ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଥିଲା କୁଆଁସ ଅଂଚଳର ସାର୍ବଜନୀନ କାଂଚନ ଗଣେଶ ଓ ଗଜାନନ ପୂଜା କମିଟି ମେଢର ଭସାଣି ଶୋଭାଯାତ୍ରା। ମାସାଧିକ କାଳ ପୂଜା ପାଉଥିବା ଏହି ଗଣେଶଙ୍କର ଶୋଭାଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ଜିଲା ଓ ରାଜ୍ୟ ବାହାରୁ ବିଭିନ୍ନ ବାଜା ବାଜଣା ଓ ନୃତ୍ୟଗୀତର ଆୟୋଜନ କରାଯାଇଥିଲା। ବିଶେଷକରି ଏହି ଭସାଣିର ମୁଖ୍ୟ ଆକର୍ଷର ଥିଲା ସୁଦୂର ଦିଲୀରୁ ଆସିଥିବା ଡିଜେ। ତେବେ ଏହି ବିଶାଳକାୟ ଡିଜେର ଶବ୍ଦ ପ୍ରଦୂଷଣ ଓ ଟ୍ରାଫିକ୍ ଜାମର ଆଶଙ୍କା କରି ପୁଲିସ୍ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନଥିଲା ଏବଂ ଡିଜେଟିକୁ କୁଆଁସ ବ୍ରିଜ୍ ନିକଟରେ ସିଜ୍ କରାଯାଇଥିଲା। ଏହାକୁ ନେଇ ସଂପୃକ୍ତ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ହଜାର ହଜାର ଗ୍ରାମବାସୀ ଗ୍ରାମର ମୁଖ୍ୟରାସ୍ତାକୁ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଅବରୋଧ ପୂର୍ବକ ନିଆଁ ଜାଳି ରାସ୍ତାରୋକ କରିଥିଲେ। ଯାହାଫଳରେ ସଂପୃକ୍ତ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଓ ପୂଜା କମିଟିର ସଦସ୍ୟମାନେ ରାସ୍ତାର ୨ଟି ସ୍ଥାନରେ ବସିରହିବା ଫଳରେ ଯାନବାହନ ଚଳାଚଳ ୩ ଘଂଟା ଧରି ବାଧାପ୍ରାପ୍ତ ହୋଇଥିଲା। ପରବର୍ତୀ ସମୟରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଖବର ପାଇ ଆନ୍ଦୋଳନ ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପୁଲିସ୍ ପକ୍ଷରୁ ଡିଜେ ବାଜିବା ଉପରେ ଏକ କଟକଣା ଜାରି କରାଯାଇ ୬୦ ଡେସିବିଲ୍ ରୁ ଅଧିକ ଶବ୍ଦ ନକରିବା ସହ ଭାଇବ୍ରେଟର ବ୍ୟବହାର ନକରିବାକୁ ସର୍ତ ରଖିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଏହି ଭସାଣିର ସମୟ ରାତି ୧୧ ଟା ପର୍ଯ୍ୟନ୍ତ ସଂପନ୍ନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଥିବାବେଳେ ତାହା ଭୋର ୪ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ ଭସାଣି ଶୋଭାଯାତ୍ରା ଆନନ୍ଦ ଉଲ୍ଲାସ ସହ ବାହାରିଥିଲା।
Home ଜିଲ୍ଲା ପରିକ୍ରମା ବାବା କାଂଚନ ଗଣେଶ ଭସାଣି ଶୋଭାଯାତ୍ରାର ଡିଜେ ବନ୍ଦକୁ ନେଇ ଗ୍ରାମବାସୀଙ୍କ ୩ ଘଂଟା ରାସ୍ତାରୋକ







