Home temp ମହାରାଜା ଛତ୍ରପତି ଶିବାଜୀ: ଜାଣନ୍ତୁ; ଶିବାଜୀଙ୍କ ବୀରତ୍ୱର କାହାଣୀ ..

ମହାରାଜା ଛତ୍ରପତି ଶିବାଜୀ: ଜାଣନ୍ତୁ; ଶିବାଜୀଙ୍କ ବୀରତ୍ୱର କାହାଣୀ ..

115

ମହାନ୍ ଯୋଦ୍ଧା ମହାରାଜା ଛତ୍ରପତି ଶିବାଜୀ। ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ ଶିବାଜୀ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦) ଶିବାଜୀ ଜନ୍ମଗ୍ରହଣ କରିଥିବା କୁହାଯାଏ। ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ ଥିଲା। ସାହାଜୀ ପ୍ରଥମେ ଅହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରି କରି ପୁନା (ପୁଣେ) ଜାୟଗିରି ପାଇଥିଲେ। ଅହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ। ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମା’ଙ୍କ ପାଖରେ ରହି ବିଦ୍ୟା ଶିକ୍ଷା ଲାଭ କରିଥିଲେ। ନିଜ ଜନ୍ମଭୂମିକୁ ବିଦେଶୀ ମାନଙ୍କ କବଳରୁ ମୁକ୍ତ କରିବା ଓ ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ। ଶିବାଜୀ ବାଲ୍ୟ କାଳରେ ବେଶୀ ଲେଖାପଢ଼ା ଶିଖିନଥିଲେ। କିନ୍ତୁ, ସମର ବିଦ୍ୟା, ଅସ୍ତ୍ରଚାଳନା, ଅଶ୍ୱଚାଳନା ଆଦିରେ ଖୁବ୍ ପାରଙ୍ଗମ ଥିଲେ ଶିବାଜୀ। ମା’ଙ୍କ ଠାରୁ ଶିକ୍ଷା, ସଂସ୍କାର ତଥା ରାମାୟଣ ଓ ମହାଭାରତ ଶୁଣି ମୋଗଲ ମାନଙ୍କ ଅତ୍ୟାଚାରରୁ ଦେବମୂର୍ତ୍ତି ଓ ଗୋବ୍ରାହ୍ମଣାଦିଙ୍କ ରକ୍ଷା କରିବାକୁ ପ୍ରତିଜ୍ଞାବଦ୍ଧ ହେଲେ ସେ। ପୁନା ନିକଟସ୍ଥ ପାର୍ବତ୍ୟ ‘ମାଓୟାଲି’ ନାମକ ଅନୁନ୍ନତ ଜାତିଙ୍କୁ ସମର କୌଶଳ ଶିଖାଇ ଏକ ସୈନ୍ୟ ଦଳ ଗଢ଼ିଲେ ଶିବାଜୀ। ସେମାନଙ୍କ ସହାୟତାରେ ଶିବାଜୀ ମୁସଲମାନ ରାଜ୍ୟ ଆକ୍ରମଣ କରି ଅନେକ ଗୁଡ଼ିଏ ଦୁର୍ଗ ଅଧିକାର କଲେ। ବିଜାପୁରର ରାଜକୋଷକୁ ପ୍ରେରିତ ଅର୍ଥ ଶିବାଜୀ ବାଟରେ ଲୁଟି ନେବାରୁ ବିଜାପୁର ସୁଲତାନ୍ ଶିବାଜୀଙ୍କ ପିତା ଶାହାଜୀଙ୍କୁ କାରାବଦ୍ଧ କଲେ। କିନ୍ତୁ, ଶିବାଜୀ ଦିଲ୍ଲୀର ମୋଗଲ ସମ୍ରାଟଙ୍କ ସଙ୍ଗେ ବନ୍ଧୁତା କରିବାର ଧମକ ଓ ବିଜାପୁର ସୁଲତାନକୁ ଦେଇ,ପିତାଙ୍କୁ କୌଶଳରେ କାରାମୁକ୍ତ କରାଇଲେ।

ଏହାପରେ ଶିବାଜୀ ମୋଗଲ ସାମ୍ରାଜ୍ୟରେ ପ୍ରବେଶ କରି ଧନରତ୍ନ ଓ ଘୋଡ଼ାମାନ ଛଡ଼ାଇ ଆଣିଲେ। ନିଜ ସୈନ୍ୟମାନଙ୍କୁ ଅଶ୍ୱରୋହୀ ଓ ‘ବର୍ଗୀ’ ରୂପେ ପ୍ରଶିକ୍ଷିତ କରି ସେମାନଙ୍କ ସହାୟତାରେ ବିଜାପୁର ରାଜାଙ୍କ କଙ୍କଣ ପ୍ରଦେଶ ଜୟ କଲେ। ବିଜାପୁରର ରାଜାଙ୍କ ପ୍ରେରିତ ସେନାପତିଙ୍କୁ ଶିବାଜୀ କୌଶଳକ୍ରମେ ହତ୍ୟା କଲେ। ଶିବାଜୀ କିଛି କାଳ ପରେ ରାୟଗଡ଼ ନାମକ ଅଭେଦ୍ୟ ଦୁର୍ଗରେ ନିଜ ରାଜଧାନୀ ସ୍ଥାପନ କଲେ। ପରେ ୫ ହଜାର ପଦାତିକ ଓ ୭ ହଜାର ଅଶ୍ୱାରୋହୀଙ୍କ ଦ୍ୱାରା ସେନା ଗଢ଼ି ମୋଗଲ ରାଜ୍ୟ ଆକ୍ରମଣ କଲେ। ଔରଙ୍ଗଜେବ ସେନାପତି ଶାୟୋସ୍ତଖାଁ ଶିବାଜୀଙ୍କୁ ଦମନ କରିବାକୁ ପ୍ରେରିତ ହେଲେ। କିନ୍ତୁ, ସେ ଲାଞ୍ଚିତ ହୋଇ ଜୀବନ ବିକଳରେ ପଳାଇ ଗଲେ। ଏହା ପରେ ଶିବାଜୀ ରଣତରୀ ଓ ନୌବଳର ସୃଷ୍ଟି କଲେ। ୧୬୬୪ରେ ସେ ରାଜା ଉପାଧି ଗ୍ରହଣ କରି ନିଜ ନାମରେ ମୁଦ୍ରା ଚଳାଇଥିଲେ। ମୋଗଲ ସାମ୍ରାଜ୍ୟ ଆକ୍ରମଣ କରି ରାଜସ୍ୱରୁ ୧/୪ ବା ଚୌଥ ଗ୍ରହଣ କରିବାକୁ ଶିବାଜୀ ଦାବି କଲେ। ଆଉ କେତେକ ସ୍ଥଳରୁ ଏହା ସଂଗ୍ରହ ମଧ୍ୟ କଲେ। ଏହାପରେ ମୋଗଲ ସମ୍ରାଟ ଔରଙ୍ଗଜେବ ସଙ୍ଗେ ‘ପୁରନ୍ଦର’ ନାମକ ସ୍ଥାନରେ ୧୬୬୭ରେ ସନ୍ଧିପତ୍ର ସ୍ୱାକ୍ଷର କଲେ। ଉକ୍ତ ସନ୍ଧି ଦ୍ୱାରା ଶିବାଜୀ ମୋଗଲ ସୈନ୍ୟଙ୍କ ସଙ୍ଗେ ଯୋଗ ଦେଇ ବିଜାପୁର ରାଜ୍ୟର ଧ୍ୱଂସରେ ମୋଗଲ ସମ୍ରାଟଙ୍କୁ ସାହାଯ୍ୟ କଲେ। ଇତି ମଧ୍ୟରେ କପଟୀ ଔରଙ୍ଗଜେବ ଶିବାଜୀ ଏବଂ ତାଙ୍କ ପୁତ୍ର ଶମ୍ୱୂଜୀଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରିଥିଲେ। ସେଠାରେ ତାଙ୍କୁ ଅଳ୍ପ ସଂଖ୍ୟକ ସୈନ୍ୟଙ୍କ ସହିତ ଏବଂ ନିରସ୍ତ୍ର ଦେଖି ଅପମାନିତ କଲେ। ପିତା ପୁତ୍ର ଦୁହିଙ୍କୁ ବନ୍ଦୀ କଲେ। ଶିବାଜୀ ଔରଙ୍ଗଜେବ ଠାରୁ ବହୁଗୁଣରେ ଧୂର୍ତ୍ତ ଥିଲେ। ‘ଶଠେ ଶାଠ୍ୟଂ ସମା ଚରେତ୍’ ନୀତି ଆଚରଣ ପୂର୍ବକ କୈଶଳ ଅବଲମ୍ୱନ କରି ଏକ ମିଷ୍ଟାନ୍ନ ଟୋକେଇ ମଧ୍ୟରେ ଆପେ ଲୁଚି ଓ ଅନ୍ୟ ଗୋଟିଏ ମିଷ୍ଟାନ୍ନ ଟୋକେଇରେ ନିଜ ପୁଅକୁ ଲୁଚାଇ ଖସି ଯାଇଥିଲେ। ସେଠାରୁ ଗୋଟିଏ ଦେବାଳୟକୁ ଆସି ସେଠାରୁ ଗୋଟିଏ ଘୋଡ଼ାରେ ପୁଅକୁ ବସାଇ ରାତାରାତି ୫ କୋଶ ଦୂରବର୍ତ୍ତୀ ମଥୁରା ନଗରକୁ ଚାଲିଆସିଲେ। ସେଠାରେ ନିଜ ପୁଅକୁ ଜଣେ ବିଶ୍ୱାସୀ ବ୍ରାହ୍ମଣଙ୍କ ଜିମା ଦେଇ ନିଜ ମସ୍ତକ ମୁଣ୍ଡନ କରି ସନ୍ନ୍ୟାସୀ ବେଶଧରି ମୋଗଲ ସୈନ୍ୟଙ୍କ କବଳରୁ ରକ୍ଷା ପାଇବା ପାଇଁ ଚାଲିଚାଲି ପ୍ରୟାଗ, କାଶୀ, ଗୟା, ପାଟଣା, କଟକ ଓ ହାଇଦ୍ରାବାଦ ଦେଇ ୧ ବର୍ଷ ପରେ ନିଜ ରାଜଧାନୀ ରାୟଗଡ଼ରେ ପହଞ୍ଚିଲେ।

ଏହାପରେ ବିଶ୍ୱାସଘାତକ ଔରଙ୍ଗଜେବ ପ୍ରତି ଶିବାଜୀ ଅତି କ୍ରୁଦ୍ଧ ହୋଇ ମୋଗଲ ରାଜ୍ୟରେ ଆକ୍ରମଣ ଆରମ୍ଭ କଲେ। ଔରଙ୍ଗଜେବ ଶିବାଜୀଙ୍କୁ ଦମନ କରିବା ପାଇଁ ସୈନ୍ୟ ପ୍ରେରଣ କରି ବିଫଳ ହେଲେ। ଶେଷରେ ୧୬୬୯ ମସିହାରେ ଔରଙ୍ଗଜେବ ସନ୍ଧି ସ୍ଥାପନ କରି ଶିବାଜୀଙ୍କୁ ରାଜା ଉପାଧି ଦେଲେ। ବିଜାପୁର ଓ ଗୋଲକୁଣ୍ଡାର ସୁଲତାନମାନେ ନିଜ ନିଜ ରାଜ୍ୟର ଚୌଥ ଅଂଶ ଶିବାଜୀଙ୍କୁ ଦେଲେ। ଶିବାଜୀ ନିଜ ରାଜ୍ୟର ଉନ୍ନତି ଉପରେ ଧ୍ୟାନ ଦେଲେ। ଅନ୍ୟ ରାଜା ମାନଙ୍କ ରାଜ୍ୟରୁ ସୈନ୍ୟମାନେ ଯାହା ଲୁଣ୍ଠନ କରି ଆଣୁଥିଲେ ତାହା ରାଜକୋଷରେ ଅର୍ପିତ ହେଉଥିଲା। ସୈନ୍ୟମାନେ ନିୟମିତ ରୂପେ ମାସିକ ବେତନ ପାଉଥିଲେ। ଶିବାଜୀ ପ୍ରାଚୀନ ହିନ୍ଦୁ ପ୍ରଥା ଅନୁସାରେ ପ୍ରଜା ମାନଙ୍କ ଠାରୁ ନିୟମିତ ରୂପେ ରାଜସ୍ୱ ଆଦାୟ କରୁଥିଲେ। ଶିବାଜୀଙ୍କ ରାଜ ଦରବାରରେ ୮ ଜଣ ମନ୍ତ୍ରୀ ଥିଲେ। ପ୍ରଧାନ ମନ୍ତ୍ରୀଙ୍କ ଉପାଧି ‘ପେଶ୍ୱା’ ଥିଲା। କିଛି ଦିନ ପରେ ପୁଣି ମୋଗଲ ବାଦ୍‌ଶାହାଙ୍କ ସଙ୍ଗେ ଶିବାଜୀଙ୍କ ବିବାଦ ହେଲା। କିନ୍ତୁ ଔରଙ୍ଗଜେବ ଶିବାଜୀଙ୍କୁ ପରାସ୍ତ କରି ପାରିଲେ ନାହିଁ। ୧୬୭୧ ମସିହାରେ ଶିବାଜୀଙ୍କ ପିତା ଶାହାଜୀଙ୍କର ମୃତ୍ୟୁ ହେଲା। ଏହାପରେ ଶିବାଜୀ ‘ମହାରାଜ’ ଉପାଧି ଗ୍ରହଣ କରି ରାୟଗଡ଼ ସିଂହାସନରେ ବସି ‘ତୁଳା ପୁରୁଷ ଦାନ’ କୃତ ଉଦ୍‌ଯାପନ କଲେ। ଏହାପରେ ମୋଗଲ ସେନା ବିଜାପୁର ନଗର ଅବରୋଧ କରିବାରୁ ବିଜାପୁର ସୁଲତାନ ଶିବାଜୀଙ୍କ ସାହାଯ୍ୟ ମାଗିଲେ। ଶିବାଜୀ ଅବରୋଧକାରୀ ସୈନ୍ୟ ମାନଙ୍କ ପୃଷ୍ଠ ଭାଗସ୍ଥ ମୋଗଲ ରାଜ୍ୟକୁ ଆକ୍ରମଣ କରି ଏପରି ଉପଦ୍ରବ ଆରମ୍ଭ କଲେ ଯେ,ମୋଗଲମାନେ ବିଜାପୁର ଅବରୋଧ ପରିତ୍ୟାଗ କଲେ। କୃତଜ୍ଞତା ସ୍ୱରୂପ ବିଜାପୁରର ସୁଲତାନ ଶିବାଜୀଙ୍କୁ ତାଞ୍ଜୋରର ସ୍ୱାଧୀନ ରାଜା ବୋଲି ସ୍ୱୀକାର କଲେ। ଛତ୍ରପତି ଶିବାଜୀ ୧୬୮୦ ଏପ୍ରିଲ ୩ ତାରିଖରେ ୫୩ ବର୍ଷ ବୟସରେ ପରଲୋକ ଗମନ କରିଥିଲେ।
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.