Home ଓଡ଼ିଶା କରୋନା ମହାମାରୀ ସମୟରେ ଟିକସଦାତାଙ୍କୁ ସାହାଯ୍ୟ କରିବା ପାଇଁ ସିବିଡିଟି ୭୧, ୨୨୯ କୋଟି ଟଙ୍କା...

କରୋନା ମହାମାରୀ ସମୟରେ ଟିକସଦାତାଙ୍କୁ ସାହାଯ୍ୟ କରିବା ପାଇଁ ସିବିଡିଟି ୭୧, ୨୨୯ କୋଟି ଟଙ୍କା ରିଫଣ୍ଡ କରିଛି

231

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବାବଦରେ ଅଗ୍ରୀମ ଆଦାୟ ହୋଇଥିବା ଅର୍ଥରୁ ୭୧, ୨୨୯ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ଆକାରରେ ପ୍ରଦାନ କରିଛି। ଚଳିତ ଜୁଲାଇ ୧୧ ତାରିଖ ସୁଦ୍ଧା ୨୧.୨୪ ଲକ୍ଷରୁ ଅଧିକ କରଦାତାଙ୍କୁ ଏହି ଅର୍ଥ ରିଫଣ୍ଡ କରାଯାଇଛି। କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ଏପ୍ରିଲ ୮ ତାରିଖରେ କେନ୍ଦ୍ର ସରକାର ଏକ ନିଷ୍ପତ୍ତି ନେଇ ଫେରସ୍ତ ହେବାକୁ ଥିବା ଆୟକର (ରିଫଣ୍ଡ) କରଦାତାଙ୍କୁ ଯଥାଶୀଘ୍ର ଫେରାଇବାକୁ ନିର୍ଦେଶ ଦେଇଥିଲେ।

୨୪, ୬୦୩ କୋଟି ଟଙ୍କାର ଆୟକର ରିଫଣ୍ଡ ୧୯.୭୯ ଲକ୍ଷ ମାମଲାରେ ଟିକସଦାତାଙ୍କୁ ଫେରାଯାଇଥିବାବେଳେ ୧.୪୫ ଲକ୍ଷ ଘଟଣାରେ ୪୬, ୬୨୬ କୋଟି ଟଙ୍କାର କର୍ପୋରେଟ ଟିକସ ରିଫଣ୍ଡ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ସମସ୍ତ ରିଫଣ୍ଡ କରୋନା ମହାମାରୀ ସମୟରେ ଦିଆଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମହାମାରୀ ଭଳି ଏକ ଜଟିଳ ସମୟରେ କରଦାତାମାନେ ନିଜର ପ୍ରାପ୍ୟ ଯେପରି ଠିକ୍‌ସମୟରେ ପାଆନ୍ତି ସେଥିପାଇଁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଟିକସ ବାବଦ ମାମଲାର ତ୍ୱରିତ ସମାଧାନ ଏବଂ ରିଫଣ୍ଡ ପାଇବାରେ କରଦାତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ନିଶ୍ଚିତ କରିବାକୁ ଆୟକର ବିଭାଗକୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। ତଦନୁସାରେ ଆୟକର ବିଭାଗ ଯଥାସମ୍ଭବ ଲୋକଙ୍କୁ ସେମାନଙ୍କର ରିଫଣ୍ଡ ପ୍ରଦାନ କରୁଛି। ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା କରଦାତାଙ୍କ ସବୁ ରିଫଣ୍ଡ ମାମଲାର ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି। ଏ କ୍ଷେତ୍ରରେ ଯେଉଁ କରଦାତାମାନେ ସଂଶୋଧନ ଆବେଦନ କରୁଛନ୍ତି ସେମାନେ ଆଇଟିବିଏରେ ଅର୍ଜି ଅପ୍‌ଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ତଦ୍ଦ୍ୱାରା ଏହାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ।

ଆୟକର ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ କରଦାତାମାନେ ସେମାନଙ୍କର ରିଫଣ୍ଡର ଶୀଘ୍ର ପ୍ରୋସେସିଂ ପାଇଁ ଆଇଟି ବିଭାଗର ଇ-ମେଲ ସହ ତୁରନ୍ତ ଯୋଗାଯୋଗ କରିବା ଆବଶ୍ୟକ। କରଦାତା ଯେତେ ଶୀଘ୍ର ସେମାନଙ୍କର ଆପତ୍ତି ଅଭିଯୋଗ ପଠାଇବେ ତାହାକୁ ବିଚାର କରି ସେତେଶୀଘ୍ର ସେମାନଙ୍କର ଦେୟ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ଅନେକ ଟିକସଦାତା ଇଲେକ୍‌ଟ୍ରୋନିକ୍‌ବ୍ୟବସ୍ଥାରେ ସେମାନଙ୍କର ଅର୍ଜି ପ୍ରେରଣ କରି ସଂଶୋଧନ ପାଇଁ ଆବେଦନ କରିଛନ୍ତି। ଏସବୁ ଆବେଦନକୁ ସମୟବଦ୍ଧ ଭିତ୍ତିରେ ବିଚାର କରି ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉଛି। ସମସ୍ତ ରିଫଣ୍ଡ ଅନ୍‌ଲାଇନ ବ୍ୟବସ୍ଥାରେ ସିଧାସଳଖ ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.