Home ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ ବିଶ୍ୱରେ ଅଗ୍ରଣୀ ସ୍ଥାନ ଦେବା ପାଇଁ ପ୍ରକୃଷ୍ଟ ସମୟ ଉପନୀତ: ମୁକେଶ...

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ ବିଶ୍ୱରେ ଅଗ୍ରଣୀ ସ୍ଥାନ ଦେବା ପାଇଁ ପ୍ରକୃଷ୍ଟ ସମୟ ଉପନୀତ: ମୁକେଶ ଅମ୍ବାନି

109

ନୂଆଦିଲ୍ଲୀ / ଭୁବନେଶ୍ୱର ୬-୧୦ (ଓଡ଼ିଆ ପୁଅ) : ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି। ଡାଟା ବ୍ୟବହାରରେ ଭାରତ ବିଶ୍ୱରେ ଏକନମ୍ବର ସ୍ଥାନ ଦଖଲ କରିଛି। ତାହାସହିତ ଦେଶରେ ଅପ୍‌ଟିକାଲ ଫାଇବର ନେଟୱର୍କ ସମ୍ପ୍ରସାରଣ ଦ୍ରୁତଗତିରେ ଚାଲିଛି। ସମସ୍ତ ନଗର ଓ ସହର ସମେତ ୬ଲକ୍ଷ ଗ୍ରାମ ମଧ୍ୟରୁ ପ୍ରତ୍ୟେକକୁ ଏଥିରେ ସଂଯୁକ୍ତ କରିବା ପ୍ରଚେଷ୍ଟା କରାଯାଉଛି। ଏହାଦ୍ୱାରା ଫିକ୍ସଡ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଶୀର୍ଷ ରାଷ୍ଟ୍ରଗୁଡିକ ମଧ୍ୟରେ ରହିବ। ବିଶ୍ୱସ୍ତରୀୟ ଡାଟା ସେଣ୍ଟର ସ୍ଥାପନ ସହିତ ଭାରତ କଂପ୍ୟୁଟର ଶକ୍ତିରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟ ବ୍ୟାପକ ଡାଟା ସୃଷ୍ଟି କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡାଟାର ଗୋପନୀୟତାକୁ ନିଶ୍ଚିତ କରିବା ଏବଂ ଦେଶର ସମ୍ବଳକୁ ସୁରକ୍ଷିତ ରଖିବା ସକାଶେ ସରକାର ଆଗାମୀ ଦିନରେ ଏକ ଦୃଢ ଡାଟା ନିୟାମକ ବିଧିବ୍ୟବସ୍ଥା ପ୍ରଣୟନ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଆଶା ପ୍ରକାଶ କରିଛନ୍ତି।

ସୋମବାର ସନ୍ଧ୍ୟାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ‘ସାମାଜିକ ସଶକ୍ତିକରଣ ପାଇଁ ଦାୟିତ୍ୱସମ୍ପନ୍ନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆରଏଆଇଏସଇ) ୨୦୨୦ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଉଦବୋଧନ ଦେଇ ଶ୍ରୀ ଅମ୍ବାନି ଡାଟାର ଜାତୀୟକରଣ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ଆଗାମୀ ଦିଗରେ ଭାରତ ଡିଜିଟାଲ ପୁଞ୍ଜିକୁ ନେଇ ଅଧିକରୁ ଅଧିକ ପ୍ରତିଯୋଗିତା କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ ବିକାଶ ନିମନ୍ତେ ବିପୁଳ ଡିଜିଟାଲ ପୁଞ୍ଜିର ଫାଇଦା ଉଠାଇବାକୁ ଭାରତ ପାଖରେ ଅନନ୍ୟ ସୁଯୋଗ ରହିଥିବା ସେ କହିଥିଲେ। ଭାରତୀୟ ଅର୍ଥନୀତି ଓ ନାଗରିକ ସମାଜ ମିଳିତ ଭାବରେ ଦ୍ରୁତ ଗତିରେ ବିପୁଳ ପରିମାଣରେ ଡାଟା ସୃଷ୍ଟି କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିମନ୍ତେ ଡାଟାକୁ କଞ୍ଚାମାଲ ଭାବରେ ବ୍ୟବହାର କରାଯାଇଥାଏ। ଡାଟା ମଧ୍ୟ ଏକ ପ୍ରକାରର ଡିଜିଟାଲ ପୁଞ୍ଜି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ବଳ। ତେଣୁ ଡାଟା ସୁରକ୍ଷା ନିଶ୍ଚିତ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜରୁରୀ ଆବଶ୍ୟକତା ରହିଛି। ଭାରତର ୧୩୦ କୋଟି ଲୋକ ଯେତେବେଳେ ଡିଜିଟାଲ ପଦ୍ଧତିରେ ସଶକ୍ତ ହେବେ ସେତେବେଳେ ସେମାନେ ନୂତନ ଡିଜିଟାଲ ଉଦ୍ୟୋଗ ବ୍ୟାପକ ଭାବେ ସୃଷ୍ଟି କରିବେ ଏବଂ ତାହା ଦ୍ରୁତତର ଅର୍ଥନୈତିକ ଅଭିବୃଦ୍ଧି, ବୃହତ୍ତର ସମୃଦ୍ଧି, ଉଚ୍ଚ ଗୁଣାତ୍ମକ ମାନର ନିଯୁକ୍ତି ସୁଯୋଗ ଏବଂ ଆମ ସମାଜର ସବୁସ୍ତରରେ ଉତ୍ତମ ଜୀବନଧାରଣ ମାନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ ସୂଚନା ଦେଇଥିଲେ। ଅମ୍ବାନି କହିଲେ, ପୃଥିବୀ ପୃଷ୍ଠରେ ଏକ ବୃଦ୍ଧିମାନ ଜୀବନର ଜନ୍ମ ସହିତ ଆଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କେବଳ ତୁଳନା କରାଯାଇପାରିବ। ଆଗାମୀ ଦଶନ୍ଧିଗୁଡିକରେ ମୋଟ ଅଣ-ଜୈବିକ ବୁଦ୍ଧିମତା ସମୁଦାୟ ମାନବ ଜାତିର ବୁଦ୍ଧିକୁ ଟପିଯିବ। କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବେହେଲେ ମଣିଷ ମସ୍ତିଷ୍କର ପ୍ରତିବଦଳ ସ୍ଥାନ ନେଇପାରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଚତୁର୍ଥ ଶିଳ୍ପ ବିପ୍ଳବ ସହିତ ସଂପୃକ୍ତ ଅନ୍ୟାନ୍ୟ ପ୍ରଯୁକ୍ତି ଭାରତ ତଥା ବିଶ୍ୱ ସମ୍ମୁଖରେ ଥିବା ବହୁ ଜଟିଳ ସମସ୍ୟାର ସମାଧାନ ଦିଗରେ ଆମର ସାମର୍ଥ୍ୟକୁ ପରିବ୍ୟାପ୍ତ କରିବ ବୋଲି ସେ ମତ ଦେଇଥିଲେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତାଙ୍କ ଉଦବୋଧନରେ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାରତକୁ ତାହାର ଆକାଂକ୍ଷିତ ଲକ୍ଷ୍ୟ ହାସଲ ଦିଗରେ ସୁରୁଖୁରୁରେ ଅଗ୍ରସର ହେବାରେ ସମର୍ଥ କରାଇବ। ସେଥିମଧ୍ୟରେ ଦେଶକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ରୂପାନ୍ତରଣ କରିବା, ଶିଳ୍ପ ଏବଂ ବ୍ୟବସାୟଗୁଡିକ ‘ଆତ୍ମନିର୍ଭର’ କରିବା ଏବଂ ନୂତନ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳରେ ଭାରତ ଆଧିପତ୍ୟ ବିସ୍ତାର କରିବା, ଭାରତୀୟ କୃଷିକ୍ଷେତ୍ରର ଆଧୁନିକିକରଣ ଏବଂ କୃଷକଙ୍କ ଆୟ ବୃଦ୍ଧି, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଯୋଗାଣ ଆଦି ଅନ୍ତର୍ଭୁକ୍ତ। ସେ କହିଲେ, ଭାରତୀୟ ଶିଳ୍ପ ଏବଂ ଭାରତୀୟ ଯୁବଗୋଷ୍ଠୀ ତଥା ସମୁଦାୟ ରାଷ୍ଟ୍ର ଏକ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛନ୍ତି ଯାହା ଏକ ସୁଦୃଢ, ଚିରସ୍ଥାୟୀ ଏବଂ ସମଭାବାପନ୍ନ ନୂତନ ଭାରତ ଗଠନ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ପ୍ରୋତ୍ସାହିତ କରିବ। ତେଣୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ତଥା ଏହା ଯେଭଳି ପ୍ରତ୍ୟେକ ଭାରତୀୟଙ୍କ କାର୍ଯ୍ୟରେ ଲାଗିପାରିବ, ସେଥିପାଇ ପ୍ରକୃଷ୍ଟ ସମୟ ଉପନୀତ ଏବଂ ସମସ୍ତ ସାଧନ ପ୍ରସ୍ତୁତ ବୋଲି ସେ କହିଥିଲେ।

ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଅନ୍ୟାନ୍ୟ ନେତୃବୃନ୍ଦ, ବରିଷ୍ଠ ଅଧିକାରୀ, ଭାରତୀୟ ଶିଳ୍ପ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.