Home Top News ବଡ଼ ଷଡ଼ଯନ୍ତ୍ର: ହୋଇପାରେ ଅରୁଣ ସାହୁ କିମ୍ବା ନବୀନ ନିବାସ ଘେରାଉ! ଷଡ଼ଯନ୍ତ୍ର ପଛରେ କିଏ...

ବଡ଼ ଷଡ଼ଯନ୍ତ୍ର: ହୋଇପାରେ ଅରୁଣ ସାହୁ କିମ୍ବା ନବୀନ ନିବାସ ଘେରାଉ! ଷଡ଼ଯନ୍ତ୍ର ପଛରେ କିଏ ?

140

ଭୁବନେଶ୍ୱର: କଥା ପରୀକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ନୁହେଁ। କଥା ଦୋଷୀକୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ବି ନୁହେଁ। କଥା ହେଲା “ଜଷ୍ଟିସ୍ ଫର୍ ପରୀ” ଆଳରେ ଭାୟା ଅରୁଣ ସାହୁ, ଟାର୍ଗେଟ୍ ନବୀନ ପଟ୍ଟନାୟକ। ଉଦ୍ଦେଶ୍ୟ ବିଜେଡି ସରକାରକୁ ଭାଙ୍ଗି ନବୀନଙ୍କୁ ହଟାଇ ନିଜେ ଶାସନ ଗାଦିରେ ବସିବା। ଏହିପରି କିଛି ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଛି। ଆଉ ଏ’ ଷଡ଼ଯନ୍ତ୍ର କରିଛନ୍ତି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ବିଜେପିର ଜଣେ ବଡ଼ ନେତା। ଏହି ଷଡ଼ଯନ୍ତ୍ର ପାଇଁ ହେବାକୁ ଯାଉଥିବା କାର୍ଯ୍ୟାନୁଷ୍ଠାନରେ ମୋହରା ସାଜିବେ କିଛି ବିଜେପି ନେତାନେତ୍ରୀ ଆଉ କର୍ମକର୍ତ୍ତା। କିନ୍ତୁ, ଏଠି ବଡ଼ କଥା ହେଲା ଷଡ଼ଯନ୍ତ୍ରରେ ସଂପୃକ୍ତ ବିଜେପି ନେତାଙ୍କୁ ସାଥ୍ ଦେବାରେ ଅଛନ୍ତି ନବୀନଙ୍କ ଖାସ୍ କୁହାଯାଉଥିବା ହେଭିୱେଟ୍ ଲୋକ ଆଉ ତାଙ୍କ ଦଳର କିଛି ମୁଣ୍ଡବିକା ନେତା। ଷଡ଼ଯନ୍ତ୍ର ରଚା ସରିଛି। ପରୀ ଘଟଣାରେ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଏକ ସୁଯୋଗ ସୃଷ୍ଟି କରିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯିବା ପରେ କଥାଟା ଆଉ ଟିକେ ସୁହାଇଛି। ଯୋଜନାବଦ୍ଧ ଭାବରେ ବିଜେଡି ଦଳ ଭିତରେ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି କରାଯାଉଛି। ଷଡ଼ଯନ୍ତ୍ର ଏପରି ଢଙ୍ଗରେ ପ୍ରସ୍ତୁତ ହୋଇଛି ଯେ ଯଦି ତାହା ସଫଳ ହୋଇଯାଏ, ତେବେ ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଯିବ। ଆଉ ଏଥିରେ ବଳି ପଡ଼ିଯିବେ ଉଭୟ ବିଜେଡି ଆଉ ବିଜେପିର ଅନେକ ପ୍ରମୂଖ ନେତୃତ୍ୱ।

ପରୀକୁ ନ୍ୟାୟ ଦେବା ତଥା ଅରୁଣ ସାହୁଙ୍କ ଇସ୍ତଫା ଦାବୀରେ ପ୍ରଥମେ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା କଲା ବିକ୍ଷୋଭ ଶୋଭାଯାତ୍ରା। ଏହାପରେ ପ୍ରତ୍ୟେକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ, ଭୁବନେଶ୍ବରରେ ଏଭିଭିପି ଦ୍ୱାରା ପ୍ରଦର୍ଶନ, ବିଧାୟକ ମାନେ ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବା ଏବଂ ଏହାପରେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଗଲା। ତେବେ, ଏବେ ଯାହା ସୂଚନା ମିଳୁଛି ଷଡ଼ଯନ୍ତ୍ର ସ୍ୱରୂପ ଶୁକ୍ରବାର ଦିନ ମନ୍ତ୍ରୀ ଅରୁଣ ସାହୁ କିମ୍ବା ଯଦି ସମ୍ଭବ ନବୀନ ନିବାସ ହୋଇପାରେ ଘେରାଉ। ବିଜେପି ମହିଳା ମୋର୍ଚ୍ଚା ନାମରେ ଏହି ଘେରାଉ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କେବଳ ଯେ ମହିଳା ମୋର୍ଚ୍ଚା ନୁହେଁ ପୂରା ବିଜେପି ସଙ୍ଗଠନ ସେଥିରେ ସାମିଲ ହେବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ କରି ଭୁବନେଶ୍ୱର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରୁ କିପରି ଅଧିକ ସଂଖ୍ୟାରେ ଉପସ୍ଥିତ ରହିବେ ନେଇ ଧ୍ୟାନ ଦିଆଯାଇଛି। ତେବେ, ଏପରି କାର୍ଯ୍ୟକ୍ରମ କରାଯିବା ନେଇ କାର୍ଯ୍ୟକର୍ତ୍ତାଙ୍କୁ ସଂପୂର୍ଣ ସୂଚନା ଦିଆନଯାଇ ସାଧାରଣ ବିରୋଧ ପ୍ରଦର୍ଶନ କରାଯିବା ଢଙ୍ଗରେ ଡକାଯାଇ ପ୍ରଦର୍ଶନକୁ ହଠାତ୍ ଉଗ୍ର କରାଇ ଦିଆଯିବାର ସମ୍ଭାବନା ରହିଛି। ୨୦୦୧ ମସିହାରେ ଭିଏଚପି, ବଜରଙ୍ଗ ଦଳ ଏବଂ ଦୁର୍ଗା ବାହିନୀ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଆନ୍ଦୋଳନ ଯେପରି ହଠାତ୍ ହିଂସାତ୍ମକ ହୋଇ ଉଠିଥିଲା ଏଠି ମଧ୍ୟ ହୁଏତ ସେପରି କିଛି ଘଟିଯାଇ ପାରେ। ପ୍ରଥମରୁ ଏପରି କରିଦେଲେ କାଳେ ପରୀକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ନୁହେଁ, ରାଜନୀତି କରିବା ଉଦ୍ଦେଶ୍ୟରେ ବିଜେପି ଏପରି କରୁଛି ବୋଲି ସାଧାରଣ ଲୋକଙ୍କ ଭିତରେ ଧାରଣା ସୃଷ୍ଟି ନହେଉ ନେଇ, ପ୍ରଥମରୁ ଏପରି କରାନଯାଇ ଧୀରେ ଧୀରେ ପ୍ରଥମେ ଭୁବନେଶ୍ୱରରେ ପରେ ବିଭିନ୍ନ ଜିଲ୍ଲା ସ୍ତରରେ ଏବଂ ଏହାପରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବା ଆଦି ବିଭିନ୍ନ ସ୍ତର ଦେଇ ଲୋକଙ୍କ ଆସ୍ଥା ଭାଜନ ହୋଇ, ଶେଷ ମୁହୂର୍ତ୍ତରେ ଏପରି ବଡ଼ ଧରଣର ଏକ ଅଘଟଣ କରାଯିବାର ଉଦ୍ଦେଶ୍ୟ ରହିଛି। ତେବେ ପରିସ୍ଥିତିକୁ ଦେଖି, ପରିସ୍ଥିତି କେତେ ସୁହାଉଛି ଏବଂ ପରିସ୍ଥିତି କେତେ ଅନୁକୂଳ ରହୁଛି ସେହି ଅନୁଯାୟୀ ଅରୁଣ ସାହୁଙ୍କ ବାସଭବନ କିମ୍ବା ନବୀନ ନିବାସ ଘେରାଉ କରାଯିବା ସହ ଶେଷ ମୁହୂର୍ତ୍ତରେ କିଛି ଘଟଣା ଘଟାଇବାର ମଧ୍ୟ ଯୋଜନା ରହିଛି।

ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ବିଜେପିର ସେହି ତୁଙ୍ଗ ନେତା ଏବେ ଟିକେ ଅସ୍ଥିର ଏବଂ ଅଧିକ ବ୍ୟାକୁଳ ହୋଇ ପଡ଼ିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକପ୍ରିୟତା ବୃଦ୍ଧି ତଥା ତାଙ୍କର ଆକ୍ରାତ୍ମକ କାର୍ଯ୍ୟପନ୍ଥା ଏବଂ ବୈଜୟନ୍ତ ପଣ୍ଡାଙ୍କର ଦଳରେ କେନ୍ଦ୍ରୀୟ ସ୍ତରରେ ପ୍ରଭାବ ବୃଦ୍ଧିକୁ ଦେଖି ନିଜର ଭବିଷ୍ୟତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ହେବାର ଆଶା ନେଇ ବିଚଳିତ ହୋଇ ପଡ଼ିଛନ୍ତି ସଂପୃକ୍ତ ନେତା। ତେଣୁ ଏବେ ଟିକେ ଅସ୍ଥିର ଏବଂ ଅଧିକ ବ୍ୟାକୁଳ ହୋଇ ସୁଯୋଗ ଉଣ୍ଡୁଥିଲେ ସେହି ନେତା। ତେବେ, ପୁରୀ ହାଜତ ମୃତ୍ୟୁ ଘଟଣାରେ କାଳେ ଡାଃ ସମ୍ବିତ ପାତ୍ର ମାଇଲେଜ୍ ନେଇଯିବେ ଭାବି ସେ ଘଟଣା ନେଇ ସେମିତି ଏକ ବଡ଼ ଆନ୍ଦୋଳନ କରାନଯାଇ ନୟାଗଡ଼ ପରୀ ଘଟଣାକୁ ଗୁରୁତ୍ୱ ଦିଆଯାଇଛି। ଏମିତିରେ ନୟାଗଡ଼ ବିଜେପି ଏବେ ସଂପୃକ୍ତ ନେତାଙ୍କ କବ୍ଜାରେ ରହିଛି। କାରଣ ଏଠାରେ ବିଜେପି ମଙ୍ଗ ଧରିଥିବା ପତି-ପତ୍ନୀ ଯୋଡ଼ି ସଂପୃକ୍ତ ନେତାଙ୍କର ଖାସ୍ ଅନୁଗତ। ଏମିତିରେ ଅତୀତର ଏକ ଘଟଣା ସ୍ୱରୂପ ଭିନ୍ନ ଏକ ପ୍ଲାଟଫର୍ମରେ ମନ୍ତ୍ରୀ ଅରୁଣ ସାହୁଙ୍କ ଠାରୁ ପରାଜୟର ଏକ ବହୁ ପୂରୁଣା ତିକ୍ତ ଅନୁଭୂତି ମଧ୍ୟ ରହିଛି ସଂପୃକ୍ତ ନେତାଙ୍କର। ଯାହାର ପ୍ରତିଶୋଧ ନେବାର ହୁଏତ ଏକ ସୁଯୋଗ ଏବେ ମିଳିଯାଇଛି ସେହି ନେତାଙ୍କୁ।
/-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.