Home Top News ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା! ପ୍ରଚ୍ଛଦ ପଟରେ ସେ କେଉଁ ନେତା?

ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା! ପ୍ରଚ୍ଛଦ ପଟରେ ସେ କେଉଁ ନେତା?

74

ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚାରେ ଅନ୍ତର୍ଦ୍ୱନ୍ଦ ଏବେ ଚରମ ସୀମାରେ ପହଞ୍ଚିଛି। ଏଇ କିଛି ଦିନ ତଳେ ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ଦାୟିତ୍ୱରେ ଥିବା ଜଣେ ସଂଯୋଜିକା ରାଜ୍ୟ ସଭାନେତ୍ରୀଙ୍କୁ ଅନେକ ଗୁଡ଼ିଏ କଥାରେ ଆକ୍ଷେପ କରି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଏକ ଇସ୍ତଫା ଧମକ ଚିଠି (ଟେକ୍ସ୍ଟ ମେସେଜ୍) ଦେଇଥିଲେ, ଯାହାକି ବାହାରକୁ ଲିକ୍ ହୋଇଯାଇଥିଲା। ଖବର ମୁତାବକ ଏକ ଜିଲ୍ଲାର ନଗର ସ୍ତରରେ କିଛି ଗୋଟେ ଦାୟିତ୍ୱରେ ଥିବା ସଂପୃକ୍ତ ମହିଳା ଜଣଙ୍କର କାମ ଆଦୌ ସନ୍ତୋଷଜନକ ନଥିଲା, ଅପରପକ୍ଷେ ତାଙ୍କର ଅଭିଯୋଗ ଗୁଡ଼ାଏ ଥିଲା। ଯେଉଁଥିପାଇଁ ସଂପୃକ୍ତ ଜିଲ୍ଲାର ନେତାନେତ୍ରୀ ମାନେ ତାଙ୍କୁ ସେଠାରେ ସେତେଟା ଗୁରୁତ୍ୱ ଦେଉନଥିଲେ। ଏହାପରେ ସେ ତାଙ୍କ ପଡ଼ୋଶୀ ଜିଲ୍ଲା କାର୍ଯ୍ୟକ୍ରମରେ ଯାଇ ଅଜାତିତ ଭାବରେ ପ୍ରବେଶ କଲେ। ସେଠାରେ ମଧ୍ୟ ତାଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ଅଣଦେଖା କରାଗଲା। ଏହାପରେ ସେ କୃଷକ ମୋର୍ଚ୍ଚା ମହିଳା ବିଭାଗରେ ଯୋଗଦେଲେ। କୃଷକ ମୋର୍ଚ୍ଚା ମହିଳା ବିଭାଗରେ ଥିବା ବେଳେ ସେ ମହିଳା ମୋର୍ଚ୍ଚା ସଙ୍ଗଠନକୁ ଭାଙ୍ଗି ସେଠାରୁ ମହିଳାଙ୍କୁ ନେଇ କୃଷକ ମୋର୍ଚ୍ଚା ମହିଳା ବିଭାଗରେ ଯୋଡ଼ିବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ଉଠିଥିଲା। ସେ ଯାହା ହେଉ ତା’ ପରେ ପରେ କୃଷକ ମୋର୍ଚ୍ଚା ମହିଳା ବିଭାଗକୁ ପୂରା ଭାଙ୍ଗି ଦିଆଯାଇଥିଲା। ଏହାପରେ ସେ ଅପରାଜିତା ଷଡ଼ଙ୍ଗୀଙ୍କ କ୍ୟାମ୍ପରେ ଯୋଗଦେଇ ତାଙ୍କର ଗୁଡ଼ାଏ ପ୍ରଚାର କରି ପକାଇଲେ। କିନ୍ତୁ ତାଙ୍କର ଏହିପରି ବିଶୃଙ୍ଖଳିତ ଆଚରଣ ଯୋଗୁଁ ସେଠାରେ ମଧ୍ୟ ତାଙ୍କୁ ଅଣଦେଖା କରାଗଲା। ସେଠାରେ ଅଣଦେଖା ହୋଇ ସେ ପୁଣି ଆସି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସୋସିଆଲ୍ ମିଡିଆରେ ପ୍ରଚାର କରିବାରେ ଲାଗି ପଡ଼ିଲେ। ଏହାପରେ ସେ ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକା ଦାୟିତ୍ୱ ପାଇଗଲେ। କିନ୍ତୁ, ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକା ଥାଇ ସେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଚାର ପ୍ରସାର କରାଇବା ପରିବର୍ତ୍ତେ କେବଳ ନିଜ ପ୍ରଚାର ଆଉ ଭିଡ଼ିଟାଣି, ବଢ଼େଇ ଚଢ଼େଇ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନାବଶ୍ୟକ ତଥା ଅତିରଞ୍ଜିତ ପ୍ରଚାର କରିବାରେ ଲାଗିଲେ। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କୁ ସେ ହେୟଜ୍ଞାନ ମନେ କରି ଦଳୀୟ ଶୃଙ୍ଖଳା ନମାନି, ନିଜ ଉପରେ ଥିବା ଦାୟିତ୍ୱ ନିର୍ବାହ ନକରି, କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତିଆ ପ୍ରଚାର କରି ଜଣେ ଦଳରେ ତିଷ୍ଠି ପାରେ ବୋଲି ସେ ପ୍ରମାଣ କଲେ। ଯାହାକି ବିଶୃଙ୍ଖଳାକୁ ପ୍ରୋତ୍ସାହନ ଏବଂ ବିଶୃଙ୍ଖଳିତଙ୍କୁ ପ୍ରମୋସନ ସଦୃଶ୍ୟ ହେଉଛି। ଯାହା ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ଏକ ଖରାପ ଧାରଣା ସୃଷ୍ଟି କରାଉଛି।

କୁହାଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖ ଲୋକ ବୋଲାଉଥିବା କେହି ଲୋକଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି। ତେଣୁ ସେ ଦଳୀୟ ଶୃଙ୍ଖଳାକୁ ଆଦୌ ମାନୁନାହାଁନ୍ତି କି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ଆଦୌ ଖାତିର୍ କରୁନାହାଁନ୍ତି। ଯାହାକି ଦଳ ଭିତରେ ଏକ ଭୟଙ୍କର ବିଶୃଙ୍ଖଳା ଆଡ଼କୁ ଟାଣି ନେଉଛି। ଏହାକୁ ଦେଖି ଆଗକୁ ଅନ୍ୟମାନେ ମଧ୍ୟ ବିଶୃଙ୍ଖଳିତ ହେବା, ସଭାନେତ୍ରୀଙ୍କୁ ବେଖାତିର କରିବା ଆରମ୍ଭ କରିଦେବେ। ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ବିରୋଧରେ ଅନେକ ଗୁଡ଼ିଏ ଅଭିଯୋଗ ଆଣିବା ପରେ ଏବଂ ଏହା ଉପରେ ଖବର ପ୍ରକାଶନ ପରେ ଏବେ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ମତ ଦେଇଛନ୍ତି। ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ଆକ୍ଷେପ କଲାପରି, ସେ ତାଙ୍କ ବିରୋଧୀ ଏବଂ ସେ ଅନ୍ୟାୟ କରୁଛନ୍ତି ବୋଲି କହିଛନ୍ତି। ସେ ତାଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି ଏବଂ ଏହି ଯୁଦ୍ଧ ସେ ଶେଷ କରିବେ ବୋଲି କହିଛନ୍ତି। ତାଙ୍କର ଏପରି ଆଚରଣ ତାଙ୍କୁ ବିଜେପି ମହଲରେ କୁଆଡ଼େ ଅଧିକ ସମ୍ମାନିତ କରିଛି! ତେବେ, ଏହାସହ ସେ ତାଙ୍କ ନେତାଙ୍କୁ ଭଲପାଆନ୍ତି ଯିଏ ତାଙ୍କୁ ସମ୍ମାନର ସହ ଦାୟିତ୍ୱ ଦେଇଛନ୍ତି ବୋଲି କହିଛନ୍ତି। ତେବେ, ଦଳ ଭିତରେ ଥାଇ ଦଳୀୟ ଶୃଙ୍ଖଳା ଭାଙ୍ଗି ନିଜ ସଭାନେତ୍ରୀଙ୍କ ବିରୋଧରେ ଦେଉଥିବା ଯୁଦ୍ଧଂ ଦେହି ଡାକରାକୁ ସେ କେଉଁ ନେତା ସମର୍ଥନ ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.