Home ଜିଲ୍ଲା ପରିକ୍ରମା କଲେଜ ଛାତ୍ର ସଂସଦ ନିର୍ବାଚନ ଭୋଟ ପୁନଃ ଗଣତି , ଉପସଭାପତି ଓ ସହ ସାଧାରଣ...

କଲେଜ ଛାତ୍ର ସଂସଦ ନିର୍ବାଚନ ଭୋଟ ପୁନଃ ଗଣତି , ଉପସଭାପତି ଓ ସହ ସାଧାରଣ ସମ୍ପାଦକ ପଦବୀରେ ଏବିଭିପି ବିଜୟୀ

14

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଂଚିନାରାୟଣ ମାଧବ ଅର୍ଜୁନ (ବିଏନଏମଏ) କଲେଜରେ ଛାତ୍ରସଂସଦ ନିର୍ବାଚନର ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇଥିଲା। ମାତ୍ର ଉପ ସଭାପତି ଓ ସହ ସାଧାରଣ ସମ୍ପାଦକ ପଦବୀର ଭୋଟ ପୁନଃ ଗଣତି କରାଯିବାପାଇଁ ଏବିଭିପି ପକ୍ଷରୁ ଆବେଦନ କରାଯାଇଥିଲା। ପରେ ପୋଲିସ ଛାଉଣୀରେ ଦୁଇଟି ପଦବୀର ଭୋଟ ପୁନଃ ଗଣତି କରାଯାଇଥିଲା।ପ୍ରଥମେ ଫଳାଫଳ ଘୋଷଣାପରେ ଉପସଭାପତି ଓ ସହ ସାଧାରଣ ସମ୍ପାଦକ ପଦବୀ ବିସିଜେଡି ହାତକୁ ଯାଇଥିଲା। ପୁନଃ ଭୋଟ ଗଣତି ପରେ ଏହି ଦୁଇ ପଦବୀରେ ଏବିଭିପି ବିଜୟୀ ହୋଇଥିଲା। ଖବରରୁ ଜଣାଯାଇଛି ଯେ ଛାତ୍ରସଂସଦ ନିର୍ବାଚନ ଫଳାଫଳ ଘୋଷିତ ହେବାପରେ ଉପସଭାପତି ଓ ସହସମ୍ପାଦକ ପଦବୀରେ ବିସିଜେଡି ପ୍ରାର୍ଥୀ ଏବଂ ଅବଶିଷ୍ଟ ସମସ୍ତ ପଦବୀରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାଯାଇଥିଲା । ଉପସଭାପତି ପଦବୀରେ ବିସିଜେଡି ପ୍ରାର୍ଥୀ ସୁମନ୍ତ କୁମାର ମଲ୍ଲିକଙ୍କୁ ୫୪୮ ଏବଂ ଏବିଭିପି ପ୍ରାର୍ଥୀ ପୂଜାରାଣୀ ବିଶ୍ୱାଳଙ୍କୁ ୫୪୪ଖଣ୍ଡ ଭୋଟ ମିଳିଥିଲା କ୍ଷ ସେହିପରି ସହ ସମ୍ପାଦକ ପଦବୀରେ ବିସିଜେଡି ପ୍ରାର୍ଥୀ ସତ୍ୟନାରାୟଣ ନାୟକଙ୍କୁ ୫୫୩ ଏବଂ ଏବିଭିପି ପ୍ରାର୍ଥୀ ରୋଜି ମହାନ୍ତିଙ୍କୁ ୫୫୦ ଖଣ୍ଡ ଭୋଟ ମିଳିଥିଲା ଫ ତେବେ ଫଳାଫଳ ଘୋଷିତ ହେବାପରେ ଏହି ୨ପଦବୀରେ ଭୋଟ ପୁନଃଗଣତି ପାଇଁ ଏବିଭିପି ପକ୍ଷରୁ ଦାବି କରାଯାଇଥିଲା । ଏହାକୁ କେନ୍ଦ୍ରକରି କଲେଜ ପରିସରରେ ଉେୠଜନା ପ୍ରକାଶ ପାଇବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଭାବେ ତିହିଡ଼ି ତହସିଲଦାର ସୁଭାଶିଷ ସାହୁ, ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ଜେନା, ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ପୀରହାଟ ଥାନା ଅଧିକାରୀ ରୋଜାଲିନ ବେହେରା ଉପସ୍ଥିତ ଥିବାବେଳେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ। କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ା, ନିର୍ବାଚନ ପରିଚାଳନା ଅଧ୍ୟକ୍ଷ ଅଧ୍ୟାପକ ସରୋଜ କୁମାର ମହାପାତ୍ର ଏବଂ ନିର୍ବାଚନ କମିଟିର ସଦସ୍ୟ ଡ. ଗୋବିନ୍ଦ ଚନ୍ଦ୍ର ବାଗ, ଡ. ରାଜେନ୍ଦ୍ର ଭୁଏ, ଆକାଂକ୍ଷା ଚାନ୍ଦ, ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ସରକାରୀ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀ ଉପରେ ବ୍ୟାପକ ତର୍ଜମା କରିଥିଲେ। ତେବେ ଏହି ଆଲୋଚନା ଓ ପ୍ରକ୍ରିୟା ସମୟରେ ବିସିଜେଡି ପକ୍ଷରୁ କୌଣସି ପ୍ରାର୍ଥୀ କିମ୍ବା ସେମାନଙ୍କ ଏଜେଂଟ ଉପସ୍ଥିତ ରହିନଥିଲେ। ନିର୍ବାଚନ ପରିଚାଳନା ଅଧିନିୟମ ଅନୁଯାୟୀ ଅଧ୍ୟକ୍ଷ ଡାକବାଜି ଯନ୍ତ୍ର ସହାୟତାରେ ଉଭୟପକ୍ଷଙ୍କୁ ଏକ ଜରୁରୀକାଳୀନ ଆଲୋଚନା ବୈଠକରେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ ଓ ଏ ସଂକ୍ରାନ୍ତରେ ନୋଟିସ ବୋର୍ଡରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପରେ ଉପସ୍ଥିତ ଛାତ୍ରୀଛାତ୍ର ପ୍ରତିନିଧି ଓ ଗଣନ ଅଧିକାରୀଙ୍କ ସ୍ୱାକ୍ଷର ସମ୍ବଳିତ ରିଜୋଲ୍ୟୁସନ ପାରିତ ହୋଇ ପୁନଃଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗଣନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଟିକିନିଖି ଭାବେ ବ୍ୟାଲେଟ୍ ପେପର ଯାଞ୍ଚ କରାଯିବା ସହ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ତଥା ସିସିଟିଭି କ୍ୟାମେରାରେ ନଜର ରଖାଯାଇଥିଲା। ପୁନଃଗଣତି ପରେ ଉପସଭାପତି ପଦବୀରେ ପୂର୍ବରୁ ମାତ୍ର ୪ ଖଣ୍ଡ ଭୋଟରେ ବିଜୟୀ ଘୋଷିତ ହୋଇଥିବା ବିସିଜେଡିର ସୁମନ୍ତ କୁମାର ମଲ୍ଲିକଙ୍କୁ ପଛରେ ପକାଇ ଏବିଭିପିର ଅଭିଯୋଗକାରିଣୀ ଉପସଭାପତି ପ୍ରାର୍ଥୀ ପୂଜାରାଣୀ ବିଶ୍ୱାଳ ୨୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ସହ ସମ୍ପାଦକ ପଦବୀରେ ପୂର୍ବରୁ ୩ ଖଣ୍ଡ ଭୋଟରେ ବିଜୟୀ ଘୋଷିତ ହୋଇଥିବା ବିସିଜେଡିର ସତ୍ୟନାରାୟଣ ନାୟକଙ୍କୁ ପରାସ୍ତ କରି ଏବିଭିପିର ଅଭିଯୋଗକାରିଣୀ ସହସମ୍ପାଦକ ପ୍ରାର୍ଥୀ ରୋଜି ମହାନ୍ତି ୧୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ଜଣାଯାଇଛି । ତେବେ ପ୍ରଥମ ଗଣତିରେ ମାତ୍ର ୪ ଓ ୩ ବ୍ୟବଧାନ କିପରି ୨୯ ଓ ୧୫ରେ ପହଂଚିଲା ସେନେଇ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.