Home ଅପରାଧ ଏମଏଚଏ ପକ୍ଷରୁ ଜାରୀ ଆଡଭାଇଜରୀକୁ ରାଜ୍ୟ ସରକାର ତ୍ୱରିତ କାର୍ଯ୍ୟରେ ଲଗାଇବା ଉଚିତ୍ – ବିଜେପି...

ଏମଏଚଏ ପକ୍ଷରୁ ଜାରୀ ଆଡଭାଇଜରୀକୁ ରାଜ୍ୟ ସରକାର ତ୍ୱରିତ କାର୍ଯ୍ୟରେ ଲଗାଇବା ଉଚିତ୍ – ବିଜେପି ରାଜ୍ୟ ଉପାଧ୍ୟକ୍ଷା

72

ଭୁବନେଶ୍ୱର: ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କୁ ଅଶାଳୀନ ବ୍ୟବହାର ଭଳି ଅପରାଧରେ ଦେଶରେ ଓଡ଼ିଶା ଏକ ନମ୍ବର ବୋଲି ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ଏବେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଏକ ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତ ପାଟଣାଠାରେ କିଛି ଦୁର୍ବୁତ୍ତ ୨୨ ଦିନ ଧରି ଦୁଷ୍କର୍ମ କରିବା ପରି ଏକ ଦୁଃଖଦ ଘଟଣା ଘଟିଛି। କମିଶନରେଟ୍ ଅଧୀନରେ ଥିବା କଟକ ସହରରେ ୩ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଏକ ନାବାଳିକା ସହ ଦୁଷ୍କର୍ମ ହେଉଥିବା ବେଳେ ପୋଲିସ ଏବଂ ପ୍ରଶାସନ କିପରି ଏ’ ସମ୍ବନ୍ଧରେ କିଛି ଜାଣି ପାରିଲେ ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେବଳ ଏହି ଘଟଣା ନୁହେଁ, ନିକଟରେ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ଘଟଣା, ବୀରମିତ୍ରପୁର ପୋଲିସ ଥାନା ଭିତରେ ଥାନା ଅଧିକାରୀ ଏକ ନାବାଳିକା ଆଦିବାସୀ ଝିଅକୁ ୪ ମାସ ଧରି ଦୁଷ୍କର୍ମ କରିବା ଘଟଣା ସମେତ ଅନେକ ଘଟଣା ବିରୁଦ୍ଧରେ ରାଜ୍ୟ ସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି। ମହିଳାଙ୍କ ସୁରକ୍ଷା ଦିଗରେ କୌଣସି କଠୋର ଆଇନ ରାଜ୍ୟରେ ଲାଗୁ ହୋଇନଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ଏବେ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧିକ ଘଟଣା ଉପରେ କେନ୍ଦ୍ର ସରକାର କଠୋର ମନୋଭାବ ପୋଷଣ କରି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାର ଗୁଡ଼ିଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଯାହା ପରେ ମହିଳା ସୁରକ୍ଷାକୁ ନେଇ ଏକ ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡ଼ିବ। ଦେଶରେ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ କଠୋରତା ଦର୍ଶାଇ ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଣିକି ପୋଲିସର ଅବହେଳା ପାଇଁ ଅଧିକାରୀମାନେ ମଧ୍ୟ ପଦକ୍ଷେପ ନେବେ। ସାଧାରଣତଃ କୌଣସି ଘଟଣା ପରେ ପୀଡ଼ିତାଙ୍କୁ ପୋଲିସ୍ ଷ୍ଟେସନର ଚକର କାଟିବାକୁ ପଡ଼େ। ସେମାନଙ୍କ କଥା ଶୁଣାଯାଏ ନାହିଁ। ଏହା ଉପରେ ଗୃହ ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଫ୍ଆଇଆର୍ ଦାଖଲ କରିବାରେ କୌଣସି ଆପତ୍ତି ହେବା ଉଚିତ୍ ନୁହେଁ। ଗୃହ ମନ୍ତ୍ରଣାଳୟ କହିଛି ଯେ ଏଫଆଇଆର ଦାଖଲ କରିବା ବାଧ୍ୟତାମୂଳକ। ଆଇପିସି ଏବଂ ସିଆରପିସିର ବ୍ୟବସ୍ଥାକୁ ନେଇ ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ଏହି ଆଡ଼ଭାଇଜରି ନିଶ୍ଚିତ ପାଳନ କରିବା କରିବା ଉଚିତ୍। ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ନୂଆ ଆଡଭାଇଜରୀ ଅନୁଯାୟୀ ସନ୍ଦେହଜନକ ଅପରାଧ ମାମଲାରେ, ଏଫ୍ଆଇଆର୍ ଦାଖଲ କରିବା ବାଧ୍ୟତାମୂଳକ। ଯେଉଁଥିରେ ଆଇନରେ ‘ଜିରୋ ଏଫ୍ଆଇଆର୍’ ପ୍ରାବଧାନ ମଧ୍ୟ ରହିଛି (ଯଦି ଅପରାଧ ପୋଲିସ୍ ଷ୍ଟେସନ ସୀମା ବାହାରେ ହୋଇଥାଏ)। ସେହିପରି ଆଇପିସିର ଧାରା ୧୬୬ ଏ (ସି) ଅନୁଯାୟୀ, ଏଫଆଇଆର୍ ରେଜିଷ୍ଟ୍ରେସନ ନକଲେ ଅଧିକାରୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ଅଛି। ସିଆରପିସିର ଧାରା ୧୭୩ ଅନୁଯାୟୀ ଦୁଇ ମାସ ମଧ୍ୟରେ ଦୁଷ୍କର୍ମ ସହ ଜଡ଼ିତ ମାମଲା ଗୁଡ଼ିକର ଯାଞ୍ଚ ଶେଷ କରିବା ଦରକାର। ଏ’ ନେଇ ମାମଲା ଗୁଡ଼ିକର ମନିଟରିଂ ପାଇଁ ଗୃହ ମନ୍ତ୍ରାଳୟ ଏକ ଅନଲାଇନ୍ ପୋର୍ଟାଲ୍ ସୃଷ୍ଟି କରିଛି। ଯାହା ଦ୍ୱାରା ମାମଲା ଗୁଡ଼ିକର ମନିଟରିଂ ହୋଇପାରିବ। ସିଆରପିସିର ଧାରା ୧୬୪- ଏ ଅନୁଯାୟୀ, ଦୁଷ୍କର୍ମ, ଯୌନ ଶୋଷଣ ମାମଲା ଗୁଡ଼ିକର ସୂଚନା ମିଳିବାର ୨୪ ଘଣ୍ଟା ଭିତରେ ଜଣେ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ଦ୍ଵାରା ପୀଡ଼ିତାଙ୍କ ସହମତିରେ ଡାକ୍ତରୀ ପରୀକ୍ଷା କରାଯିବ। ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଧାରା ୩୨ (୧) ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବୟାନ୍ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେବ। ଯୋୖନ ଶୋଷଣ ମାମଲାରେ ଫୋରେନସିକ୍ ପ୍ରମାଣ ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ଫୋରେନ୍ସିଙ୍କ ବିଜ୍ଞାନ ସେବା ନିର୍ଦ୍ଦେଶାଳୟ ଆଡଭାଇଜରି ପ୍ରସ୍ତୁତ କରିଛି। ତାହା ଅନୁସରଣ କରିବାକୁ ପଡ଼ିବ। ସେହିପରି ଯଦି ପୋଲିସ ଏହି ପ୍ରାବଧାନ ପାଳନ ନକରନ୍ତି ତେବେ ନ୍ୟାୟ ମିଳିପାରିବ ନାହିଁ। ଯଦି ଅବହେଳା ସାମ୍ନାକୁ ଆସେ, ତେବେ ଏପରି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରୀ ନୂଆ ଆଡଭାଇଜରୀରେ ପ୍ରବଧାନ ରହିଛି। ତେଣୁ, ଦୁଷ୍କର୍ମ, ଯୌନ ଶୋଷଣ ଆଦି ପରି ନାରୀ ନିର୍ଯ୍ୟାତନା ଘଟଣା ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଆଡଭାଇଜରୀକୁ ରାଜ୍ୟ ସରକାର ତ୍ୱରିତ କାର୍ଯ୍ୟରେ ଲଗାଇବା ଉଚିତ୍ ବୋଲି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା କହିଛନ୍ତି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.