Home କେନ୍ଦୁଝର ବ୍ରାହ୍ମଣିକଳା ଗ୍ରାମବାସୀଙ୍କ ଦୁଖଃ ବୁଝିବ କିଏ, ରାସ୍ତାରେ ଆଣ୍ଠୁଏ କାଦୁଅରେ ଯାଉଛନ୍ତି

ବ୍ରାହ୍ମଣିକଳା ଗ୍ରାମବାସୀଙ୍କ ଦୁଖଃ ବୁଝିବ କିଏ, ରାସ୍ତାରେ ଆଣ୍ଠୁଏ କାଦୁଅରେ ଯାଉଛନ୍ତି

134

ହାଟଡିହି ୧୮ । ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଥିଲେବି ବାସ୍ତବ କ୍ଷେତ୍ରରେ ଗାଁ ଗଣ୍ଡାର ଲୋକମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନି । ଯିଏ ଅଧିକାରୀ ଓ ନେତା ମାନଙ୍କୁ ଖୁସି କରିପାରିଲା ସେ ଯୋଜନା ଗୁଡିକୁ ତା ପରେ ତାପରେ ହାତେଇ ନେଇ ପାରିଲା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ହାଟଡିହି ବ୍ଲକରେ । ଏହି ବ୍ଲକରେ କେଉଁଠି କଂକ୍ରିଟ ରାସ୍ତା ଉପରେ ପୁଣି କଂକ୍ରିଟ ହେଉଛି ତ ଆଉ କେଉଁଠି ଯେଉଁ ମାଟି ରାସ୍ତାକୁ ସେହି ମାଟି ରାସ୍ତା । ଏପରି ଦେଖିବାକୁ ମିଳିଛି ଶାଳଣିଆଁ ପଞ୍ଚାୟତ ବ୍ରାହ୍ମଣିକଳା ଗ୍ରାମରେ । ଗ୍ରାମରେ ୭ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଗାଁର ମୁଖ୍ୟ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗାଁ ଭିତରକୁ ଯାଇଥିବା ଏହି ମୁଖ୍ୟ ରାସ୍ତାଟି କାଦୁଅରେ ଭରପୁର ହୋଇଯାଇ ଥିବାରୁ ଗାଁ ଲୋକମାନେ ଆଣ୍ଠୁଏ କାଦୁଅରେ ପସି ଯାତାୟତ କରୁଛନ୍ତି । ପଞ୍ଚାୟତର ଅନ୍ୟ ଗାଁ ମାନଙ୍କରେ କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ବ୍ରହ୍ମଣୀକଳା ମୁଖ୍ୟ ରାସ୍ତାଟି ସେହି ମାଟି ରାସ୍ତା ହୋଇ ରହିଅଛି । ସାମାନ୍ୟ ବର୍ଷା ହେଲେ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ଗାଁ ଭିତର ଦେଇ ସାଇକେଲଟିଏ ବି ଯାଇ ପାରୁନି । ଜରୁରୀ କାଳୀନ ସେବା ପାଇଁ ଆମ୍ବୁଲାନସ କି ଦମକଳ ଟିଏ ଗାଁ ଭିତରକୁ ପସିପାରୁନି । ନିଜ ଆଖିରେ ନଦେଖିଲେ ରାସ୍ତାର ଅବସ୍ଥାକୁ କେହି ବିଶ୍ୱାଷ କରିବେନି । ଏନେଇ ଗ୍ରାମବାସୀମାନେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର‌୍ୟ୍ୟନ୍ତ ସବୁଠି ଅଭିଯୋଗ କରିଆସୁଥିଲେବି କୌଣସି ସୁଫଳ ମିଳିପାରିନି । ପଞ୍ଚାୟତର ସିଏଫସି, ଟିଏଫସି ଅନୁଦାନରେ ଅନ୍ୟ ଗାଁ ମାନଙ୍କରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ଗତ ୯ବର୍ଷ ମଧ୍ୟରେ ଏଠାରେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନି । ୨୦୧୭ ମସିହାରେ ଏହି ରାସ୍ତାଟିକୁ ଆର.ଡି ବିଭାଗକୁ ହସ୍ତାନ୍ତର କରିବାପାଇଁ ପଞ୍ଚାୟତ ସମିତି ବୈଠକରେ ଚିଠାପ୍ରସ୍ତାବ ଆଗତ ହୋଇଥିଲେ ବି ତାହା ଆଜି ପର‌୍ୟ୍ୟନ୍ତ କାର‌୍ୟ୍ୟକାରୀ କରାଯାଇ ପାରିଲାନି । ଫଳରେ ଲୋକମାନେ ଗାଁ ଭିତର ରାସ୍ତାରେ ଯିବା ଆସିବା କରିବାରେ ନାନା ସମସ୍ୟା ଭୋଗ କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଓ ହାଟଡିହି ବ୍ଲକର ବିଡିଓ ତୁରନ୍ତ ଏହି ରାସ୍ତା ସମସ୍ୟା ପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହାକୁ ପକ୍କା ସଡକ ରେ ପରିଣତ କରିବାପାଇଁ ଶାଳଣିଆଁ ପଞ୍ଚାୟତର ସମିତିସଭ୍ୟ ସୁକାନ୍ତୀ ବେହେରା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.