Home ଓଡ଼ିଶା ଅସନ୍ତୁଷ୍ଟ ଓ ଗୁଜବ ମାୟାରେ ବିଜେଡ଼ି

ଅସନ୍ତୁଷ୍ଟ ଓ ଗୁଜବ ମାୟାରେ ବିଜେଡ଼ି

292

ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ପଞ୍ଚମଥର ପାଇଁ ଲଗାତାର ଶାସନ କ୍ଷମତାକୁ ଆସିବାପରେ ପ୍ରଥମ ଥର ପାଇଁ ଶାସକ ବିଜେଡ଼ି ଭିତରେ ଦଳୀୟ ଅନ୍ତର୍ଦ୍ୱନ୍ଦର ମାତ୍ରା ଏବେ ଚରମ ସୀମାରେ। ପୂର୍ବ ଚାରି ସରକାରରେ ଯାହାବି ଦଳୀୟ ଅନ୍ତର୍ଦ୍ୱନ୍ଦ ସୃଷ୍ଟି ହେଉଥିଲା ତାକୁ ସମାଧାନ କରିବାରେ ଉଭୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତଥା କଥିତ ତୃତୀୟ ମହଲା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇପାରୁଥିଲେ। ଏବେ କିନ୍ତୁ ପରିସ୍ଥିତି ଭିନ୍ନ ମୋଡ଼ ନେଉଛି। ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ଏବଂ ଅନାମଧେୟ ନେତୃମଣ୍ଡଳୀର ଗୁରୁତ୍ୱକୁ ଏବେ ସହିବା ଅବସ୍ଥାରେ ନାହାଁନ୍ତି ବିଜେଡ଼ିର ଅନେକ ତୁଙ୍ଗ ନେତା। ବିଜେଡ଼ିର ମାତ୍ରାଧିକ ସଭ୍ୟ ଏବେ ଉପେକ୍ଷିତ। ଦଳୀୟ ଗୁରୁତ୍ତ୍ୱ ସହିତ ପ୍ରଶାସନିକ ଗୁରୁତ୍ତ୍ୱ ମଧ୍ୟ ଏମାନଙ୍କୁ ଦିଆଯାଇନାହିଁ। ଏହି ଅସନ୍ତୋଷକୁ ହଜମ କରିବା ଅବସ୍ଥାରେ ନାହାଁନ୍ତି ଏହି ନେତୃବୃନ୍ଦ। ଦଳ ଚାଲୁଛି କିଛି ଆଇଏଏସ୍ ଅଫିସରଙ୍କର ହାତରେ। ତତ୍ ସହିତ କିଛି ମୁଷ୍ଟିମେୟ ନେତା ଶାସନର ଡୋରୀକୁ ନିଜ କବଜାକୁ ନେଇସାରିଛନ୍ତି। ଏହା ତ ହେଲା ବିଜେଡ଼ି ଅସନ୍ତୋଷର ମୁଖ୍ୟ କାରଣ। ଦ୍ୱିତୀୟରେ ଅନେକ ଗୁଜବ ତଥ୍ୟ ଯାହା ବିଜେଡ଼ିର ରାଜନୈତିକ ବଜାରରେ ଘୁରି ବୁଲୁଛି ତାହାକୁ ନେଇ ଏହି ବିଜେଡ଼ି ଅସନ୍ତୁଷ୍ଟ ନେତାଙ୍କର ଅସନ୍ତୋଷକୁ ଦ୍ୱିଗୁଣିତ କରିଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ହେବାକୁ ଯାଉଛନ୍ତି ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଏବଂ ନବୀନ ପଟ୍ଟନାୟକଙ୍କ ପରେ ସେ ଧରିବେ ବିଜେଡ଼ିର ମଙ୍ଗ। ଏହା ହେଉଛି ପ୍ରଥମ ଗୁଜବ। ଦ୍ୱିତୀୟ ଗୁଜବ ହେଉଛି ପ୍ରଣବ ପ୍ରକାଶ ଦାସ ଆଗାମୀ ଦିନରେ ବିଜେଡ଼ିର କାର୍ଯ୍ୟକାରୀ ସଭାପତି ହେବେ ଏବଂ ଦଳର ଅନ୍ୟତମ ଯୁବ ନେତା ଅରୁଣ ସାହୁ ହେବେ ବିଧାୟକ ଦଳର ନେତା। ଏହି ଗୁଜବ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଗୁଜବ ଦଳୀୟ ମହଲରେ ଆଲୋଚନା ହେଉଛି। ମାତ୍ର ଯଦି ବାସ୍ତବତାକୁ ଅନୁଧ୍ୟାନ କରାଯାଏ ତେବେ, ଏହା ହେଉଛି ଏକ ଆଈ ମା’ କାହାଣୀ। ଉଭୟ ପ୍ରଣବ ପ୍ରକାଶ ଦାସ ଏବଂ ଅରୁଣ ସାହୁ ସେଭଳି କୌଣସି ରାଜ୍ୟ ସ୍ତରୀୟ ନେତୃତ୍ୱର ମାନ୍ୟତା ପାଇପାରି ନାହାଁନ୍ତି। ଏକଥା ସତ୍ୟଯେ, ଏହି ଦୁଇ ନେତା ତଥାକଥିତ ପାୱାର କରିଡୋର ବୋଲାଉଥିବା ତୃତୀୟ ମହଲାର ଅତି ଘନିଷ୍ଠ। ମାତ୍ର ଏହି ଦୁଇ ନେତାଙ୍କୁ ନବୀନ ପଟ୍ଟନାୟକଙ୍କର ବିକଳ୍ପ ଭାବରେ ଗଣୁଥିବା ବିଜେଡ଼ି ନେତା ଓ କର୍ମୀ ତାଙ୍କ ନିଜର ଅସୁସ୍ଥ ମାନସିକତାର ପରିଚୟ ଦେଉଛନ୍ତି। ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କର ବିକଳ୍ପ ହିଁ ନାହିଁ। ତାଙ୍କରି ମାଧ୍ୟମରେ ହିଁ ବିଜେଡ଼ି ସାଉଁଟୁଛି ଭୋଟ। ତେଣୁ ପ୍ରଣବ ପ୍ରକାଶ ଦାସ ଓ ଅରୁଣ ସାହୁଙ୍କୁ ନେଇ ଯେଉଁ ଗୁଜବ ବିଜେଡ଼ି ଦଳୀୟ ଶିବିରରେ ଆଲୋଚନା ହେଉଛି ତାହାର କୌଣସି ଯଥାର୍ଥତା ନାହିଁ। ଏହି ଦୁଇ ନେତାଙ୍କର ସେଭଳି କୌଣସି ଅଭିଳାଶ ନାହିଁ କିମ୍ବା ଆଗକୁ ମଧ୍ୟ ରହିବ ନାହିଁ। କାରଣ ସେମାନେ ସେମାନଙ୍କର ନିଜସ୍ୱ ରାଜନୈତିକ ପରିଧି ମଧ୍ୟରେ ସୀମିତ। କୌଣସି ଦୁଃସାହସିକ ପଦକ୍ଷେପ ନେଲେ ମଧ୍ୟ ଓଡ଼ିଶାବାସୀ ରାଜ ରାସ୍ତାକୁ ଓହ୍ଲାଇବେ ଏଥିରେ ସନ୍ଦେହର ଅବକାଶ ନାହିଁ। ଓଡ଼ିଶା ବାସୀଙ୍କର ପ୍ରିୟ ନେତା ନବୀନ ପଟ୍ଟନାୟକ ଥିଲେ ଏବଂ ଜୀବ ଦଶା ମଧ୍ୟରେ ରହିବେ। ଏଥିରେ କୌଣସି ଦ୍ୱିବୋଧ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.