
ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ୟୁନିୟନ ତଥା ଭାରତୀୟ ମଜଦୁର ସଂଘ ପକ୍ଷରୁ ୧୦ଦଫା ଦାବିନେଇ ଆଜି ଜିଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭଦ୍ରକ ଜିଲା ୟୁନିୟନ୍ର ଏକ ବିଶାଳ ଶୋଭାଯାତ୍ରା ଗାନ୍ଧିପଡିଆ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ନାରାବାଜି ପ୍ରଦର୍ଶନ କରିଥିଲେ। ଏହି ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ସରକାରଙ୍କ ତରଫରୁ ୫୫ ବୟସରେ ଅଙ୍ଗନୱାଡି କର୍ମୀଙ୍କ ଶାରୀରିକ ପରୀକ୍ଷା କରାଇ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ତୀବ୍ର ବିରୋଧ କରି ଅଙ୍ଗନୱାଡି କର୍ମୀମାନେ ବୟସସୀମା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସରକାରଙ୍କର ଅଙ୍ଗନୱାଡି କର୍ମଚାରୀମାନଙ୍କ ପ୍ରତି ମାରଣ ନୀତିକୁ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ଦାବି ଗୁଡିକ ପୁନଃ ବିଚାର ନକରାଯାଏ, ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଥିଲେ। ଏମାନଙ୍କର ଅଭିଯୋଗ ହେଲା ୧୯୭୫ ଅକ୍ଟୋବର ୨ ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ୫୨ ବର୍ଷ କାଳ କୌଣସି ଯୋଜନା ଚାଲେ ନାହିଁ। ସ୍କିମ୍ରୁ ବାହାର କରି ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କରଣ କରାଯାଉ, ନଚେତ୍ କର୍ମୀଙ୍କୁ ୩୦ ହଜାର ଟଙ୍କା ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦରମା ଦିଆଯାଉ। ଏହାସହିତ ସାମାଜିକ ସୁରକ୍ଷା ଯଥା ଇଏସଆଇ, ସ୍ପେଶିଆଲ ସିକୁରିଟି, ଇପିଏଫ ପ୍ରଦାନ କରିବା ସହ ସମସ୍ତ ଡିପେନଡାଂଟଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ବାବଦରେ ଖର୍ଚ୍ଚ ଓ ଲିଭିଂ ୱେଜେସ୍ ଦିଆଯିବା ପାଇଁ ଦାବି କରାଯାଇଛି। ଏହାବ୍ୟତୀତ ରିଟାୟର୍ଡ ବେନିଫିଟ୍ ୧୦ ଲକ୍ଷ ଟଙ୍କା ଓ ମାସିକ ୭ ହଜାର ଟଙ୍କା ପେନସନ ପାଇଁ ସଂଘ ପକ୍ଷରୁ ଦାବି କରଯାଇଛି। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପଦୋନ୍ନତି ଦିଆଯିବା ପାଇଁ ଆଦି ଦାବି ରହିଛି। ୨୦୧୮ ମସିହାରୁ ଦରମା ବଢାଯାଇନଥିବାବେଳେ କାମ ଉପରେ କାମ ଲଦି ଦିଆଯାଉଛି, ପୋଷଣ ନାରେ ଶୋଷଣ କରିଚାଲିଛନ୍ତି। ଯଦି ସରକାର ଦାବିଗୁଡିକ ପ୍ରତି ଗୁରୁତ୍ୱ ନଦିଅନ୍ତି, ତେବେ ମହିଳା ଶିଶୁ ବିକାଶ ଯୋଜନା ତଥା ସରକାରଙ୍କ ବହୁମୁଖୀ ଯୋଜନା ଗୁଡିକରେ କାମ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେଥିପାଇଁ ଯଦି ଗର୍ଭବତୀ, ପ୍ରସୂତି, ସାମ୍ ମାମ୍ ଛୁଆ କଷ୍ଟରେ ପଡନ୍ତି, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ୟୁନିୟନର ରାଜ୍ୟ ସଭାନେତ୍ରୀ ତଥା ଭାରତୀୟ ମଜୁଦର ସଂଘର ଉପସଭାନେତ୍ରୀ ସୁମିତା ମହାପାତ୍ର କହିଛନ୍ତି। ଅନୁଷ୍ଠିତ ରାଲି ଓ ବିକ୍ଷୋଭ ପ୍ରଦର୍ଶନରେ ଜିଲା ସଭାପତି ଜୟନ୍ତୀ ଜେନା, ସଂପାଦିକା ଅନ୍ନପୂର୍ଣ୍ଣା ବିଶ୍ୱାଳଙ୍କ ସହ କୋଷାଧ୍ୟକ୍ଷ ସୁଜାତା ଜେନା, ରଂଜିତା ମହାନ୍ତି, ସୋଫିକା ସେରୱତ ନାଜ୍, ମଂଜୁଲତା ବାରିକ, ନକ୍ଷତ୍ରମାଳିନୀ ଧନୀ, ସୁଷମା ମହାପାତ୍ର, ମମତା ପତି, ମଧୁସ୍ମିତା ପତି, ମମତା ସାହୁ, ସଂଗୀତା ବଳ, ସୀମାଦ୍ରି ଦାସ, ପ୍ରତିମା ରାଉତ, ମିନତୀ ମହାପାତ୍ର, ତପସ୍ୱିନୀ ମହାନ୍ତି, ହେମାଙ୍ଗିନୀ ଧଳ ପ୍ରମୁଖ କର୍ମୀମାନେ ଯୋଗଦେଇଥିଲେ। ପରେ ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।







