Home Top News ବିଜେପି ନାଁ ବିଜେଡି,ମହିଳାଙ୍କ ପାଇଁ କିଏ ଚିନ୍ତିତ? ପ୍ରଣବଙ୍କୁ ଜବାବ୍ ଦେଉଛନ୍ତି ବିଜେପି ନେତାନେତ୍ରୀ: କିନ୍ତୁ,ଜଣେ...

ବିଜେପି ନାଁ ବିଜେଡି,ମହିଳାଙ୍କ ପାଇଁ କିଏ ଚିନ୍ତିତ? ପ୍ରଣବଙ୍କୁ ଜବାବ୍ ଦେଉଛନ୍ତି ବିଜେପି ନେତାନେତ୍ରୀ: କିନ୍ତୁ,ଜଣେ ମହିଳା ନେତ୍ରୀଙ୍କର ରହିଛି ଏକ ଭିନ୍ନ ମତ ..

203

ଭୁବନେଶ୍ୱର: ମହିଳାଙ୍କ ପାଇଁ କିଏ ଅଧିକ ଚିନ୍ତିତ, ବିଜେପି ନାଁ ବିଜେଡି? ବିଜୁ ଜନତା ଦଳ (ବିଜେଡି)ର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ପ୍ରସଙ୍ଗ ପରେ ମହିଳାଙ୍କ ପାଇଁ କିଏ ଅଧିକ ଚିନ୍ତିତ ନେଇ ବିଜେପି ଆଉ ବିଜେଡି ଭିତରେ ଚାଲିଛି ଲଢ଼େଇ। ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମୁଁ ସବୁବେଳେ କହି ଆସିଛି ଯେ ମହିଳା ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ଆଗେଇଲେ ଦେଶ ଆଗେଇବ, ସମାଜ ଆଗେଇବ। ମା’ ମାନେ ହେଉଛନ୍ତି ସମାଜ ଚକର ଅଖ। ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ି ପାରିବ ନାହିଁ। ୧୯୯୨ରେ ବିଜୁବାବୁ ମହିଳା ମାନଙ୍କ ପାଇଁ ପଞ୍ଚାୟତ, ଅର୍ବାନ ବଡିଜ୍ ଏବଂ ସରକାରୀ ଚାକିରୀରେ ୩୩% ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ। ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ଅର୍ବାନ ବଡିଜ୍ ମାନଙ୍କରେ ମା’ ମାନଙ୍କ ପାଇଁ ୫୦% ସଂରକ୍ଷଣ କରିଛନ୍ତି। କେବଳ ସେତିକି ନୁହେଁ ବିଜୁ ଜନତା ଦଳ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳା ମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଲଢ଼େଇ କରୁଛି। ଆପଣ ଜାଣନ୍ତି ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ। ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ସିଏ କି ୨୦୧୯ ସାଧାରଣ ନିର୍ବାଚନରେ ୩୩ % ମହିଳାଙ୍କୁ ଟିକେଟ୍ ଦେଇଥିଲା। ନିର୍ବାଚନ ଆସିଲେ ଜାତୀୟ ଦଳ ମାନେ ସେମାନଙ୍କ ନିର୍ବଚନୀ ଇସ୍ତେହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି। କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେ କଥା ଭୁଲି ଯାଉଛନ୍ତି। ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ହେଲେ ମଧ୍ୟ ସଂସଦ ଏବଂ ବିଧାନସଭାରେ ମହିଳା ମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ତାର ସ୍ୱରକୁ ଆହୁରି ଜୋରଦାର କରିବ। ଏବେଠାରୁ ଲୋକସଭା , ରାଜ୍ୟସଭା ଏବଂ ବିଧାନସଭାର ପ୍ରତି ସେସନରେ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେ ପକାଇଦେବ। ପ୍ରତ୍ୟେକ ପ୍ଲାଟଫର୍ମରେ ଏ’ ବିଷୟ ଆମେ ଉଠାଇବୁ। ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ଲଢ଼େଇ ଜାରୀ ରହିବ।

ତେବେ, ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏକ ସମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ମାନଙ୍କୁ କେବେ ବି ଗୁରୁତ୍ୱ ଦିଅନ୍ତି ନାହିଁ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ କଥା ଉଠାଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ସଂରକ୍ଷଣ ଦୁହାଇ ଦେଇ ଓଡ଼ିଶାର ଲୋକଙ୍କୁ ଦୁଃସ୍ୱପ୍ନ ଦେଖାଉଛନ୍ତି, ଆଦି ଅଭିଯୋଗ କରିବା ସହ ୨୦ ବର୍ଷ ଶାସନ ଭିତରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି କ’ଣ ରହିଛି ତା’ର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ବୋଲି କହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ବଖାଣି ବିଜେପି ସରକାର ମହିଳାଙ୍କ ପାଇଁ କାଗଜରେ ନୁହେଁ ବାସ୍ତବରେ କାମ କରିଆସୁଛି ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ।

ତେବେ ଏ’ ଭିତରେ ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ଟ୍ୱିଟ୍ କରିଥିଲେ। ଯାହାପରେ ବିଜେପି – ବିଜେଡି ଭିତରେ ଆରମ୍ଭ ହୋଇଯାଇଛି ଟ୍ୱିଟର ଲଢ଼େଇ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ପ୍ରଣବ ପ୍ରକାଶ ଟ୍ୱିଟ୍ କରିଥିଲେ, “ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି, ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କ’ଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା’ ଓ ଭଉଣୀମାନେ ଆଜିବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।” ଏ’ ଇଙ୍ଗିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଥିଲା। ବାସ୍ ଓଡ଼ିଶା ବିଜେପି ଆଉ ସମ୍ଭାଳେ କୁଆଡ଼େ? ଆଉ କାହା କଥା ହୋଇଥିଲେ ଚଳି ଥାଆନ୍ତା। ଏପରିକି ମୋଦି, ଶାହା କିମ୍ବା ବିଜେପିକୁ ଆକ୍ଷେପ କରିଥିଲେ ହୁଏତ ଚଳି ଥାଆନ୍ତା। କାରଣ ଏମାନେ ତ’ ମୋଦି, ଶାହା, ଯୋଗୀ, ବିଜେପିକୁ ଗାଳି କରିଥିବା ସଂଘ (ଆରଏସ୍ଏସ୍)କୁ ଶକୁନି ମାମା କହିଥିବା ଲୋକକୁ କୋଳେଇ ନେଇ ରାଜ୍ୟ ପ୍ରବକ୍ତା କରି ବସାଇଛନ୍ତି। କଂଗ୍ରେସ ନେତା ସୁର ରାଉତରାୟ ମୋଦି ଆଉ ଶାହାଙ୍କୁ ତୁ’ ତା’ କରି ହା, ଥୁ … କରି ଛେପ ପକାଇଲେ ମଧ୍ୟ ଏମାନେ ନୀରବ ରୁହନ୍ତି, ଚଳେଇ ଦିଅନ୍ତି। କିନ୍ତୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ’ ରେ କିଏ ଟିକେ କହିଦେଲେ ଚଳେଇବା ଅସମ୍ଭବ। କାରଣ ଏମାନଙ୍କ ପାଇଁ ପରା ଧର୍ମେନ୍ଦ୍ର ମାନେ ବିଜେପି, ଆଉ ବିଜେପି ମାନେ ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କହୁଥିବା ଲୋକକୁ କୁଆଡ଼େ ନିଃଶଙ୍କୋଚରେ ବିଜେପି ବିରୋଧୀ ବୋଲି କୁହାଯାଇ ପାରିବ ବୋଲି ଏମାନେ କୁହନ୍ତି।

ପ୍ରଣବ ପ୍ରକାଶ ସେୟା କଲେ। ବିଜେପି, ମୋଦି, ଶାହା କିମ୍ବା ନଡ୍ଡାଙ୍କ କଥା ନକହି ସିଧା ଧର୍ମେନ୍ଦ୍ରଙ୍କ ବିଭାଗ କଥା କହିଦେଲେ। ତାହା ପୁଣି ଧର୍ମେନ୍ଦ୍ରଙ୍କୁ ମଧ୍ୟ ଟ୍ୟାଗ୍ କରି! ଏମାନେ ଆଉ ସମ୍ଭାଳନ୍ତେ କେମିତି? ତାଙ୍କରି ଅନୁଗ୍ରହରେ ଏମାନେ ତ’ ପଦପଦବୀ ପାଇଛନ୍ତି। ପଦବୀକୁ ତ’ ପୁଣି ଜାବୁଡ଼ି ଧରି ରଖିବାର ଅଛି। ସେହିପରି ଆଗକୁ ମଧ୍ୟ ଆଉ କିଏ କ’ଣ ସବୁ ପଦପଦବୀ କିମ୍ବା ଆଗକୁ ଟିକେଟ ପାଇବା ଆଶାରେ ସବୁ ଅଛନ୍ତି। ଛାଡ଼ନ୍ତେ ବା କେମିତି? ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ ଉପରେ ଏମାନେ ସବୁ ଜବାବ୍ ଦେଇ ଚାଲିଛନ୍ତି। ଏଥିରେ ଲେଖାଶ୍ରୀ ବା ପଛରେ ରହିବେ କେମିତି? ସେ ତ’ ଟାର୍ଗେଟ୍ କରିବାରେ ସବୁବେଳେ ଆଗରେ ରୁହନ୍ତି। ଏଠି ବି ଆଗରେ ରହି ପ୍ରଣବଙ୍କ ଟ୍ୱିଟର ଜବାବ ଦେଇ ଲେଖାଶ୍ରୀ ଲେଖିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା, ଭଉଣୀ, ଶିଶୁଙ୍କୁ ବଳତ୍କାର, ହତ୍ୟା ଓ ତସ୍କରୀ ଭଳି ରାକେଟ ଚଲାଇଛନ୍ତି। ଆପଣଙ୍କ ଦଳର ମା’ ଓ ଉଭଣୀଙ୍କୁ ସଂସଦ ଓ ବିଧାନସଭାରେ ବି ମୁହଁରେ ତୁଣ୍ଡିବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ। ତା’ ପରେ ମହିଳା ସଶକ୍ତିକରଣ କଥା କହିବେ ବୋଲି କହି ଆକ୍ଷେପ କରିଛନ୍ତି ଲେଖାଶ୍ରୀ।

ତେବେ, କିଏ କାହା ମୁହଁରେ ତୁଣ୍ଡି ବାନ୍ଧିଛି? ମହିଳାଙ୍କୁ କିଏ ଗୁରୁତ୍ୱ ଦେଉଛନ୍ତି? ଆଉ କିଏ ମହିଳା ନେତ୍ରୀଙ୍କ ପାଇଁ କେବଳ ଲିପ୍ ସର୍ଭିସ୍ ଦେଉଛନ୍ତି, ଏ’ ସବୁ ଟ୍ୱିଟର ଲଢ଼େଇର ଏକ ଭଲ ଏବଂ ପୂରୁଣା ଟ୍ୱିଟର ଉତ୍ତର ରହିଛି। ୨୦୧୯ ନିର୍ବାଚନ ସମୟର ବିଜେପିର ଜଣେ ପରିଚିତ ନାରୀ ନେତ୍ରଙ୍କ ଟ୍ୱିଟ୍। ବିଜେପି ନେତ୍ରୀ ତଥା ମହାରାଷ୍ଟ୍ର ପ୍ରବକ୍ତା ଥିବା ସାଇନା ଏନ.ସି ମହିଳା ସଂରକ୍ଷଣ ନେଇ ନବୀନ ପଟ୍ଟନାୟକଙ୍କ ସିଧାସଳଖ ପ୍ରଶଂସା କରିଥିଲେ। ସମାଜରେ ୫୦% ଭାଗିଦାର ଥାଇ ମଧ୍ୟ ମହିଳା ମାନଙ୍କୁ କୌଣସି ରାଜନୈତିକ ଦଳ ସୁଯୋଗ ଦେଉନଥିବା ବେଳେ ନବୀନ ପଟ୍ଟନାୟକ ଅଧିକ ସଂଖ୍ୟାରେ ମହିଳା ପାର୍ଥିଙ୍କୁ ଟିକେଟ ଦେଇଥିବାରୁ ସାଇନା ନବୀନଙ୍କୁ ପ୍ରଶଂସା କରିଥିଲେ। ଏଥିରୁ ଅନ୍ୟମାନେ ଶିଖିବା ଉଚିତ୍ ବୋଲି କହିବା ସହ ମହିଳାମାନେ ନିଜ ନିଜ ଦଳରେ ଏ’ ପ୍ରସଙ୍ଗ ଉଠାଇବା ଉଚିତ୍ ବୋଲି ସାଇନା କହିଥିଲେ। ସାଇନା ଟ୍ୱିଟ୍ କରିଥିଲେ, ସବୁ ରାଜନୈତିକ ଦଳ ଜାଗ୍ରତ ହେବା ଆବଶ୍ୟକ। ମତଦାନରେ ମହିଳା ମାନଙ୍କର ୫୦% ଭାଗିଦାରୀ ରହିଛି। ଓଡ଼ିଶାରେ ନବୀନ ପଟ୍ଟନାୟକ ୩୩% ମହିଳାଙ୍କୁ ଟିକେଟ ଦେଇଛନ୍ତି। ଯେତେବେଳେ କି ଅନ୍ୟ ସବୁ ଦଳରେ ମହିଳାମାନେ କେବଳ ଲିପ୍ ସର୍ଭିସ୍ (ଭାଷଣ ବାଜି)ରେ ବ୍ୟବହୃତ ହେଉଛନ୍ତି। ସତକଥା, ବାସ୍ତବରେ ଦେଖିବାକୁ ଗଲେ କେତେ ମହିଳାଙ୍କୁ ବା ସୁଯୋଗ ଦିଆଯାଉଛି? ଯେଉଁ କିଛିଙ୍କୁ ବା ସୁଯୋଗ ମିଳୁଛି, ସେମାନଙ୍କୁ ସେମାନଙ୍କ ଦକ୍ଷତା ଆଧାରରେ ସୁଯୋଗ ମିଳୁଛି, ନାଁ କେବଳ ନେପୋଟିଜିମ୍ (ପାରିବାରିକ ରାଜନୀତି), କେଉଁ ନେତାଙ୍କ ଅନୁଗ୍ରହରେ ବା କୌଣସି ଗଡ଼ଫାଦର ଆଧାରରେ ସୁଯୋଗ ମିଳୁଛି, ଏ’ ନେଇ ସେମାନେ ନିଜେ ହିଁ ବିଚାର କରନ୍ତୁ।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.