Home ଜିଲ୍ଲା ପରିକ୍ରମା ଭଦ୍ରକରେ ଏମଓୟୁ ସ୍ୱାକ୍ଷର : ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତି ପାଇଁ ପଦକ୍ଷେପ, ଓଡିଶା...

ଭଦ୍ରକରେ ଏମଓୟୁ ସ୍ୱାକ୍ଷର : ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତି ପାଇଁ ପଦକ୍ଷେପ, ଓଡିଶା ଦିବସରେ “ବନ୍ଦେ ଉତ୍କଳ ଜନନୀ” ସାମୂହିକ ଗାୟନ କାର୍ଯ୍ୟକ୍ରମ

6

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ମାରକ (ଏମଓୟୁ) ସ୍ୱାକ୍ଷର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ଦିଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଳ , ଜିଲ୍ଲା ଶିକ୍ଷା ଅଧିକାରୀ ଜଗବଂଧୁ ନାୟକ, ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ ରୂପାଲି ମିତ୍ର ଓ ଏମସିଏଲର ଜେନେରାଲ ମ୍ୟାନେଜର ଜ୍ୟୋତିର୍ମୟ ସିନ୍‌ହା ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଏମଓୟୁ ଅନୁଯାୟୀ, ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଓ ୫୦ଟି ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କାମ ୫ କୋଟି ୧୦ ଲକ୍ଷ ୭୯ ହଜାର ୬୫୦ ଟଙ୍କା ବ୍ୟୟରେ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ମନ୍ତ୍ରୀ ସୁରଜ କହିଥିଲେ ଯେ, ରାଜ୍ୟ ସରକାର ଶିକ୍ଷାର ପ୍ରସାର ଓ ଗୁଣତ୍ୱମୂଳକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରୁଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବୃଦ୍ଧି, ପାଠଛାଡ଼ ଶିଶୁମାନଙ୍କୁ ପୁନର୍ବାର ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କୁ ସମନ୍ୱୟ ରଖି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ପଦକ୍ଷେପ ଫଳରେ ଅଂଚଳର ଶିକ୍ଷା ଓ ଶିଶୁ କଳ୍ୟାଣ କ୍ଷେତ୍ରରେ ଲକ୍ଷଣୀୟ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଦିବସ–୨୦୨୬ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ମିଳିତ ଆନୁକୂଳ୍ୟରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ର ସାମୂହିକ ଗାୟନ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖ ସକାଳ ୭ଟା ସମୟରେ ଭଦ୍ରକ ସହରସ୍ଥ ନେହେରୁ ଷ୍ଟାଡିୟମ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ସହ ସାଧାରଣ ଜନସାଧାରଣଙ୍କୁ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍‌ଯାପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିବେଦନ କରିଛନ୍ତି। ଏଥି ସହ ବନ୍ଦେ ଉତ୍କଳ ଜନନୀ” ର ରଚୟିତା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧିତ କରିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରାୟ ୫୦୦୦ରୁ ଅଧିକ ଲୋକ ଏକ ସ୍ଥାନରେ ସମବେତ ହୋଇ ଏକ ସ୍ୱରରେ ରାଜ୍ୟ ସଙ୍ଗୀତ ଗାୟନ କରିବେ, ଯାହା ଓଡିଶାର ସାଂସ୍କୃତିକ ଏକତା, ଭାଷା ପ୍ରେମ ଓ ଗୌରବକୁ ଅଧିକ ସୁଦୃଢ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.