Home ଜିଲ୍ଲା ପରିକ୍ରମା ଧାମନଗର-ଦେହୁଡି ଆନନ୍ଦପୁର ରୁଟ୍‌ରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ କେବେ , ଲକ୍ଷ ଲକ୍ଷ ଟଙ୍କାର...

ଧାମନଗର-ଦେହୁଡି ଆନନ୍ଦପୁର ରୁଟ୍‌ରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ କେବେ , ଲକ୍ଷ ଲକ୍ଷ ଟଙ୍କାର ବସଷ୍ଟପ୍ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ, ଆନନ୍ଦପୁର ଲୋକ ବସ୍‌କୁ ଅଟକାଇ ପ୍ରତିବାଦ କଲେ

17

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଗ୍ରାମାଂଚଳର ପରିବହନ ସେବାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଆରମ୍ଭ କରିଥିଲେ। ଧାମନଗର ବ୍ଲକର କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଏହି ସେବା ପ୍ରହସନ ପାଲଟିଛି। ବିଶେଷ କରି ଧାମନଗରରୁ ଦେହୁଡି ଆନନ୍ଦପୁର ପଂଚାୟତକୁ ସଂଯୋଗ କରୁଥିବା ରୁଟ୍ ରେ ବସ୍ ଚଳାଚଳ କରୁନଥିବାରୁ ହଜାର ହଜାର ଜନସାଧାରଣ ସେବାରୁ ବଂଚିତ ହେବା ସହ ସରକାରୀ ଅର୍ଥର ବ୍ୟାପକ ଅପବ୍ୟୟ ଘଟୁଛି।ପ୍ରାରମ୍ଭରେ ଦେହୁଡି ଆନନ୍ଦପୁର ପଂଚାୟତକୁ ବସ୍ ଆସିବାକୁ ତାଲିକା ହୋଇଥିଲା। ରୁଟ୍ ନିର୍ଦ୍ଧାରଣ ମଧ୍ୟ ସରିଥିଲା। ଧାମନଗର ବ୍ଲକ ମୁଖ୍ୟାଳୟରୁ ଗୋଟିଏ ବସ୍ ଦେହୁଡି ଆନନ୍ଦପୁର ଯାଇଥାନ୍ତା। ସେଠାରୁ ସୋହଡ଼ା ପଂଚାୟତର ଷେଣ୍ଢପୁର ହୋଇ ଖଡ଼ିପଦା ଛକ ଦେଇ ଧାମନଗରରେ ପହଂଚିଥାନ୍ତା।ଏଥିଲାଗି ଖଡ଼ିପଦା ପଂଚାୟତ ଅଫିସ ସାମନା ଓ ଦେହୁଡି ଆନନ୍ଦପୁର ପଂଚାୟତର ହାତିଢିଅ ଛକ ଠାରେ ଏକ ବସଷ୍ଟପ୍ ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ ବସଷ୍ଟପ ଲାଗି ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହି ରୁଟ୍‌ରେ ବସ ଗଡ଼ିଲା ନାହିଁ। ଫଳରେ ହାତିଢିଅରେ ନିର୍ମିତ ବସଷ୍ଟପ୍‌ଟି କୌଣସି କାମରେ ନଲାଗି ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ସନ୍ଧ୍ୟା ହେଲେ ଆନନ୍ଦପୁର ଓ ଖଡିପଦା ବସ ଷ୍ଟପ ଠାରେ ଅସାମାଜିକ ଆଡ୍ଡା ହେଉଛି। ଧାମନଗରରୁ ଯାଜପୁରକୁ ସଂଯୋଗ କରୁଥିବା ଦେହୁଡି ଆନନ୍ଦପୁର ହାତୀଢିଅ ଛକ ପ୍ରବେଶ ଦ୍ୱାର। ଏଠାରେ ସପ୍ତାହକୁ ଦୁଇ ଦିନ ହାଟ ବସିବା ସହ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ବସ୍ ସେବା ଅଭାବରୁ ଦେହୁଡି ଆନନ୍ଦପୁର ସମେତ ବାଲିପାଟଣା, ପାହାଡ଼ପୁର, ମାନଲାପୁର ଓ ଉତେଇପୁର ଗ୍ରାମର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହା ଛଡ଼ା ପଡ଼ୋଶୀ ଖଡ଼ିପଦା ପଂଚାୟତର ଗୁରୁତ୍ୱପୂର୍ଣ୍ଣ ଅଂଚଳ ଯଥା ମୁଥାନଗର, ଦକ୍ଷିଣ କୁରୁଆ ଓ ଦକ୍ଷିଣ କାଞ୍ଜିଆପାଳ ଗାଁର ଲୋକେ ମଧ୍ୟ ‘ମୁଖ୍ୟମନ୍ତ୍ରୀ’ ବସ ସେବାରୁ ବଂଚିତ ହେଉଛନ୍ତି। ଖଡ଼ିପଦା ପଂଚାୟତ ଅଫିସ୍ ସାମ୍ନାରେ ନିର୍ମିତ ହୋଇଥିବା ବସଷ୍ଟପ୍‌ଟି ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।ଅସାମାଜିକ ମାନେ ଏହାର ହୋର୍ଡିଂ ଭାଙ୍ଗି ଦେଇଥିବା ବେଳେ ଏବେ ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଖଡ଼ିପଦା ହାଇସ୍କୁଲ ଓ ପଂଚାୟତ ଅଫିସକୁ ଆସୁଥିବା ଛାତ୍ରୀ ଛାତ୍ର ଓ ସାଧାରଣ ଲୋକେ ପରିବହନ ସୁବିଧା ନପାଇ ବହୁ ହଇରାଣ ହେଉଛନ୍ତି।ଧାମନଗରର ଏହି ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ତୁରନ୍ତ ବସ୍ ଚଳାଚଳ କରାଇବା ସହ ନଷ୍ଟ ହେଉଥିବା ସରକାରୀ ଭିତିଭୂମିର ସୁରକ୍ଷା ପାଇଁ ସାଧାରଣରେ ଦାବି ହେଉଛି।ତୁରନ୍ତ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।ଏନେଇ ଓ ଏସ ଆର ଟି ସି ର ଧାମନଗର ବ୍ଲକ ସୁପରଭାଇଜର ସୁମନ ଦେ କୁହନ୍ତି ସରକାର ବସ ଯୋଗାଇ ଦେଲେ ରୁଟ ରେ ଚାଲିବ।ସୂଚନା ଯୋଗ୍ୟ ଯେ ଧାମନଗର ରୁ ସୋହଡା ଭାୟା ଷେଣ୍ଢପୁର ପଂଚାୟତ କୁ ଚାଲିଥିବା ବସ ଟି ର ଡିସପ୍ଲେ ରେ ଆନନ୍ଦପୁର ଲେଖାଥିବା ବେଳେ ବସ୍ ଟି କେଉଁ ଉଦ୍ଦେଶ୍ୟରେ ଆନନ୍ଦପୁର ଯାଉନଥିବାରୁ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ଏ ସଂପର୍କ ରେ ଓ ଏସ ଆର ଟି ସି ର ଭଦ୍ରକ ଜିଲ୍ଲା ମେନେଜର ରକ୍ଷାକର ବାରିକ ଙ୍କୁ ପଚାରିବାରୁ କୁହନ୍ତି ଦେହୁଡି ଆନନ୍ଦପୁର ବସ ଚାଲିବ।ରୁଟ ଚାଟ ପାଇଁ ଆମର ଆଇ ପି ଏସ ଟିମ୍ ଙ୍କୁ କୁହାଯାଇଛି ସେମାନେ ଅପଡେଟ କରିଦେଲେ ଗୋଟିଏ ସପ୍ତାହ ଭିତରେ ଗାଡ଼ି ଚାଲିବ।ପ୍ରକାଶ ଥାଉକି ଏହି ବସ୍ ଆନନ୍ଦପୁର ରୁଟ ରେ ଯାଉ ନଥିବାରୁ ଶୁକ୍ରବାର ଦିନ ଆନନ୍ଦପୁର ଅଂଚଳ ର ଶତାଧିକ ଲୋକ ଉକ୍ତ ବସ କୁ ଅଟକାଇ ଜବରଦସ୍ତ ଆନନ୍ଦପୁର ଯିବାକୁ କହିଥିଲେ ,ବସ ଡ୍ରାଇଭର ରାଜି ନ ହେବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲେ।ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳେ ପହଂଚି ପରିସ୍ଥିତି କୁ ଆୟତ କରିଥିଲେ ବୋଲି ଥାନା ର ଏସ ଆ ଇ ନାରାୟଣ ନାୟକ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.