Home ଓଡ଼ିଶା ୨୦୧୯:କିଏ ହେବ ଓଡ଼ିଶା ବିଜେପିର ଚେହେରା?

୨୦୧୯:କିଏ ହେବ ଓଡ଼ିଶା ବିଜେପିର ଚେହେରା?

1764

★ଛେପ ଢୋକିଲେ ଜୁଏଲ!
★ପ୍ରଭାତୀଙ୍କର ଅଧିକାର ଅଛି,ପ୍ରତାପଙ୍କର ନାହିଁ?

ଭୁବନେଶ୍ୱର;୨୯,ଅକ୍ଟୋବର:କିଏ ହେବ ଓଡ଼ିଶା ବିଜେପିର ଚେହେରା?କାହା ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢ଼ିବ ବିଜେପି?ଓଡ଼ିଶାରେ କିଏ ହେବ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି?ବିଜେପି ରାଜ୍ୟରେ ୨୦୧୯ ନିର୍ବାଚନ କୌଣସି ଚେହେରାକୁ ନେଇ ଲଢ଼ିବ ନାଁ ସଙ୍ଗଠନ ଆଧାରରେ ଲଢ଼ିବ?ଏ ପ୍ରଶ୍ନ ବାରମ୍ବାର ଉଠିଆସୁଛି।

ତେବେ ଏପରି ପ୍ରଶ୍ନ ଭିତରେ ରାଜ୍ୟ ବିଜେପିର ତିନି ଜଣ ପ୍ରମୁଖ ନେତୃତ୍ୱ ଏକ ଘରୋଇ ଟିଭି ଚ୍ୟାନେଲରେ ଏନେଇ ନିଜର ମତ ରଖିଛନ୍ତି।ସବୁଠାରୁ ଆଶ୍ଚର୍ଯ୍ୟ ଜନକ ମତ ରଖିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ।ସେ ସିଧା ସଳଖ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଆମ ନେତା।ଧର୍ମେନ୍ଦ୍ର ହିଁ ଆମ ମୁଖ୍ୟମନ୍ତ୍ରୀ ପାର୍ଥି।ଏହା କ’ଣ ନିଷ୍ପତି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ ମତାମତ।କେନ୍ଦ୍ର ଧର୍ମେନ୍ଦ୍ରଙ୍କୁ ଓଡ଼ିଶା କଥା ବୁଝିବାକୁ ଦାୟିତ୍ୱ ଦେଇଥିବା କଥା ମଧ୍ୟ ଜୁଏଲ କହିସାରିଛନ୍ତି। ଜୁଏଲ ଏକ ପ୍ରକାର ନିଜ ଛେପ ନିଜେ ଢୋକିଛନ୍ତି।କାରଣ ପୂର୍ବରୁ ଧର୍ମେନ୍ଦ୍ର ରାଜ୍ୟ ବିଜେପିର ଚେହେରା କଥା ଉଠିବା ବେଳେ ଜୁଏଲ ହିଁ ଏକ ମାତ୍ର ନେତା ଯିଏ ଏହାକୁ ବିରୋଧ କରୁଥିଲେ।ସେତେବେଳେ ସେ କହୁଥିଲେ ଓଡ଼ିଶାରେ ନେତୃତ୍ୱ ନେଲା ପରି ବା ମୁଖ୍ୟମନ୍ତ୍ରୀ ପାର୍ଥି ପାଇଁ ଏକାଧିକ ଚେହେରା ଅଛନ୍ତି।କିନ୍ତୁ ଏଭିତରେ କୌଣସି କାରଣରୁ ଜୁଏଲ ତାଙ୍କର ମତ ପରିବର୍ତ୍ତନ କରି ଧର୍ମେନ୍ଦ୍ରଙ୍କ ବଶତା ସ୍ୱୀକାର କରି ସାରିଛନ୍ତି।

ଠିକ୍ ସେହିପରି ସେହି ସମାନ ପ୍ଲାଟଫର୍ମରେ ସେହି ସମାନ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା।ପ୍ରଭାତୀ କହିଛନ୍ତି,ଓଡ଼ିଶା ଲୋକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଜାଣି ସାରିଲେଣି।ଦଳ ସ୍ୱୀକାର କରି ସାରିଲାଣି।କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଖୁଲମଖୁଲା ଘୋଷଣା କରି ସାରିଲେଣି।ତେବେ ଏ ସବୁ ସହମତି ଭିତିରେ ଧର୍ମେନ୍ଦ୍ର କ’ଣ ମୁଖ୍ୟମନ୍ତ୍ରୀ ପାର୍ଥି ହେବେ କି?ବୋଲି ପ୍ରଶ୍ନରେ ପୂର୍ବ ଉତ୍ତରକୁ ଟିକେ ବଙ୍କେଇ ପ୍ରଭାତୀ କହିଥିଲେ ଯେ ଲୋକ ଗ୍ରହଣ କରି ସାରିଲେଣି କାର୍ଯ୍ୟକର୍ତ୍ତା,କ୍ୟାଡର ବି ଗ୍ରହଣ କରି ସାରିଲେଣି।ଦଳ ସଂସଦୀୟ ବୋର୍ଡ ଯାହା ନିଷ୍ପତି ନେବ।

ତେବେ ସେହି ସମାନ ପ୍ଲାଟଫର୍ମରେ ସେହି ସମାନ ପ୍ରଶ୍ନର ଭିର୍ଣ୍ଣ ଉତ୍ତର ରଖିଛନ୍ତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ।ପ୍ରତାପ କହିଛନ୍ତି,ଆମ ଦଳରେ ନେତୃତ୍ୱର ଅଭାବ ନାହିଁ।ଦଳରେ ଅନେକ ପାରଦର୍ଶୀ ନେତା ଅଛନ୍ତି।ବିଜୁ ପଟ୍ଟନାୟକଙ୍କର ସମକକ୍ଷ ନୁହେଁ,ତାଙ୍କୁ ଟପିଲା ପରି ନେତା ବାହାରୁଛନ୍ତି।ପ୍ରତାପ କହିଛନ୍ତି ବିଜେପି ଦଳ କୌଣସି ପ୍ରାଇଭେଟ ଲିମିଟେଡ କମ୍ପାନୀ ନୁହେଁ କି,ଏଠି ୱାନ ମ୍ୟାନ ସୋ ଚାଲେନି।ସେ କହିଛନ୍ତି ଆମ ଦଳ କଲେକ୍ଟିଭ ଲିଡରସିପରେ ବିଶ୍ୱାସ କରେ।ଦଳ ଭିତରେ ପ୍ରଖର ନେତୃତ୍ୱ ଅଛନ୍ତି।ଚେହେରା କିଏ ହୋଇପାରେ,ନହୋଇ ବି ପାରେ।ଚେହେରା କାହାକୁ କରାଯାଇ ପାରେ,ଚେହେରା କାହାକୁ କରାନଯାଇ ବି, ପାରେ।ସେ କହିଥିଲେ ଯେ ଏହା ରାଷ୍ଟ୍ରୀୟ ଅଧିକାରୀ ସ୍ଥିର କରିବେ।ମୁଁ କହି ପାରିବିନି।ସେ ବାବଦରେ କହିବାର ଅଧିକାର ମୋର ନାହିଁ।ଏହା ସହ ସେ କହିଥିଲେ ମତେ ଲାଗୁଛି,ସେମିତି କିଛି ସଙ୍କେତ ଆମକୁ ମିଳିନାହିଁ।

ବିଜେଡିର ସଭାପତି ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦୀ ନେତା।କଂଗ୍ରେସରେ ମଧ୍ୟ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ।କିନ୍ତୁ ବିଜେପିରେ?ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା କ’ଣ ଆଯୋଗ୍ୟ?ସେ ତେବେ କ’ଣ ତିନି ପ୍ରମୁଖ ଦଳର ସଭାପତି ମାନଙ୍କ ମଧ୍ୟରେ ସବୁଠାରୁ ଦୁର୍ବଳ ସଭାପତି?ଜୁଏଲ ଧର୍ମେନ୍ଦ୍ରଙ୍କୁ ନେତା ମାନି ସାରିଛନ୍ତି।ପ୍ରଭାତୀ ନିଜେ ମାନିବା ସହ ସାଧାରଣ ଲୋକ,ଦଳ,କାର୍ଯ୍ୟକର୍ତ୍ତା,କ୍ୟାଡର ମାନୁଥିବା କଥା କୁଆଡୁ ଅନୁଭବ କରିପାରିଛନ୍ତି।ଯତେବେଳେ କି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଦଳ କାହାକୁ ଚେହେରା କରିପାରେ,ଚେହେରା କରି ନପାରି ବି ପାରେ।ଏହା ଦଳ,ରାଷ୍ଟ୍ରୀୟ ଅଧିକାରୀ ସ୍ଥିର କରିବେ।ଏ ବାବଦରେ କହିବାର ଅଧିକାର ତାଙ୍କର ନାହିଁ।

ଧର୍ମେନ୍ଦ୍ର ପ୍ରଧାନ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି,ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ଦଳ ଭିତରେ ଏକ ଗୋଷ୍ଠି ପ୍ରଚାର କରୁଛନ୍ତି।ଦେଶର ଅଧିକାଂଶ ରାଜ୍ୟରେ ଏପରିକି ସଙ୍ଗଠନ ସଦୃଢ଼ ଥିବା ସ୍ଥାନରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି ଘୋଷଣା କରିନାହିଁ।ସଙ୍ଗଠନକୁ ଆଧାର କରି ନିର୍ବାଚନ ଜିତିଛି।ବରଂ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିବା ଦିଲ୍ଲୀ ପରି ସ୍ଥାନରେ ନିର୍ବାଚନ ହାରିଛି।ଏପରିକି ହିମାଚଳ ପ୍ରଦେଶ ପରି ସ୍ଥାନରେ ବିଜେପି ଜିତିଛି କିନ୍ତୁ,ଚେହେରା ହାରି ଯାଇଛି।ଏହାକୁ ଦେଖିଲେ ଓଡ଼ିଶାରେ ଯେ ବିଜେପି ସଙ୍ଗଠନ ଅତ୍ୟନ୍ତ ଦୁର୍ବଳ,ତେଣୁ ଏଠି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ନେଇ ସନ୍ଦେହ ରହୁଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.