ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୦୮ ମସିହାରୁ ନିଯୁକ୍ତି ପାଇଥିବା ଆମ ଗାଁ ସାଥୀ (ମେଟ୍) ମାନଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ଦରମା ପ୍ରଦାନ କରିବା ସହିତ ସାମାଜିକ ସୁରକ୍ଷାର ସୁବ୍ୟବସ୍ଥା କରାଯିବା, ବ୍ଲକ୍ କ୍ୟାଡରଭୁକ୍ତ କରିବା, ଦୀର୍ଘଦିନ ଧରି ବକେୟା ଥିବା ସେମି ସ୍କିଲ୍ଡ୍ ପେମେଂଟ ତୁରନ୍ତ ପ୍ରଦାନ କରାଯିବା ଭଳି ଦାବିନେଇ ଆଜି ଭଦ୍ରକ ଜିଲା ଗାଁ ସାଥୀ (ମେଟ୍) ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ୟ ଗାଁ ସାଥୀ (ମେଟ୍) ମଜଦୁର ସଂଘର ସଭାପତି ଭରତ ଚନ୍ଦ୍ର ବାରିକ, ସଂପାଦକ ଅମର କୁମାର ମଲ୍ଲିକଙ୍କ ନେତୃତ୍ୱରେ ପ୍ରଫୁଲ୍ଲ କୁମାର ଦାସ, ରାଜକିଶୋର ନାୟକ, ତ୍ରିଲୋଚନ ରାଉତ, ଗୟାଧର ମହାକୁଡ ପ୍ରମୁଖ ଦେଇଥିବା ସ୍ମାରକପତ୍ର ମୂଳେ ଦୀର୍ଘ ୧୮ ବର୍ଷ ଧରି ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଗାଁ ସାଥୀମାନେ ସରକାରଙ୍କ କାର୍ଯ୍ୟକୁ ସଫଳ ରୂପାୟନ କରିଆସୁଛନ୍ତି। କିନ୍ତୁ ସରକାରୀ ମାନ୍ୟତା ଏବଂ ଦରମା ପାଇଁ ସେମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି ରଖିଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ପୂରଣ ହୋଇପାରିନାହିଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କର ଏହି ଦୁଇଟି ଦାବି ପୂରଣ ପାଇଁ ସରକାର ଦୃଢ ପ୍ରତିଶ୍ରୁତି ଦେବାପରେ ସେମାନଙ୍କ ମଧ୍ୟରେ ନୂତନ ଆଶାର କିରଣ ଉଦୟ ହୋଇଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ତାହା ପୂରଣ କରାଯାଇନାହିଁ। ଏଣୁ ସେମାନେ ଏହି ଦାବିଗୁଡିକ ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।








