Home ଅପରାଧ ଦୁର୍ଗାପୂଜା ଅଭିନନ୍ଦନ ଜଣାଇ ବିବାଦରେ ବନ୍ତ ଥାନା ଅଧିକାରିଣୀ !

ଦୁର୍ଗାପୂଜା ଅଭିନନ୍ଦନ ଜଣାଇ ବିବାଦରେ ବନ୍ତ ଥାନା ଅଧିକାରିଣୀ !

151

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ ଜଣାଇ ବିବାଦ ଘେରକୁ ଆସିଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିକାରିଣୀ ମିନା ବିନ୍ଧାଣୀ। ଏକ ଦୈନିକ ଖବର କାଗଜରେ ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ, ଶୁଭେଚ୍ଛା ଏବଂ ତାଙ୍କ ଫଟୋ ସହ ବନ୍ତ ଥାନା ଅଧିକାରିଣୀ ମୀନା ବିନ୍ଧାଣୀଙ୍କର ଏକ ବିଜ୍ଞାପନ ଛପାଯାଇଛି। ବିଜ୍ଞାପନରେ ଲେଖାଯାଇଛି, ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବନ୍ତ ଥାନା ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଉଛି। ଶାରଦୀୟ ଦୁର୍ଗାପୂଜା ସମସ୍ତଙ୍କ ପାଇଁ ସୁଖଶାନ୍ତିର ପର୍ବ ହେଉ, ଜଗତ୍ ଜନନୀ ମା’ ଦୁର୍ଗାଙ୍କ ପାଖରେ ମୋର ଏତିକି ପ୍ରାର୍ଥନା (ମୀନା ବିନ୍ଧାଣୀ ଥାନା ଅଧିକାରିଣୀ, ବନ୍ତ)।

ଏ’ ସବୁ ଠିକ୍ ଅଛି। କିନ୍ତୁ ଭୁଲ୍ ରହିଗଲା ତାଙ୍କ ବିଜ୍ଞାପନରେ ଭଣ୍ଡାରିପୋଖରୀ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଫଟୋ ରହିଛି। କେବଳ ଏତିକି ନୁହେଁ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ‘ଶଙ୍ଖ’ ଫଟୋ ମଧ୍ୟ ରହିଛି। ଅବଶ୍ୟ ଶଙ୍ଖ ଚିହ୍ନରେ ବିଜୁ ଜନତା ଦଳ (ବିଜେଡି) ଲେଖାଯାଇନି। କିନ୍ତୁ, ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜଣେ ସରକାରୀ ତଥା ପୋଲିସ କର୍ମଚାରୀ ହୋଇ ବିଜେଡିର ଜଣେ ଦଳୀୟ କର୍ମୀ ଭଳି ବିଧାୟକ ଏବଂ ଶଙ୍ଖ ଚିହ୍ନ ଫଟୋ ସହ ବିଜ୍ଞାପନ ଦେଇ ମହିଳା ଥାନା ଅଧିକାରିଣୀ ଜଣଙ୍କ ନିଜକୁ ନିଜେ ବିବାଦ ଘେରକୁ ଟାଣି ଆଣିଛନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭଣ୍ଡାରିପୋଖରୀରୁ ପ୍ରଫୁଲ ସାମଲଙ୍କ ବିରୋଧରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ଭଦ୍ରକ ଜିଲ୍ଲା ପୂର୍ବତନ ବିଜେପି ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ। ସୋସିଆଲ୍ ମାଧ୍ୟମରେ ଏହା ଉପରେ ଆପତ୍ତି ଦର୍ଶାଇ ବଦ୍ରୀ କହିଛନ୍ତି, “ଧୃତରାଷ୍ଟ୍ର ଶାସନ। ବନ୍ତ ଥାନା ଅଧିକରିଣୀ କାହା ପାଇଁ, କେବଳ ବିଜେଡି ପାଇଁ, ନାଁ କେବଳ ବିଜେଡି ବିଧାୟକଙ୍କ ପାଇଁ, ନାଁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ବୋଲି ବଦ୍ରୀ ଧଳ ପ୍ରଶ୍ନ କରିଛନ୍ତି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.