Home ଜିଲ୍ଲା ପରିକ୍ରମା ଗୋଚର ଜମିରେ ହଷ୍ଟେଲ ନିର୍ମାଣ ଅଭିଯୋଗ, ତଦନ୍ତ ଦାବି

ଗୋଚର ଜମିରେ ହଷ୍ଟେଲ ନିର୍ମାଣ ଅଭିଯୋଗ, ତଦନ୍ତ ଦାବି

2

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ୍ ଅଧୀନ ଦେହୁଡି ଆନନ୍ଦପୁର ପଂଚାୟତର କାଶିଆ ଛକ ନିକଟରେ ଥିବା ସରକାରୀ ଗୋଚର ଜମି ଉପରେ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ହଷ୍ଟେଲ କୋଠା ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ସରକାରୀ ଜମି ଉପରେ ଅନଧିକୃତ ନିର୍ମାଣ ହେଉଥିବା ଅଭିଯୋଗ କରିଥିବା ବେଳେ ଘଟଣାର ତଦନ୍ତ ଦାବି କରିଛନ୍ତି। ସୂଚନା ଅନୁସାରେ ଖାତା ନମ୍ବର ୫୯୯ ଓ ପ୍ଲଟ୍ ନମ୍ବର ୧୦୪୮ ରେ ଥିବା ଜମି ସରକାରଙ୍କ ନାମରେ ରେକର୍ଡ ହୋଇଥିବା ସହିତ ଏହା ଗୋଚର ବର୍ଗରେ ରହିଛି। ମୋଟ ୦.୯୭୧୦ ହେକ୍ଟର ( ୨.୪୦ ଏକର) ଅଂଚଳ ଥିବା ଏହି ଜମି ନିୟମ ଅନୁଯାୟୀ ପଶୁ ଚରାଇବା ପାଇଁ ସଂରକ୍ଷିତ ରହିଥାଏ ଏବଂ ସରକାରୀ ଅନୁମତି ବିନା ଅନ୍ୟ କୌଣସି କାମରେ ବ୍ୟବହାର କରିବା ନିଷିଦ୍ଧ। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ଉକ୍ତ ଗୋଚର ଜମି ଉପରେ ବେସରକାରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ହଷ୍ଟେଲ ଘର ନିର୍ମାଣ କାମ ଚାଲିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗୋଚର ଜମି ଗ୍ରାମୀଣ ଅର୍ଥନୀତିର ମୂଳ ଆଧାର ହୋଇଥିବାରୁ ଏହାର ଅନଧିକୃତ ଦଖଳ ହେଲେ ପଶୁପାଳନ ଓ ଚାଷୀମାନଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେବ। ଏହାକୁ ନେଇ ଅଂଚଳରେ ଅସନ୍ତୋଷ ବଢ଼ୁଥିବା ସହିତ କେତେକ ଲୋକ ଗୋଚର ଜମିକୁ ଜୋରଜବରଦସ୍ତି କବଜା କରାଯାଉଥିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି। ଏହି ପରିସ୍ଥିତିରେ ସରକାରୀ ଜମି ବ୍ୟବହାର ସମ୍ପର୍କରେ ପ୍ରଶାସନ ସଠିକ୍ ତଦନ୍ତ କରି ଆଇନୁକ୍ତ ପଦକ୍ଷେପ ନେବାକୁ ସାଧାରଣ ଲୋକେ ଦାବି କରିଛନ୍ତି। ଏନେଇ ଧାମନଗର ତହସିଲଦାର ସାଇ ଶ୍ରୀ ଲୋକନାଥ ପ୍ରସାଦ ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ମିଳିନାହିଁ। ଅଭିଯୋଗ ମିଳିଲେ ତଦନ୍ତ କରି ଆବଶ୍ୟକ ଆଇନୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.