Home Coronavirus Outbreak ଦେଶରେ ପ୍ରକୃତ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୩.୪୨ ଲକ୍ଷ – ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇ...

ଦେଶରେ ପ୍ରକୃତ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୩.୪୨ ଲକ୍ଷ – ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୬.୩୫ ଲକ୍ଷରେ ପହଞ୍ଚିଛି

300

– ଶତକଡା ୧ ଭାଗରୁ କମ ଭେଣ୍ଟିଲେଟରରେ ଥିବା ବେଳେ ଶତକଡା ୨ ଭାଗରୁ କମ ସଂକ୍ରମିତ ଆଇସିୟୁ ଓ ଶତକଡା ୩ ଭାଗରୁ କମ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଛନ୍ତି

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଆଜିସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ୩, ୪୨, ୭୫୬। ଏପର୍ଯ୍ୟନ୍ତ ୬.୩୫ ଲକ୍ଷ ବା ଶତକଡା ୬୩.୩୩ ଭାଗ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି।

ଭାରତ ପୃଥିବୀର ଦ୍ଵିତୀୟ ସର୍ବାଧିକ ଜନବହୁଳ ଦେଶ ଓ ଏହାର ଲୋକସଂଖ୍ୟା ୧୩୫ କୋଟି। ସେ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ୧ ନିୟୁତରେ ୭୨୭.୪। ପୃଥିବୀର ଅନ୍ୟ ଦେଶ ବିଶେଷକରି ୟୁରୋପୀୟ ଦେଶ ତୁଳନାରେ ଏହା ୪ ରୁ ୮ ଗୁଣ କମ।

ଦେଶରେ ୧ ନିୟୁତରେ ମୃତ୍ୟୁ ହାର ୧୮.୬ ଯାହାକି ବିଶ୍ଵରେ ସବୁଠାରୁ କମ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଚଳା ଯାଉଥିବା ମିଳିତ ଅଭିଯାନରେ ଘରକୁ ଘର ସର୍ଭେ, ଆକ୍ରାନ୍ତ ଚିହ୍ନଟ, ଆବଦ୍ଧ ଓ ବଫର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର, ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ଓ ସମୟୋପଯୋଗୀ ନିଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଅତି କମ ଲକ୍ଷଣ, କମ ଲକ୍ଷଣ ଓ ଖୁବ ବେଶୀ ଲକ୍ଷଣ ଭଳି ତିନୋଟି ଶ୍ରେଣୀରେ ରୋଗୀମାନଙ୍କୁ ବିଭକ୍ତ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ଚିକିତ୍ସା କାର୍ଯ୍ୟ ଜାରି ରହିଛି। ଶତକଡା ୮୦ ଭାଗ ଲକ୍ଷଣ ବିହୀନ ଓ ଅତି କମ ଲକ୍ଷଣ ଥିବା ରୋଗୀମାନଙ୍କୁ ଘରୋଇ ଏକାନ୍ତବାସରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଉଛି। ସ୍ୱଳ୍ପ ଲକ୍ଷଣ ଓ ଅଧିକ ଲକ୍ଷଣ ଥିବା ରୋଗୀମାନଙ୍କୁ କୋଭିଡ ଗୃହ ବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅତି ଅଳ୍ପ ଏବଂ ଲକ୍ଷଣ ବିହୀନ ରୋଗୀମାନଙ୍କ ଘରେ ରହି ଚିକିତ୍ସିତ ହେଉଥିବାରୁ ହସ୍ପିଟାଲ ଉପରେ ଆଉ ସେମାନେ ବୋଝ ହେଉନାହାନ୍ତି। ଏହାଦ୍ଵାରା ସ୍ୱଳ୍ପ ଓ ଅତ୍ୟଧିକ ଲକ୍ଷଣ ଥିବା ରୋଗୀମାନଙ୍କ ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦିଆଯାଇପାରୁଛି। ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ଶତକଡା ୧.୯୪ରୁ ମଧ୍ୟ କମ ମାମଲା ଆଇସିୟୁରେ ଥିବା ବେଳେ ୦.୩୫ ମାମଲା ଭେଣ୍ଟିଲେଟର ଓ ୨.୮୧ ଭାଗ ମାମଲା ଅମ୍ଳଜାନ ସହାୟକ ଶଯ୍ୟା ଜରିଆରେ ଚିକିତ୍ସା କରାଯାଉଛି।

ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ଗୁଣାତ୍ମକ ଉପଚାର ପାଇଁ ଦେଶରେ ସମସ୍ତ ପଦକ୍ଷେପ ନିଆଯାଇଛି। ଏହି ମିଳିତ ଉଦ୍ୟମ ଯୋଗୁଁ ଆଜି କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମି ମଧ୍ୟ ସୁଦୃଢ ହୋଇପାରିଛି। ଦେଶରେ ୧୩୮୩ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ରହିଥିବା ବେଳେ ୩୧୦୭ଟି ସ୍ଵାସ୍ଥ୍ୟସେବା କେନ୍ଦ୍ର ଓ ୧୦, ୩୮୨ଟି କୋଭିଡ ସୁଧାର ଗୃହ ରହିଛି। ଏସମସ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ମୋଟ ୪୬, ୬୭୩ ଆଇସିୟୁ ଶଯ୍ୟା, ୨୧, ୮୪୮ ଭେଣ୍ଟିଲେଟର ଉପଲବ୍ଧ ଅଛି। ଏନ-୯୫ ମାସ୍କ ଏବଂ ପିପିଇ କିଟ୍ସର କୌଣସି ଅଭାବ ନାହିଁ। କେନ୍ଦ୍ର ୨୩୫.୫୮ ଲକ୍ଷ ଏନ.୯୫ ମାସ୍କ ଏବଂ ୧୨୪.୨୬ ଲକ୍ଷ ପିପିଇ କିଟ୍ସ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଛି।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid୧୯@gov.in ଏବଂ ncov୨୦୧୯@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧.୧୧.୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ.୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.