍ଷରୁ ଜାରୀ ଏହି ନିର୍ଦ୍ଦେଶନାମା ମାନିବାକୁ ନାରାଜ। ସୂଚନା ଅନୁଯାୟୀ ସେମାନେ ଯତୀନ ମହାନ୍ତିଙ୍କୁ ସଭାପତି ଭାବରେ ଗ୍ରହଣ କରୁନାହାଁନ୍ତି ଏବଂ ଏବେ ମଧ୍ୟ ରଶ୍ମୀ ମହାପାତ୍ରଙ୍କୁ ଜିଲ୍ଲା ସଭାପତି ଭାବେ ମାନୁଛନ୍ତି। ଏହାକୁ ନେଇ ଏବେ ଏକ ଦସ୍ତଖତ ଅଭିଯାନ ହୋଇଥିଲା ଏବଂ ଖୋର୍ଦ୍ଧା ଜିଲ୍ଲା ବିଜେପିର ବରିଷ୍ଠ ନେତା ନିକୁଞ୍ଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି, ରାଜ୍ୟ ସଙ୍ଗଠନ ସମ୍ପାଦକ, ରାଜ୍ୟ ପ୍ରଭାରୀ ଏବଂ ସହ ପ୍ରଭାରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୦୧୯ ନିର୍ବାଚନରେ ଯତୀନ ମହାନ୍ତି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ରହିବା ସହ ରାଜ୍ୟ ପ୍ରଭାରୀ ଏବଂ ସଂସଦୀୟ କ୍ଷେତ୍ରର ସାଂସଦଙ୍କୁ ଅବଗତ ନ’କରାଇ ଜଣେ ନିର୍ବାଚିତ ଜିଲ୍ଲା ସଭାପତିଙ୍କୁ ଯେଉଁଭଳି ଭାବରେ ଅପସାରିତ କରାଯାଇଛି ତାହା ଅଗଣତାନ୍ତ୍ରିକ ଅସାମ୍ବିଧାନିକ ବୋଲି ଦର୍ଶାଯାଇ ଏହାର ପୁନଃ ବିଚାର ପାଇଁ ଦାବୀ କରାଯାଇଛି। ସାଂସଦ ଅପରାଜିତାଙ୍କ ସମେତ ଜିଲ୍ଲାର ତୃଣମୂଳ ସ୍ତରର ଅନେକ କାର୍ଯ୍ୟକର୍ତ୍ତା ରଶ୍ମୀ ମହାପାତ୍ରଙ୍କ ସମର୍ଥନରେ ରହିଥିବା କୁହାଯାଉଛି। ତେଣୁ ଏହାକୁ ନେଇ ବିବାଦ ଏବେ ଘନେଇବାର ଲାଗିଛି। ଏ’ ଲଢ଼େଇ ରଶ୍ମୀ ମହାପାତ୍ର ଏବଂ ଯତୀନ ମହାନ୍ତିଙ୍କ ମଧ୍ୟରେ ନୁହେଁ, ବାସ୍ତବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏ’ ଲଢ଼େଇ ଚାଲିଥିବା କୁହାଯାଉଛି। ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲି ଆସୁଥିବା ଶୀତଳ ଯୁଦ୍ଧ କ୍ରମଶଃ ଘନୀଭୂତ ହେବାରେ ଲାଗିଛି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.