Home ଓଡ଼ିଶା ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ: କହିଁ ପେ ନିଗାହେଁ, କହିଁ ପେ ନିଶାନା ..

ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ: କହିଁ ପେ ନିଗାହେଁ, କହିଁ ପେ ନିଶାନା ..

135

ଭୁବନେଶ୍ୱର: ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇ ନୂତନ ଭାବରେ ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ଡଃ ଯତୀନ ମହାନ୍ତିଙ୍କୁ ସଭାପତି କରାଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀ ରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଅଭିଯୋଗରେ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରି ପ୍ରକାଶ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ରଶ୍ମୀ ମହାପାତ୍ର ବାସ୍ତବରେ କ’ଣ ସବୁ ଦଳୀୟ ଶୃଙ୍ଖଳା ଭଙ୍ଗ କଲେ ଯେ ଏପରି ଏକ ଅପ୍ରୀତିକର ପରିସ୍ଥିତି ସମୟରେ ତାଙ୍କୁ ପଦବୀରୁ ହଟାଇ ଦିଆଗଲା। ଦାୟିତ୍ୱ ପାଇବା ପରଠାରୁ ହିଁ ରଶ୍ମୀ ମହାପାତ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରି କାମ କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ପ୍ରଥମେ ଜିଲ୍ଲା ସଭାପତି ଗୁଡ଼ିକର ଚୟନ ହେବାପରେ ଏବଂ ଏହାପରେ ରାଜ୍ୟ ସଭାପତି ନିଯୁକ୍ତିର ପ୍ରାୟ ୯ ମାସ ବିତି ଯାଇଥିଲେ ସୂଧା ଏ’ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଟିମ୍ ଗଠନ ହୋଇପାରି ନାହିଁ। କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ ଏହାର ବ୍ୟତିକ୍ରମ ଘଟି ଜିଲ୍ଲା ଟିମ୍ ଗଠନ ହୋଇସାରିଛି। ଏହାକୁ ଏକ ତ୍ରୁଟି ବୋଲି କୁହାଯାଉଛି। ରାଜ୍ୟର ଅନୁମୋଦନ ବିନା ରଶ୍ମୀ ମହାପାତ୍ର ଜିଲ୍ଲା ଟିମ୍ ଘୋଷଣା କରିବାକୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା କହି ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଥିଲା। ଏହା ବ୍ୟତୀତ ରଶ୍ମୀ ମହାପାତ୍ର ବିଜେପି ଜିଲ୍ଲା ସଭାପତି ଭାବରେ ନୁହେଁ, ସତେ ଯେପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଭଳି କାମ କରନ୍ତି ବୋଲି ଅଭିଯୋଗ ହୁଏ। ବିଜେପି କାମ ଅପେକ୍ଷା ଅପରାଜିତାଙ୍କ ମହିଳା ସଙ୍ଗଠନ “ଅଜିତା” ଏବଂ ଯୁବା ସଙ୍ଗଠନ “ୟୁଥ୍ ଫର୍ ଆକ୍ସନ୍” କାମରେ ରଶ୍ମୀ ମହାପାତ୍ରଙ୍କୁ ଅଧିକ ଦେଖାଯାଏ। ସେହିପରି ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ସଭାପତି ହୋଇ ସେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକ୍ରମ ଗୁଡ଼ିକରେ ଅନାଧିକାର ପ୍ରବେଶ କରିବା ନେଇ ମଧ୍ୟ ଅଭିଯୋଗ ହୁଏ। ଏପରି ବି ଜିଲ୍ଲାରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହିତ ସୁସମ୍ପର୍କରେ ନରହି କେବଳ ଅପରାଜିତାଙ୍କ ଯୋଜନାରେ ରହି କାମ କରୁଥିବା ନେଇ ଅନେକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନରେ ତାଙ୍କ ପ୍ରତି ଅସନ୍ତୋଷ ରହିଥିଲା। ଏହିସବୁ କାରଣରୁ ହୁଏତ ତାଙ୍କ ଉପରେ ଦଳ ଅତିଷ୍ଠ ହୋଇ ତାଙ୍କୁ ଦାୟିତ୍ବ ମୁକ୍ତ କରିଥାଇ ପାରେ। ଯାହା ହୁଏତ ଯୁକ୍ତିଯୁକ୍ତ ମଧ୍ୟ। ତେବେ ଏଠାରେ କିଛି ପ୍ରଶ୍ନ ଉଠୁଛି ଯେ, ଦଳରେ କ’ଣ କେବଳ ସେହି ଜଣେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି କି, ଦଳୀୟ ଶୃଙ୍ଖଳା ମାନେ କ’ଣ, କିଏ ନିର୍ଦ୍ଧାରଣ କରେ ଏହି ଦଳୀୟ ଶୃଙ୍ଖଳା, ଦଳୀୟ ନିଷ୍ପତ୍ତି ଆଉ ଏ’ ଦଳ ମାନେ କିଏ।

ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ –
ଏବେ ତିର୍ତ୍ତୋଲ ଉପ ନିର୍ବାଚନ କ୍ଷେତ୍ରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ପ୍ରଭାରୀ ସାରଦା ଓରଫ ବୁଲୁ ପ୍ରଧାନଙ୍କୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ଉପ- ନିର୍ବାଚନର ପ୍ରମୂଖ ସ୍ତମ୍ଭ ଭାବରେ ଉପସ୍ଥାପନ କଲେ। ତିର୍ତ୍ତୋଲ ଉପ ନିର୍ବାଚନରେ ସବୁ କିଛି ସେ ବୁଝିଲେ। ସାଙ୍ଗରେ ଥିଲେ ଆଉ ଜଣେ ନେତ୍ରୀ ଯାଜ୍ଞସେନୀ ଜେନା। ଅନେକ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତାଙ୍କୁ କରାଗଲା ଉପେକ୍ଷା। ଦୁର୍ବ୍ୟବହାର ମଧ୍ୟ ପ୍ରଦର୍ଶନ କରାଗଲା। ସତେ ଯେପରି ଏମାନେ ଚାହିଁଲେ ଯେ, ଏମାନଙ୍କ ବ୍ୟତୀତ ସେଠାରେ ଆଉ କାହାର ଅସ୍ତିତ୍ୱ ନରହୁ। ପରିଣାମ ସ୍ୱରୂପ ସେଥିପାଇଁ ବୋଧେ ଅଧିକାଂଶ ନେତାନେତ୍ରୀ ଗଲେନି ତିର୍ତ୍ତୋଲ। ଯିଏ ବି ଗଲା ତା’ର ମନରେ ସେପରି ଆଗ୍ରହ ନଥିଲା। ଜଣେ ଅଧେଙ୍କୁ ଛାଡ଼ିଦେଲେ ମହିଳା ମୋର୍ଚ୍ଚାର ପ୍ରାୟ ପୂରା ଟିମ୍ ଯାଇ ବାଲେଶ୍ୱରରେ ଡେରା ପକାଇଲା। ଏବେ ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେପିର ବିରାଟ ପରାଜୟ ସମସ୍ତେ ଦେଖିବାକୁ ପାଇଲେ। ଏତେବଡ଼ କ୍ଷତି କାହା ଯୋଗୁଁ ହେଲା, ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଏଠାରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ, ନାଁ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ବୋଲି ଗଣାଯିବ। କାରଣ ମନ୍ତ୍ରୀ ପ୍ରଧାନ’ଙ୍କ ପାଇଁ ଏହି ପ୍ରଭାରୀ ପ୍ରଧାନ’ ଅଟନ୍ତି ପ୍ରମୁଖ ସ୍ତମ୍ଭ।

ଦଳ ଭିତରେ ଏପରି ଆହୁରୀ ଅନେକ ଶୃଙ୍ଖଳା ଭଙ୍ଗ କାମ ଚାଲିଛି। ବାସ୍ତବରେ ଦଳ ପାଇଁ କାମ କରିଥିବା, ସାଙ୍ଗଠନିକ ଦକ୍ଷତା ଥିବା କାର୍ଯ୍ୟକର୍ତ୍ତାଙ୍କୁ ଉପେକ୍ଷା କରାଯାଇ ପ୍ରିୟାପ୍ରୀତି ତୋଷଣରେ ଯାହାକୁ ଗୁରୁତ୍ୱ ଦିଆଯାଉଛି, ପଦ ପଦବୀରେ ଅଭିଷେକ କରାଯାଉଛି। କଥା ହେଉଛି ଏଠି ଦଳୀୟ ସମ୍ବିଧାନ ମାନୁଛି ଅବା କିଏ। ଦଳୀୟ ସମ୍ବିଧାନ ଅନୁଯାୟୀ ଜଣେ ୬ ବର୍ଷ ସକ୍ରିୟ ସଦସ୍ୟ ରହିବା ପରେ ଯାଇ ହୋଇପାରିବେ ଜିଲ୍ଲା ସଭାପତି। ଏଠି କିନ୍ତୁ କାଲି ବିଜେଡି ଆଉ କଂଗ୍ରେସରୁ ଆସୁଥିବା ଲୋକ ରାତାରାତି ହୋଇ ଯାଉଛନ୍ତି ଜିଲ୍ଲା ସଭାପତି। ଭୁବନେଶ୍ୱର, କଟକ ସଦର, ଜଗତସିଂହପୁର, ଯାଜପୁର, ଭଦ୍ରକ ନୟାଗଡ଼, ପୁରୀ ଆଦି ଏପରି ଅନେକ ଜିଲ୍ଲାରେ ଅନ୍ୟ ଦଳରୁ ଆସିଥିବା ଲୋକଙ୍କୁ କରାଯାଇଛି ଜିଲ୍ଲା ସଭାପତି। କେବଳ ସେତିକି ନୁହେଁ ଆଜି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ମହାପାତ୍ରଙ୍କ ମନମୁଖୀ କାର୍ଯ୍ୟକୁ ଦଳ ବିରୋଧୀ କାର୍ଯ୍ୟ କୁହାଯାଉଥିବା ବେଳେ ଅତୀତରେ ଯାଜପୁର ଜିଲ୍ଲା ସଭାପତି ଗୌତ୍ତମ ରାୟ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ୍ତ (ଗୁଣ୍ଡା) ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଆଦି ମନ ଇଚ୍ଛା ରାତାରାତି କାହାକୁ ଦଳୀୟ ପଦବୀରୁ ହଟାଇ ଦିଅନ୍ତି ତ’ ରାତାରାତି କାହାକୁ ପଦପଦବୀରେ ଅଭିଷେକ କରାଇ ଦିଅନ୍ତି। ଏପରି ବି ଘଟିଛି, ଦାୟିତ୍ୱରୁ ହଟାଇ ଦିଆଯାଇଥିବା ବ୍ୟକ୍ତି ସକାଳୁ ଉଠି ଖବରକାଗଜ ପଢ଼ି ଜାଣିବାକୁ ପାଇଛି ଯେ ସେ ଆଉ ଦାୟିତ୍ୱରେ ନାହିଁ। ଏହାସବୁ ବିଜେପିର କି ପ୍ରକାର ଦଳୀୟ ଶୃଙ୍ଖଳା ଏବଂ ଦଳୀୟ ନିୟମ ଥିଲା ବୋଲି ପ୍ରଶ୍ନ ଉଠୁଛି। ଦଳୀୟ ଶୃଙ୍ଖଳା କଥା ଉଠିଲେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅତୀତର ଏକ କାର୍ଯ୍ୟ କଥା ମନେ ପଡ଼େ। ଅବଶ୍ୟ ସେ ସେବେ ନଥିଲେ ସଭାପତି। ସେ ଥିଲେ ରାଜ୍ୟ ଉପସଭାପତି। ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୂଖ କଲେଜର ଛାତ୍ର ସଂସଦ ଉତ୍ସବକୁ ମୁଖ୍ୟ ଅତିଥି ହୋଇ ଯାଇଥିଲେ ସମୀର ମହାନ୍ତି। ସାଙ୍ଗରେ ମଧ୍ୟ ଥିଲେ ଡଃ ଲେଖାଶ୍ରୀ ସାମନ୍ତସିଂହାର। ତେବେ କଥା ହେଲା ସେହି ନିର୍ବାଚନ ବିଜେପିର ଆନୁସଙ୍ଗିକ ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ହାରିଯାଇଥିଲା। ଜିତିଥିଲା କଂଗ୍ରେସ ସମର୍ଥିତ ପାର୍ଥି। ସେଠାକୁ ନିମନ୍ତ୍ରିତ ହୋଇ ଯାଇଥିଲେ ବିଜେପି ନେତା, ନେତ୍ରୀ ସମୀର ମହାନ୍ତି ଆଉ ଲେଖାଶ୍ରୀ। ଅପମାନିତ ହୋଇ ଯାଇଥିଲେ ଏବିଭିପି କାର୍ଯ୍ୟକର୍ତ୍ତା। ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ମଧ୍ୟ ଏହା ଖୁବ୍ ବାଧିଥିଲା। କିନ୍ତୁ, ଅଲାଜୁକ ମୁହଁରେ ବାଧ୍ୟବାଧକତାରେ ଦର୍ଶକ ସାଜି, ଯାହାକୁ ବିରୋଧରେ କରି ଲଢ଼ିଥିଲେ ସେମାନଙ୍କ ସହ ନିଜ ନେତୃତ୍ୱଙ୍କ ଏକା ମଞ୍ଚରେ ଭାଷଣ ଶୁଣି ସଙ୍ଗଠନ, ଶୃଙ୍ଖଳା ଆଉ ବିଚାରଧାରା ଆଦି କଥା ଭାବୁଥିଲେ। ମନରେ କୋହ ଥାଇ ଏଣେ ଅନ୍ୟମନସ୍କରେ ତାଳି ମଧ୍ୟ ମାରିଥିଲେ। ଆଉ କାର୍ଯ୍ୟକ୍ରମ ଶେଷରେ ଲେଖାଶ୍ରୀଙ୍କ ସହ କଂଗ୍ରେସ କର୍ମୀ ନେଉଥିବା ସେଲ୍ଫି ଦେଖି ଅବଶୋଷ କରୁଥିଲେ। କହିବ ବା କିଏ, ସମସ୍ତଙ୍କୁ ଜଣାଅଛି ଓଡ଼ିଶା ବିଜେପିରେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ।

କହିଁ ପେ ନିଗହେଁ, କହିଁ ପେ ନିଶାନା –
ଆଉ ଯଦି ଆମେ ଏଠି ଖୋର୍ଦ୍ଧା ଜିଲ୍ଲା ବିତାଡ଼ିତ ସଭାପତି ରଶ୍ମୀ ରଞ୍ଜନ ମହାପାତ୍ରଙ୍କ କଥା କହିବା, କଥା ଏଠି ତାଙ୍କ ଠାରେ ନୁହେଁ। କହିଁ ପେ ନିଗାହେଁ, କହିଁ ପେ ନିଶାନା। ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଦଳ ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏକ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସଭାପତି ସମୀର ମହାନ୍ତି ସିନା କଂଗ୍ରେସକୁ ପଛରେ ପକାଇବା ଏବଂ ବିଜେପି ଦୂତୀୟ ସ୍ଥାନରେ ରହିବା, ବିରୋଧୀ ଦଳ ଭୂମିକାରେ ରହିବାକୁ ନେଇ ଗର୍ବ ଅନୁଭବ କରୁଛନ୍ତି, କିନ୍ତୁ ଏହାକୁ ହଜମ କରିପାରୁ ନାହାଁନ୍ତି ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା। ଧର୍ମେନ୍ଦ୍ର ହଟାଅ, ବିଜେପି ବଞ୍ଚାଅ ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ଚାଲିଥିବା ବେଳେ, ଏପରିକି ବିଜେଡିର ବିଜୟର ସମସ୍ତ ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯାଉଛି ବୋଲି କୁହାଯାଉଛି। ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍ ଆକାଉଣ୍ଟ ପୋଷ୍ଟ୍ ଉପରେ ଏପରି ଅନେକ ନେଗେଟିଭ୍ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଆଉ ଯଦି ବିଜେପିର କେହି ନେତୃତ୍ୱ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରି ପୋଷ୍ଟ୍ କଲେ, ସେମାନଙ୍କୁ ମଧ୍ୟ ସେହିପରି ପ୍ରତିକ୍ରିୟା ମିଳୁଥିବା ଦେଖାଯାଉଛି। ଏପରିକି ଧର୍ମେନ୍ଦ୍ରଙ୍କୁ ବିଭୀଷଣ ଏବଂ ଗଦ୍ଦାର ଜୟଚନ୍ଦ୍ର ସହିତ ତୁଳନା କରାଯାଉଛି। ଏହାକୁ ନେଇ ବିଚଳିତ ହୋଇ ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ପ୍ରତି ରହିଥିବା ଏତେ ଅସନ୍ତୋଷ କଥା କେନ୍ଦ୍ରରେ ଯାଇ ପହଞ୍ଚିଲେ କଥା ସରିଯିବ। ତୃଣମୂଳ ସ୍ତରରୁ ତାଙ୍କ ପ୍ରତି ଏପରି ଅସନ୍ତୋଷର ବହ୍ନି ଜଳୁଥିବା ବେଳେ ଏହାର ସୁଯୋଗ ନେଇ ଅପରାଜିତା ଷଡ଼ଙ୍ଗୀ ଏବଂ ତାଙ୍କ ସମର୍ଥକ ନିଆଁରେ ଘିଅ ଢାଳୁଥିବା କାମ କରୁଛନ୍ତି ବୋଲି ଅଭିଯୋଗ ଉଠୁଛି। ତେଣୁ, ରଶ୍ମି ମହାପାତ୍ରଙ୍କ ଦଳୀୟ ଶୃଙ୍ଖଳା ଭଙ୍ଗ ନେଇ କଥା ଯେତିକି ନୁହେଁ, ଅପରାଜିତାଙ୍କ ପକ୍ଷ ଛେଦନ ଉଦ୍ଦେଶ୍ୟ ଯୋଜନା ଅନୁଯାୟୀ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦବୀରୁ ରଶ୍ମି ମହାପାତ୍ରଙ୍କୁ ବିତାଡ଼ିତ କରାଯାଇଛି ବୋଲି କୁହାଯାଉଛି। କହିଁ ପେ ନିଗାହେଁ, କହିଁ ପେ ନିଶାନା।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.