Home Top News ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ: ମହିଳା ସଶକ୍ତ ହେଲେ ସମାଜ ସଶକ୍ତ...

ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ: ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ- ନବୀନ

46

ଭୁବନେଶ୍ୱର: ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ଵର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ରାଜ୍ୟର ପ୍ରଗତିରେ ମା’ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଅଗ୍ରାଧିକାର ଦେବା ସହିତ ଯେଉଁ ବିଜୁବାବୁ ଦିନେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିଥିଲେ, ତାହାକୁ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ପାର୍ଲାମେଟରେ କିପରି ଲାଗୁ କରାଯିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ପାଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦାବୀ ରଖିଛନ୍ତି। ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ। ମହିଳା ସଶକ୍ତିକରଣ ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପୁଣି ଥରେ ଦୋହରାଇଛନ୍ତି ନବୀନ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମା’ ମାନେ ହେଉଛନ୍ତି ସମାଜ ରଥର ଅଖ। ସେମାନଙ୍କ ବିନା ଏହି ରଥ ଆଗକୁ ବଢ଼ିପାରିବ ନାହିଁ। ୧୯୯୨ରେ ବିଜୁ ବାବୁ ମହିଳା ମାନଙ୍କ ପାଇଁ ପଞ୍ଚାୟତ ଓ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ କରି ଭାରତବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିଲେ। ପଞ୍ଚାୟତ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି। ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି। କିନ୍ତୁ ଜାତୀୟ ଦଳ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ ବଡ଼ ବଡ଼ କଥା କୁହନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି। ଏଭଳି କହି ଜାତୀୟ ଦଳ ଗୁଡ଼ିକ ମହିଳା ମାନଙ୍କୁ ଗୁରୁତ୍ୱ ଦେଉନଥିବା ବାର୍ତ୍ତା ଦେଇଛନ୍ତି ନବୀନ। ଏହାସହ ନବୀନ କହିଛନ୍ତି ଯେ, ବିଜେଡି ଆଞ୍ଚଳିକ ଦଳ ହେଲେ ମଧ୍ୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିବ। ବିଧାନସଭା, ରାଜ୍ୟସଭା ଓ ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳକୁ ମନେ ପକାଇ ଦେବ। ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢ଼େଇ ଜାରି ରଖିବ ବିଜେଡି। ସବୁ ମହିଳାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ସହ ଓ ଗାଁ’ ଗାଁ’ରେ ମହିଳାଙ୍କୁ ସଚେତନ କରାଯିବ। ଏପରିକି ଏହାକୁ ଏକ ଆନ୍ଦୋଳନର ରୂପ ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୁର୍ନୀତିର ମୂଳୋତ୍ପାଟନ କରିଛନ୍ତି, ଯେଉଁଥି ପାଇଁ ଏ’ ଦଳ ଆଗକୁ ଆଗକୁ ବଢ଼ିଚାଲିଛି। ସେ ଭୋକର ଭୂଗୋଳର ଚିତ୍ର ପରିବର୍ତ୍ତନ କରିଛନ୍ତି। ଏବେ ଦଳ ପାଇଁ ପ୍ରତ୍ୟେକ କର୍ମୀ ଅତି କମରେ ୪ରୁ ୫ ଘଣ୍ଟା ସମୟ ଦେବାକୁ ଆହ୍ବାନ ଦେଇଛନ୍ତି। ଏହା ସହ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସରଳ, ନିରାଡ଼ମ୍ବର ଏବଂ ସମାୟାନୁବର୍ତ୍ତି ଜୀବନ ଯାପନକୁ ଅନୁସରଣ କରି କିପରି ଆଗକୁ ବଢ଼ିବା ପାଇଁ ହେବ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରଣବ ପ୍ରକାଶ ଦାସ। ରାଜ୍ୟ ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା ଭାଷା ସାହିତ୍ୟ ନେଇ ଯେଉଁ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ତାହାର ଅସ୍ମିତା ବଞ୍ଚି ରହିବା ପାଇଁ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଲୋକପାତ କରିଥିଲେ।

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ବାର୍ତ୍ତା: “ମା’ ମାନେ ହେଉଛନ୍ତି ସମାଜ ଚକର ଅଖ”


ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ମାନସ ମଙ୍ଗରାଜ, ରଘୁନାଥ ସାହୁ, ବିମ୍ବାଧର କୁଅଁର, ପ୍ରିୟଦର୍ଶୀ ମିଶ୍ର, ରବି ସାମଲ, ସଂଗ୍ରାମ କେଶରୀ ପାଇକରାୟ, ସୁଲତା ଦେଓ, କସ୍ତୁରୀ ମହାପାତ୍ର, ମୀରା ପରିଡ଼ା, ଭାରତୀ ସିଂ , ମହାମାୟା ସାଇଁ, ସୁମିତ୍ରା ଜେନା, ସୁବାଷ ପାତ୍ର, ବିରଞ୍ଚି ନାରାୟଣ ମହାସୂପକାର, ରଣଜିତ ମହାପାତ୍ର, ଅମରେଶ ଜେନା, ଅମରେଶ ପତ୍ରୀ, ଦୁର୍ଗା ସାମନ୍ତରାୟ, ସମରେନ୍ଦ୍ର ସାହୁ, ଅମରଜିତ୍ ସେନାପତି, ସମରେଶ ବେଉରା, ସୁବାଷ ସାହୁଙ୍କ ସମେତ ଭୁବନେଶ୍ବରର ସମସ୍ତ ପୂର୍ବତନ କର୍ପୋରେଟର, ଭୁବନେଶ୍ଵର ଜିଲ୍ଲାର ସମସ୍ତ ସାଙ୍ଗଠନିକ ପଦାଧିକାରୀଙ୍କ ସହିତ ବିଜୁ ବାବୁଙ୍କୁ ଭଲ ପାଉଥିବା ବହୁ ଦଳୀୟ କର୍ମୀ କୋଭିଡ୍ କଟକଣାକୁ ପାଳନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.