ସାରା ବିଶ୍ୱରେ କରୋନାର ପ୍ରକୋପ ବୃଦ୍ଧି ପାଇଚାଲଛି ଓ ଅନେକ ଲୋକ ଏହା ଦ୍ୱାରା ଅସମୟରେ ମୃତ୍ୟୁ ବରଣ କରୁଛନ୍ତି। ମହାମାରୀର ଟୀକା ବାହାରିବା ପାଇଁ ଆଉ କେତେଦିନ ଯେ ଲାଗିବ ତାହା ମଧ୍ୟ କହିହେବ ନାହିଁ। ଏହିଭଳି ଏକ ଘଡ଼ିସନ୍ଧିଥି ମୂହୂର୍ତ୍ତରେ ସମସ୍ତେ ଭାବୁଛନ୍ତି ଔଷଧୀୟ ଗୁଳ୍ମକୁ ବ୍ୟବହାର କରି କେମିତି ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ। ଆମ ସରକାର ମଧ୍ୟ କେତେଗୁଡ଼ିଏ ଔଷଧୀୟ ଉଦ୍ଭିଦ ଉପରେ ଗବେଷଣା ଚଲାଇଛନ୍ତି। ଏହା ମଧ୍ୟରୁ ଅଶ୍ୱଗନ୍ଧା ଅନ୍ୟତମ। ଏହି କାରଣରୁ ଅଧିକାଂଶ ଲୋକ ଏବେ ବଜାରରେ ମିଳୁଥିବା ଅସ୍ୱଗନ୍ଧା ବଟିକା ବା କ୍ୟାପସୁଲ ବ୍ୟବହାର କରୁଛନ୍ତି।ଏଥିପାଇଁ ଟୀକାର ବିଳମ୍ବରେ ଉଦାସ ନହୋଇ ଆସନ୍ତୁ ଆମେ ଏହି ଅଶ୍ୱଗନ୍ଧାର ଚାଷ ପ୍ରଣାଳୀ ଓ ଆଉ କେତେକ ଉପକାର ବିଷୟରେ ଜାଣିବା। ଅଶ୍ୱଗନ୍ଧାର ବୈଜ୍ଞାନିକ ନାମ ଉଇଥାନିଆ ସୋମନି ଫେରା। ଏହାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ଆଦି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିଲେ ମଧ୍ୟ ମୁଖ୍ୟତଃ ଏହାର ଚେର ବହୁମାତ୍ରାରେ ଉପଯୋଗ ହୋଇଥାଏ।
ଅଶ୍ୱଗନ୍ଧାର ଉପକାରିତା:
୧) ଅଶ୍ୱଗନ୍ଧା ମୂଳ ଚୂର୍ଣ୍ଣ ସହିତ ଘିଅ ଓ ମହୁ ଖାଇଲେ ବାତ ରୋଗ ଭଲ ହୁଏ। ୨) ଅଶ୍ୱଗନ୍ଧା ଚେରର ଚୂର୍ଣ୍ଣ ନିୟମିତ ଦୁଗ୍ଧ ସହ ସେବନ କଲେ ବଳ, ବୀର୍ଯ୍ୟ ବୃଦ୍ଧି ପାଇ ଶରୀରରେ ଶକ୍ତି ସ୍ଫୁର୍ତି ଆସିଥାଏ। ୩) ଏହା ସେବନ କଲେ ଶରୀରର ସଠିକ ବିକାଶ ହେବା ସହିତ ଶରୀର ହୃଷ୍ଟପୃଷ୍ଟ ହୋଇଥାଏ। ୪) ନିୟମିତ ଅଶ୍ୱଗନ୍ଧା ଚେରର ଚୁର୍ଣ୍ଣ ବା କ୍ୱାଥ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ।
ଅଶ୍ୱଗନ୍ଧାର ଚାଷ ପ୍ରଣାଳୀ:
ସିଧାସଳଖ ମଞ୍ଜିବୁଣା:- ଅଶ୍ୱଗନ୍ଧା ମଞ୍ଜି ଦ୍ୱାରା ବଂଶ ବିସ୍ତାର କରେ। ଗୋଟିଏ ବା ଦୁଇଟି ବର୍ଷା ପାଇଲା ପରେ ଜମିକୁ ଭଲ ଭାବରେ ପ୍ରସ୍ତୁତ କରି କେତୋଟି ନିର୍ଦ୍ଦିଷ୍ଟ ଆକାରର ପଟାଳିରେ ବିଭକ୍ତ କରାଯାଏ ଓ ମଞ୍ଜି ଗୁଡ଼ିକୁ ଜୁଲାଇ ମାସର ଦ୍ୱିତୀୟ ସପ୍ତାହରୁ ଅଗଷ୍ଟ ମାସ ମଧ୍ୟରେ ବୁଣାଯାଏ। ଏହି ପଦ୍ଧତିରେ ଗଛ ଲଗାଇବା ପାଇଁ ହେକ୍ଟର ପିଛା ପ୍ରାୟ ୧୦ – ୧୨କି-ଗ୍ରା- ମଞ୍ଜି ଆବଶ୍ୟକ ହୁଏ। ଅଧିକ ବର୍ଷା ହେଉଥିଲେ ମଞ୍ଜିବୁଣା ସେପ୍ଟେମ୍ବର ପର୍ଯ୍ୟନ୍ତ ହୋଇପାରେ।
ନର୍ସରୀ ପ୍ରସ୍ତୁତି:- ମୃତିକାର ଉର୍ବରତା ଓ ମଞ୍ଜିର କିସମ ଅନୁସାରେ ଗଛ ରୁ ଗଛ ଏବଂ ଧାଡ଼ି ରୁ ଧାଡ଼ିର ଦୂରତାକୁ ବ୍ୟବସ୍ଥିତ କରାଯାଏ। ଚାରା ଗୁଡ଼ିକ ପ୍ରତିରୋପଣ ହେବାର ଥିଲେ, ମଞ୍ଜି ଗୁଡ଼ିକୁ ଭଲଭାବରେ ପ୍ରସ୍ତୁତ ହୋଇଥିବା ଉଠାଣିଆ ଚାରା ପଟାଳିରେ ବୁଣାଯାଇଥାଏ। ଜୁଲାଇ- ଅଗଷ୍ଟ ମାସରେ ଚାରା ଗୁଡ଼ିକୁ ଭଲଭାବରେ ପ୍ରସ୍ତୁତ ହୋଇଥିବା ଜମିରେ ୬୦ – ଠ – ୬୦ ସେ ମି ଦୂରତାରେ ରୋପଣ କରିଦିଆଯାଏ।
ଚାରାର ହାର ଓ ପ୍ରାକ ଉପଚାର:- ୧ ହେକଟର ଜମିରେ ପର୍ଯ୍ୟାପ୍ତ ପରିମାଣର ଚାରା ଲଗାଇବା ପାଇଁ ପ୍ରାୟ ୫ କି ଗ୍ରା ମଞ୍ଜି ଆବଶ୍ୟକ ହୁଏ। ଚାରାକିଆରୀରେ ରୋଗ ଦୂର କରିବା ପାଇଁ ମଞ୍ଜି ଗୁଡ଼ିକୁ ବୁଣିବା ପୂର୍ବରୁ କି ଗ୍ରା ପ୍ରତି ୩ ଗ୍ରାମ ଥିରାମ-୪୫ ଦ୍ୱାରା ବିଶୋଧନ କରାଯାଏ।
ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ:- ଜମିର ମାଟିକୁ ଭଲ ଭାବରେ ହଳକରି ଗୁଣ୍ଡକରି ମହୀଦିଆଯାଏ। ଅଶ୍ୱଗନ୍ଧା ଫସଲ ବହୁତ ଖତସାର ଦରକାର କରେ ନାହିଁ। ଏଥିରେ ୨୫କି ଗ୍ରା ଯବକ୍ଷାରଜାନ, ୨୫କି ଗ୍ରା ଫସଫରସ ଓ ୨୦କି ଗ୍ରା ପଟାସ ଦିଆଯିବା ଉଚିତ୍।
ପରିରୋପଣ ଓ ଉପଯୁକ୍ତ ବ୍ୟବଧାନ : ୨୫ ରୁ ୩୫ ଦିନ ପରେ ଚାରାଗଛ ଗୁଡ଼ିକୁ ଧାଡ଼ିରୁ ଧାଡ଼ି ୨୦ – ୨୫ ସେ ମି ଓ ଗଛରୁ ଗଛ ୧୦ – ୧୫ ସେ ମି ବ୍ୟବଧାନରେ ଲଗାଯାଏ। ଅଶ୍ୱଗନ୍ଧାର ବୁଣିବା ବା ଲଗାଇବା କାର୍ଯ୍ୟ ଅଗଷ୍ଟ ରୁ ସେପ୍ଟେମ୍ବର ମାସ ମଧ୍ୟରେ ସମ୍ପାଦିତ ହେବା ଉଚିତ।
ଆନ୍ତଃ ଫସଲର ବ୍ୟବସ୍ଥା:- ଅଶ୍ୱଗନ୍ଧା ଆନ୍ତଃ ଫସଲ ଭାବରେ ନୂଆ କରି ଲଗାଯାଉଥିବା ନଡ଼ିଆ, ଆମ୍ବ, ଶାଗୁଆନ, ପାଇନ୍, ପପଲାର୍, ଆଦି ସହିତ ଲଗାଯାଇପାରେ।
ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ:- ସିଧାସଳଖ ବୁଣା ଯାଇଥିବା ଫସଲରେ ହେକ୍ଟର ପ୍ରତି ଗଛ ସଂଖ୍ୟା ୨୦, ୦୦୦ ରୁ ୨୫, ୦୦୦ ରଖିବା ପାଇଁ ୨୫-୩୦ ଦିନ ମଧ୍ୟରେ ବଛାବଛି କରାଯାଏ। ସଫଳ ଘାସ ନିୟନ୍ତ୍ରଣ ପାଇଁ ୩୦ ଦିନ ବ୍ୟବଧାନରେ ହାତରେ ଘାସ ବଛାବଛି ହୁଏ।
ଜଳସେଚନ:- ପରିରୋପଣ ପରେ ସ୍ୱଳ୍ପ ବର୍ଷା ଚାରାଗଛ ସ୍ଥାପନାକୁ ସୁନିଶ୍ଚିତ କରେ। ନିୟମିତ ବ୍ୟବଧାନରେ ବର୍ଷା ହେଉଥିଲେ ଜଳସେଚନ ଦରକାର ପଡେ ନାହିଁ।
ରୋଗ ଓ ପୋକ ନିୟନ୍ତ୍ରଣ:- ଏଥିରେ ସାଧାରଣତଃ ମଞ୍ଜି ଶଢ଼ିଯିବା, ଛୋଟ ଗଛର ମୂଳ ପଚିଯିବା, ଝାଉଁଳା ରୋଗ ଓ ପତ୍ରପୋଡା ପରି ରୋଗ ଦେଖାଯାଏ। ପତ୍ରଖିଆ ସବୁଜ ପୋକ ଓ କାଣ୍ଡବିନ୍ଧା ପୋକ ଏଥିରେ ଲାଗିଥାନ୍ତି। ଝାଉଁଳା ରୋଗ ଓ ପତ୍ର ରୋଗ ପାଇଁ ଧୂଆଁପତ୍ରକୁ ସିଝାଇ ତାର ପାଣି ସିଂଚନ କରାଯାଏ।
ଫସଲ ପରିପକ୍ୱତା ଓ ଅମଳ:- ଅମଳ ଜାନୁଆରୀ ମାସରୁ ଆରମ୍ଭହୋଇ ମାର୍ଚ ମାସ ପର୍ଯ୍ୟନ୍ତ ଚାଲେ। ଅଶ୍ୱଗନ୍ଧା ଫସଲ ଲଗାଯିବାର ୧୫୦ ରୁ ୧୮୦ ଦିନ ପରେ ଅମଳ ଆରମ୍ଭ ହୁଏ। ପତ୍ରର ଶୁଷ୍କତା ଏବଂ ପୀତ ଲୋହିତ ବର୍ଣ୍ଣର ମଞ୍ଜିରୁ ଫସଲର ପରିପକ୍ୱତା ବିବେଚନା କରାଯାଏ। ସଂପୂର୍ଣ୍ଣ ଗଛଟିକୁ ଉପାଡ଼ି ଆଣି ମୂଳ ସବୁକୁ ଧୋଇ ମାଟି ସଫାକରି ମୂଳରୁ ୧ସେ-ମି- ଉପରକୁ କାଟି ମୂଳ ଗଛ ଅଲଗା କରାଯାଏ। ଏହାପରେ ମୂଳ ଗୁଡ଼ିକୁ ୭ ରୁ ୧୦ସେ ମି ଲମ୍ବରେ ଖଣ୍ଡ ଖଣ୍ଡ କରି ଶୁଖାଯାଏ।
ଅମଳ ପରର ପକ୍ରିୟାକରଣ:- ଅମଳ ହୋଇଥିବା ସମ୍ପୂର୍ଣ୍ଣ ଶୁଷ୍କ କନ୍ଦାଗୁଡ଼ିକୁ ଛୋଟଛୋଟ ଖଣ୍ଡରେ କାଟି ଭଲ ଭାବରେ ପାଣିରେ ଧୋଇ ଛାଇରେ ଶୁଖାଯାଏ ଓ ବିଭିନ୍ନ ଗ୍ରେଡରେ ବିଭକ୍ତ କରାଯାଏ। ଭଲ ଭାବରେ ଶୁଖିଯାଇଥିବା ଖଣ୍ଡଗୁଡିକୁ ଅଖାବସ୍ତାରେ ଭର୍ତିକରି ବାୟୁ ଚଳାଚଳ କରୁଥିବା ଘରଭିତରେ ଥାକକରି ରଖାଯାଏ
ଅମଳ ଓ ଲାଭ:- ଅଶ୍ୱଗନ୍ଧା ଚାଷରୁ ୫ ରୁ ୬ ମାସ ମଧ୍ୟରେ ଏକ ହେକଟରରୁ ପ୍ରାୟ ୫୦୦ ରୁ ୭୦୦ କି ଗ୍ରା ଶୁଷ୍କ କନ୍ଦା ଓ ୩୦ ୪୦ କି ଗ୍ରା ମଞ୍ଜି ମିଳେ। ଏଥିରୁ ଏକ ହେକଟରରୁ ପ୍ରାୟ ୨୫, ୦୦୦ ୦୦ ଟଙ୍କା ଲାଭ ମିଳିଥାଏ।
– ନଳିନୀ କୁମାର ପଣ୍ଡା
ବନ ଗବେଷକ, ସ୍ନାତକତ୍ତୋର, ଓ ୟୁ ଏ ଟି