Home କବିତା ଆରକ୍ଷଣ

ଆରକ୍ଷଣ

237

।।ଆରକ୍ଷଣ।।

✍ ଏଲି ମହାନ୍ତି(ବାରିପଦା)

ତୁ କୋଉ ଭୋକ କଥା କହୁରେ ପକ୍ଷୀ
ଏଠି ଭୋକର ମାନେ ସବୁବେଳେ ଅଲଗା

ପାଂଚ ହଜାର ବର୍ଷ ପୂର୍ବରୁ ତୋ ଆଖିରେ
ଥିଲା ଯେଉଁ ମାଟି ମନସ୍କ ଭୋକ
ତାକୁ ମୁଁ ପୋତିଛି .
ଉଣେଇଶ ଶହ ଚଉବନ ବିସ୍ଥାପନ ଆଇନର ପଞରା ତଳେ

ତୋର ମାଟି ମାଟି ଚିତ୍କାରକୁ
ଦୁଇ ହଜାର ତେର ଭୂ ଅଧିଗ୍ରହଣ ଆଇନରେ ବାନ୍ଧି
ଗୁଡି ଉଡଉଛି ତୋ ଅଣଚାଶ ଭାଗର ନିରୁପଦ୍ରବ ଆକାଶରେ

ତୋତେ ଦୁଇ ହାତରେ ଧରି ଉଡେଇଦବା ଭିତରେ
କୈାଶଳରେ ଓଟାରିନେଇଛି
ତୋ ପ୍ରତିବାଦର ସ୍ୱର ଓ ଅହଂକାର ।

ସେ ସ୍ୱର ଏବେ ଆରକ୍ଷିତର ….?

କେବଳ ତୁ ମନେରଖିବା ପାଇଁ
ଅନୁଚ୍ଛେଦ ସତରରେ ଲେଖିଛି
ତୋର ଆତ୍ମନେପଦୀ ଇତିହାସ

ତୋ ପାଇଁ ବଳାତ୍କାରର ମୂଲ୍ୟବି
ଢେର ଅଧିକରେ ପକ୍ଷୀ !!

ପିଡୀତାର ବି ଜାତି- ଗୋତ୍ର ଥାଏ
ଏତିକି କଣ ତୁ ବୁଝିଥିଲୁ ଏଯାଏ ?

ପ୍ରତିବାଦଟିଏ ଚଂଚୁରେ ନେଇ
ଏଥର ଉଡିବା ଶିଖ
ତୁ ପକ୍ଷୀ
ତୋ ପାଇଁ ଅବାନ୍ତର ଆକାଶର ପ୍ରଶ୍ନ

କେବେ ଆଉ ଜାଣିବୁ,
ପ୍ରତିଟି ସ୍ୱର୍ଣ୍ଣିମ ଧାରାରେ ପାଦ ଥାପି ଥାପି
ଚଢୁଛୁ ଯେଉଁ ପାହାଚ
ତାର ସର୍ବଶେଷ ସିଂହାସନ ପାଇଁ
ତୁ କେବଳ ଗୋଟିଏ କବନ୍ଧ ମାତ୍ର !!

ତୋର କବନ୍ଧ ପାଇଁ ସଂରକ୍ଷିତ ସିଂହାସନ
ପ୍ରତି ଦଶ ବର୍ଷରେ ବଦଳେ ତୋର ପାଦର ଭୂମୀରୂପ
ତୁ ହିଁ ତ ମୋ ସମୟର
ଏକମାତ୍ର ଏକଲବ୍ୟ ।
ମାଟିରେ ଗଢୁଥାଉ ଦ୍ରୋଣ
ମାଟିରେ ଗଢୁଥାଉ ଭୃଣ
ଅନନ୍ତ ଆକାଶର ନିଶ୍ୱାସ ନେଇ
ମୁଁ ବଂଚେଇ ପାରେନା ଛୋଟ ଏକ ଚାରା

ମୁଁ ବାରଂବାର ତୋର ଆରକ୍ଷଣକୁ
କବିତାରେ କରୁଥାଏ ବିନିର୍ମାଣ !

ବି.ଦ୍ର: Act no.44 of 1954( the displaced
person & rehabilitation act)
Right to fair compensation & transparency
in land acquisition Act – 2013
Article 17 – abolish practice of untouchability
in any form

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.