Home ଓଡ଼ିଶା ବାଲେଶ୍ୱର ଜିଲ୍ଲା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୫

ବାଲେଶ୍ୱର ଜିଲ୍ଲା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୫

89

ବାଲେଶ୍ୱର, ୧୫ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ରାଜ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଉଭୟ ସରକାରଙ୍କ ସମେତ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ଗୋଟିଏ ଦିନରେ ୬୧୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା୧୪ ହଜାର ୮୯୮ରେ ପହଞ୍ଚିଛି। ତେବେ ଅଦ୍ୟାବଧି୧୦, ୪୭୬ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୪, ୩୨୧ ଜଣଙ୍କୁ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଅଦ୍ୟାବଧି ୭୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିଭଳି ବାଲେଶ୍ୱରରେ ମଧ୍ୟ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୬୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ଘଟଣାକୁ ନେଇ ସବୁ ମହଲରେ ଆଲୋଡ଼ନ ଦେଖାଯାଇଛି। ତା ମଧ୍ୟରୁ ୧୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଓ ୯ ଜଣ ହୋମ୍ ଆଇସୋଲେସନ ଓ ୪୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ତେବେ ଆଜି ୪୧ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୩୪ ଜଣ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିବା ବେଳେ ବାକି ୭ ଜଣ କେଉଁ ଉତ୍ସରୁ ସଂକ୍ରମିତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଉଦ୍ୟମ ଜାରି ରହିଛି। ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ହାର ବୃଦ୍ଧି ଗୋଷ୍ଠୀ ସଂକ୍ରମଣର ରୂପ ନେବା ନେଇ ଆଶଙ୍କା ଦେଖାଗଲାଣି। ଅନ୍ୟପକ୍ଷରେ ଅଦ୍ୟାବଧି ୪୨୦ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୯୩ ଜଣ କରୋନା ସଂକ୍ରମିତ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସମ୍ପ୍ରତି ବଢ଼ୁଥିବା ସ୍ଥାନୀୟ ସଂକ୍ରମଣ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ସେମାନେ କେଉଁ ଉତ୍ସରୁ ସଂକ୍ରମିତ ହେଲେ ଓ ସେମାନଙ୍କ ସଂସ୍ପର୍ଶରେ କେତେଜଣ ଆସିଛନ୍ତି, ଏକାଧିକ ଟିମ୍ ଏବେ ଟ୍ରେସିଂ କରିବାରେ ଲାଗିଛି। ପୂର୍ବରୁ ଜିଲ୍ଲାର ଦୁଇଜଣ ବିଧାୟକ କେରାନା ସଂକ୍ରମିତ ହୋଇଥିବା ବେଳେ ଆଜି ସହରର ଜନୈକ ଡାକ୍ତର ଦମ୍ପତିଙ୍କଠାରେ କରୋନା ପଜିଟିଭ୍ ଥିବା ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବାଲେଶ୍ୱର ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଏକାଧିକ ଟିମ୍ କୋଭିଡ୍ ନିୟମ ଉଲ୍ଲଂଘନକାରୀ ଦୋକାନୀ ଓ ପାଥୋଲାବ୍‌ଗୁଡ଼ିକରେ ଚଢ଼ଉ ଚାଲିଛି। କୋଭିଡ୍ ନିୟମ ପାଳନ ପାଇଁ ମାଇକରେ ବି ପ୍ରଚାର କରାଯାଉଛି। ତେବେ ସାମ୍ପ୍ରତିକ ସଙ୍ଗୀନ କରୋନା ସ୍ଥିତିରେ ସମସ୍ତେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.