Home Top News ପ୍ରଶାସନିକ ଅଧିକାରୀ ନିର୍ବାଚନୀ ବିଜୟ ଶୁଭେଚ୍ଛା ଜଣାଇବା ଗଣତନ୍ତ୍ର ପ୍ରତି ଉପହାସ: ବିଜେପି

ପ୍ରଶାସନିକ ଅଧିକାରୀ ନିର୍ବାଚନୀ ବିଜୟ ଶୁଭେଚ୍ଛା ଜଣାଇବା ଗଣତନ୍ତ୍ର ପ୍ରତି ଉପହାସ: ବିଜେପି

45

ଭୁବନେଶ୍ୱର: ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବରେ ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡ଼ିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି। ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ ବୋଲି ବିଜେପି ଓଡ଼ିଶା ପକ୍ଷରୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ଓ ଡ଼ିଜିପିଙ୍କ ସମେତ ଓଡ଼ିଶା ପ୍ରଶାସନିକ ସେବା ସଂଘ, ରେଭେନ୍ୟୁ ସର୍ଭିସ, ମେଡ଼ିକାଲ ସର୍ଭିସ ସଂଘ ତଥା ଅନ୍ୟ ସରକାରୀ ଅଧକାରୀ ବିଜେଡ଼ି ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ, ଯାହା ଓଡ଼ିଶା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଅଫିସରମାନେ ସର୍ବେସର୍ବା ହୋଇ କାର୍ଯ୍ୟ କରୁଥିଲେ। ଆଜି ଓଡ଼ିଶାରେ ଠିକ୍ ସେହି ଭଳି ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ଅଫିସରମାନେ ଯଦି ରାଜନୈତିକ ଦଳର ହାତବାରିଶି ହେବେ ତା’ ହେଲେ ରାଜ୍ୟରେ ଅବସ୍ଥା କଣ ହେବ? ଆଜି ଏହା ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୋଲିସ ଡିଜି ହେଉଛନ୍ତି ରାଜ୍ୟ ପୋଲିସର ମୁଖିଆ। ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ ସଂଚାଳନ କରିବା ଏବଂ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଙ୍କର ନୈତିକ ଦାୟିତ୍ୱ। ମାତ୍ର ଏତେ ବଡ଼ ଗୁରୁ ଦାୟିତ୍ୱରେ ରହି ନିଜ ଦାୟିତ୍ୱକୁ ଭୁଲି ବିଜେଡି ସଭାପତିଙ୍କୁ ଖୁସି କରିବା ପାଇଁ ଶୁଭେଚ୍ଛା ଜଣାଇବା ଉଚିତ୍ କି? ପୋଲିସ୍ ଡିଜି ନିଜ କାର୍ଯ୍ୟକୁ ସୁଚାରୁରୂପେ ପାଳନ ନ କରିବା ଭଳି ଅନେକ ଉଦାହରଣ ରହିଛି। ହିଞ୍ଜିଳିରେ ୪ଜଣଙ୍କ ହତ୍ୟା ହେଉ, ଖୋର୍ଦ୍ଧାରେ ବିଧାୟକ ଜନତାଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ହେଉ ଅବା ଭୋଟ୍ ପାଇଁ ବିଜେଡି ଟଙ୍କା ବାଣ୍ଟିବା ହେଉ, ପୋଲିସ ଡିଜି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି ବୋଲି ପୃଥ୍ୱୀରାଜ କହିଛନ୍ତି।ଆପଣମାନେ ଏଭଳି ଗଣତନ୍ତ୍ର ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍। ପ୍ରଶାସନିକ ବିଧିବ୍ୟବସ୍ଥାକୁ ଯଦି ପାଦରେ ଦଳିଚକଟି ଦେବେ ତା’ ହେଲେ ନୂଆପିଢ଼ି କ’ଣ ଶିକ୍ଷାଲାଭ କରିବ? ଯଦି ଏଭଳି କାର୍ଯ୍ୟରୁ ଆପଣମାନେ ନିବୃତ୍ତ ନ ରହିବେ ତା ହେଲେ ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ। ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବିଜେଡିର ସେବା ପାଇଁ ? ଏହି ସବୁ ଘଟଣାରୁ ଲାଗୁଛି ପ୍ରଶାସନିକ ଅଧିକାରୀ ଓ ବିଜେଡ଼ି ମଧ୍ୟରେ ମଧୂଚନ୍ଦ୍ରିକା ରହିଛି। ଯେଉଁ ସନ୍ଦେହ ଆମେ ଦୀର୍ଘ ଦିନରୁ କହି ଆସୁଥିଲୁ, ଆଜି ତାହା ସତରେ ପରିଣତ ହୋଇଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ଅନ୍ୟତମ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମିଡିଆ ସେଲ୍ ପ୍ରମୂଖ ଦିଲ୍ଲୀପ ମଲ୍ଲିକ ଏବଂ ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ପ୍ରମୂଖ ଉପସ୍ଥିତ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.