ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତରେ ନିର୍ମାଣ ହେବ ଜାହାଜ ନିର୍ମାଣ କାରଖାନା। ପ୍ରଥମ ପର୍ଯ୍ୟାୟରେ ୫ଶହ କୋଟି ପୁଞ୍ଜି ନିବେଶରେ ଏହା ଆରମ୍ଭ ହେବାକୁ ଯାଉଥିବାବେଳେ କାର୍ଯ୍ୟ ଆରମ୍ଭର ୩ବର୍ଷ ମଧ୍ୟରେ ଏହା ପୂର୍ଣାଙ୍ଗ ହେବ ବୋଲି ଆକଳନ କରାଯାଉଛି। ଏଥିସହ ୩ବର୍ଷ ମଧ୍ୟରେଏହି ଜାହାଜ ନିର୍ମାଣ କାରଖାନାରେ ୧୪ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ ଏବଂ ୧୫ଶହ ସ୍ଥାନୀୟ ଜନସାଧାରଣଙ୍କୁ ଏହି କାରଖାନାରେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ କର୍ତୁପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଏକ ବୈଷୟିକ ଟିମ ଗତକାଲି ଆସି ଚରଦିଆ ପଂଚାୟତର ରାଜେନ୍ଦ୍ର ପଲ୍ଲୀ ଏବଂ ରାଜ ରାଜେଶ୍ୱର ପଲ୍ଲୀ ବୁଲି ସମସ୍ତ ବିଷୟ ଅନୁଧ୍ୟାନ କରି ଫେରିଛନ୍ତି। ପ୍ରଥମ ଏକ ଶହ ଏକରର ଜାଗା ଆବଶ୍ୟକତା ଅଛି ଏବଂ ପର୍ଯ୍ୟାୟ କ୍ରମେ କାର୍ଯ୍ୟ ଆରମ୍ଭ ପରେ ଏହି କାରଖାନା ପାଇଁ ଆଉ ୧ଶହ ଏକର ଜମିର ଆବଶ୍ୟକତା ମଧ୍ୟ ରହିବ ବୋଲି ଜଣାଯାଇଛି। ଚରଦିଆ ପଂଚାୟତବାସୀ ଏବଂ ଚାନ୍ଦବାଲି ତହସିଲ ସହଯୋଗରେ ସ୍ଥାନୀୟ ଜନ ପ୍ରତିନିଧି ଉପସ୍ଥିତ ରହି ଏହି କାର୍ଯ୍ୟରେ ସଂପୂର୍ଣ ସହଯୋଗ କରିବେ ବୋଲି ବାଣିଜ୍ୟ ବିଭାଗ ଏବଂ କମ୍ପାନୀ କର୍ତୁପକ୍ଷଙ୍କୁ ପୂର୍ଣ ପ୍ରତିଶ୍ରୁତି ଦେଇଛନ୍ତି। ବାଣିଜ୍ୟ ବିଭାଗର ନିର୍ଦେଶକ ପଦ୍ମଲୋଚନ ରାଉଳଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ଆସି ଏହି ଅଂଚଳ ବୁଲି ଦେଖିଥିଲେ। ମୁମ୍ବାଇ ର ନର୍ଦଣ ଏକ୍ସପ୍ରେସ ଇନଫ୍ରାଡେଭଲପୋର (ପ୍ରାଇଭେଟ ଲିମିଟିଡ) କମ୍ପାନୀକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ ସହଯୋଗ ମିଳିଲେ କମ୍ପାନୀ କର୍ତୁପକ୍ଷ ଖୁବଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବେ ବୋଲି ସଂପୃକ୍ତ କମ୍ପାନୀର ଆଂଚଳିକ ନିର୍ଦେଶକ ଅଶୋକ ମଲିକ ଗଣ ମାଧ୍ୟମ ନିକଟରେ ନିଜର ବିବୃତି ରଖିଛନ୍ତି। ଏହି ଜାହାଜ ନିର୍ମାଣ କାରଖାନାରେ ବୃହତ ବାଣିଜ୍ୟି ଜାହାଜ, କୋଷ୍ଟଗାର୍ଡ ପାଇଁ ସଂପୃକ୍ତ କମ୍ପାନୀ ଭେସଲ ମଧ୍ୟ ନିର୍ମାଣ କରୁଥିବାବେଳେ ଚରଦିଆ ପଂଚାୟତ ରାଜେନ୍ଦ୍ର ପଲ୍ଲୀ ଏବଂ ରାଜରାଜେଶ୍ୱର ପଲ୍ଲୀ ଅଂଚଳରେ ଏହି କାରଖାନା ନୂତନ ଭାବେ ସ୍ଥାପନ ହେବ ବୋଲି କମ୍ପାନୀ କର୍ତୁପକ୍ଷ ଖୁବ ଆଶାବାଦୀ ଅଛନ୍ତି। ଏହି ୨ଟି ସ୍ଥାନରେ ସରକାରୀ ଜମି କମ ଥିବାବେଳେ ଚରଦିଆ ପଂଚାୟତବାସୀ ସହଯୋଗର ହାତ ବଢାଇଲେ କମ୍ପାନୀ କର୍ତୁପକ୍ଷଙ୍କୁ ଏହା ମଧ୍ୟ ହସ୍ତାନ୍ତରିତ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଆବଶ୍ୟକ ହେଉଥିବା ଜମିକୁ ରାଜ୍ୟ ସରକାର ଇଡକୋ ମାଧ୍ୟମରେ କିଣିବା ପରେ ସଂପୃକ୍ତ କମ୍ପାନୀ କର୍ତୁପକ୍ଷଙ୍କୁ ଏହା ହସ୍ତାନ୍ତରିତ କରାଯିବ। ଏହିଜମି ଅଧିଗ୍ରହଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି। ନୂତନ ଜାହାଜ ନିର୍ମାଣ ହେବା ସହ ପୁରୁଣା ଜାହାଜ ଗୁଡିକ ମଧ୍ୟ ଭଙ୍ଗାଯାଇ ସ୍କ୍ରାପରେ ପରିଣତ କରାଯିବ। ଆସିଥିବା ବୈଷୟିକ ଟିମରେ ବାଣିଜ୍ୟ ବିଭାଗର ନିର୍ଦେଶକ ପଦ୍ମଲୋଚନ ରାଉଳ, ବାଣିଜ୍ୟ ବିଭାଗର ଅଧୀକ୍ଷଣ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ, ଚରଦିଆ ପଂଚାୟତର ପରିତୋଷ ଜେନା, ସରପଂଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ, ତ୍ପଫୁଲ ନାୟକ, ଚାନ୍ଦବାଲି ଏନଏସି ର ଚନ୍ଦନ ରାଉତ, କମ୍ପାନୀ ପକ୍ଷରୁ ଅଶୋକ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଚରଦିଆ ପଂଚାୟତରେ ୧୪ଶହ କୋଟି ବ୍ୟୟ ବରାଦରେ ନିର୍ମାଣ ହେବ ଜାହାଜ ନିର୍ମାଣ କାରଖାନା, ୩ବର୍ଷରେ...








