ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ସିରମ୍ ଇନଷ୍ଟିଚ୍ୟୁଟ୍, କୋଭିଶିଲ୍ଡ ଟିକାର ମୂଲ୍ୟ ହ୍ରାସ କରିଛି। SII ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର୍ଶ ପୁନାୱାଲା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେରମ୍ ଇନଷ୍ଟିଚ୍ୟୁଟ୍ ରାଜ୍ୟଗୁଡ଼ିକୁ ଯୋଗାଇ ଦେବାକୁଥିବା କୋଭିସି୍ଲ୍ଡ ଟିକାର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଛି। ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଏହାର କୋଭିଡ -୧୯ ଟିକା ‘କୋଭିଶିଲ୍ଡ’ର ରାଜ୍ୟ ସରକାରଙ୍କ ପାଇଁ ଡୋଜ ପିଛା ୪୦୦ ଟଙ୍କା ସ୍ଥିର କରିଥିଲା। ବର୍ତ୍ତମାନ ଏହାକୁ ଡୋଜ ପିଛା ୩୦୦ ଟଙ୍କାକୁ ହ୍ରାସ କରାଯାଇଛି। SII ସିଇଓ ଆଦର୍ଶ ପୁନାୱାଲା ନିଜେ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି।
ସେ କହିଛନ୍ତିଯେ, “ମୁଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ରାଜ୍ୟକୁ ଦିଆଯାଇଥିବା ଟିକାର ମୂଲ୍ୟ ୪୦୦ ରୁ ୩୦୦ ଟଙ୍କାକୁ ହ୍ରାସ କରିଛି ଏବଂ ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ରାଜ୍ୟକୁ ହଜାରେ କୋଟି ଟଙ୍କା ସଞ୍ଚୟ ହେବ। ଏହା ଅଧିକ ଟୀକାକରଣ ପାଇଁ ଅନୁମତି ଦେବ ଏବଂ ଅଗଣିତ ଜୀବନ ରକ୍ଷା କରିବ।”
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକା ପ୍ରସ୍ତୁତ କରୁଛି। ‘କୋଭିଶିଲ୍ଡ’ ଘରୋଇ ଡାକ୍ତରଖାନାକୁ ଡୋଜ ପିଛା ୬୦୦ ଟଙ୍କାରେ ଦିଆଯିବ। ବର୍ତ୍ତମାନ ଦେଶରେ ଦୁଇଟି ଆଣ୍ଟି-କରୋନା ଟିକା କୋଭିଶିଲ୍ଡ ଏବଂ ଭରତ ବାୟୋଟେକ୍ ର କୋଭାକ୍ସିନ୍ ଉପଲବ୍ଧ।
ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଏହାର କୋଭିଡ -୧୯ ଟିକା ‘କୋଭାକ୍ସିନ୍’ର ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୬୦୦ ଟଙ୍କା ଏବଂ ଘରୋଇ ଡାକ୍ତରଖାନା ପାଇଁ ଡୋଜ ପିଛା ୧୨୦୦ ଟଙ୍କା ସ୍ଥିର କରିଛି।
କରୋନା ଟିକାର ଅଧିକ ମୂଲ୍ୟ ପାଇଁ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକକୁ ସେମାନଙ୍କ କୋଭିଡ -୧୯ ଟିକା ମୂଲ୍ୟ ହ୍ରାସ କରିବାକୁ କହିଥିଲେ।
ସୂଚନାଯୋଗ୍ୟଯେ, ମେ ୧ ରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବ। ଏଥିପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି।