Home ଜିଲ୍ଲା ପରିକ୍ରମା ମନମୋହନ ସାମଲ, ସୂର୍ଯ୍ୟବଂଶୀ ସୁରଜ ଓ ସୀତାଂଶୁ ମହାପାତ୍ରଙ୍କ ନୂଆବର୍ଷରେ ଭେଟି, ୧୭.୫୪ କୋଟି ବ୍ୟୟ...

ମନମୋହନ ସାମଲ, ସୂର୍ଯ୍ୟବଂଶୀ ସୁରଜ ଓ ସୀତାଂଶୁ ମହାପାତ୍ରଙ୍କ ନୂଆବର୍ଷରେ ଭେଟି, ୧୭.୫୪ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବ ସହରର ‘ଅଟଳ ମାର୍ଗ’

11

ଭଦ୍ରକ ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ‘ଅଟଳ ମାର୍ଗ’ ନାମକରଣରେ ଭଦ୍ରକ ସହରର ଅପର୍ତିବିନ୍ଧା ଛକ ଠାରୁ ଶନିମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣର ଶୁଭ ଭିତିପ୍ରସ୍ତରର ଶୁଭ ଉଦ୍‌ଘାଟନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚଶିକ୍ଷା, କ୍ରୀଡା, ଯୁବ ବ୍ୟାପାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଆଜି ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହି ଶୁଭ ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ସହକାରୀ ଜିଲାପାଳ କାର୍ତିକନାଥ ମଣ୍ଡଳ, ଭଦ୍ରକ ଜିଲା ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦେବପ୍ରସନ୍ନ ଘୋଷ, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ବିଜେପି ନେତା ବାଣୀକଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭିତିପ୍ରସ୍ତର ସ୍ଥାପନ ପରେ ଅତିଥିମାନେ ସଭାସ୍ଥଳ ନିକଟରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପରେ ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ଶ୍ରୀ ରାଉତରାଏ ସ୍ୱାଗତ ଭାଷଣ ଦେବା ପ୍ରସଙ୍ଗରେ ଏଭଳି ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପରେ ଉପସ୍ଥିତ ଯେଉଁ ଅତିଥିମାନଙ୍କ ଅବଦାନ ରହିଛି, ତାହାକୁ ପ୍ରଶଂସା କରିଥିଲେ। ଏବଂ ଏହି ପ୍ରକଳ୍ପ ନିର୍ମାଣରେ ଭଦ୍ରକ ସହରବାସୀଙ୍କ ସହଯୋଗକୁ ସ୍ୱାଗତ କରିଥିଲେ। ଏହାପରେ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ନିଜ ଭାଷଣ ପ୍ରସଙ୍ଗରେ ବିଜେଡି ସରକାରକୁ କଟାକ୍ଷ କରି ଭଦ୍ରକ ସହରକୁ ଯେଉଁ ଜନ ପ୍ରତିନିଧିମାନେ ସରସ ସୁନ୍ଦର କରିବାର ଦ୍ୱାହି ଦେଇ କେବଳ କାଗଜପତ୍ରରେ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖାଇଥିଲେ, ସେମାନଙ୍କର ବୁଲଡୋଜର ଉଚ୍ଛେଦ କାର୍ଯ୍ୟରେ ମହତାବ ଛକ ଠାରୁ ଆରମ୍ଭ ହୋଇ ଅପର୍ତିବିନ୍ଧା ଛକରେ ପମ୍ପଚର ହୋଇଯାଇଥିଲା ବୋଲି କଟାକ୍ଷ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଉପରୋକ୍ତ ପ୍ରକଳ୍ପ ନିର୍ମାଣ ଜନିତ ଉଚ୍ଛେଦ ପ୍ରକ୍ରିୟାରେ ସହରବାସୀଙ୍କ ସହଯୋଗକୁ ସ୍ୱାଗତ କରି ସମସ୍ତଙ୍କୁ ପୁରୁଣା ବସ୍‌ଷ୍ଟାଣ୍ଡ ଓ ଚରମ୍ପା ଓଏସ୍‌ଆରଟିସି ସ୍ଥାନରେ ଥଇଥାନ କରାଯିବ ବୋଲି କହିଥିଲେ। ମନ୍ତ୍ରୀ ଶ୍ରୀ ସୁରଜ ନିଜ ଭାଷଣ ପ୍ରସଙ୍ଗରେ ୧୭ କୋଟି ୫୪ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ୬ଟି ପ୍ୟାଚ୍ ଯୁକ୍ତ ରାସ୍ତାରେ ଫୁଡ୍ କୋର୍ଟ, ପାର୍କିଂ ଓ ମଲ୍ ଭଳି ବହୁ ବ୍ୟବସ୍ଥା ରହିବା ସହ ସହରକୁ ସୌନ୍ଦର୍ଯ୍ୟକରଣ କରିବା ସହ ଏହାକୁ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଅଟଳ ଜୀଙ୍କ ନାମରେ ନାମିତ କରିବା ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି କହିଥିଲେ। ଏବଂ ପୂର୍ବର ବହୁ ପ୍ରତୀକ୍ଷିତ ଅପେକ୍ଷିତ ଏହି ରାସ୍ତା ଗ୍ରାଣ୍ଡ ଟ୍ରଙ୍କ ରୋଡ୍ ନାମରେ ଥିବାବେଳେ ଆଜି ତାହା ଯେଭଳି ନବରୂପ ନେବାକୁ ଯାଉଛି, ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଜେପି ସଭାପତି ଶ୍ରୀ ସାମଲ ନିଜ ଭାଷଣ ପ୍ରସଙ୍ଗରେ ଶିଳ୍ପ ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଗମନାଗମନ ହିଁ ଭାରତବର୍ଷକୁ ବିକାଶ କରାଇବ ବୋଲି ବାଜପେୟୀ ଯେଉଁ ସ୍ୱପ୍ନ ଦେଖି ଦେଶର ୭୮ ହଜାର କିଲୋମିଟର ରାସ୍ତାର ନବୀକରଣ କରି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ବୈପ୍ଳବିକ ପରିବର୍ତନ ଆଣିଥିଲେ, ତାହା ଆଜି ୧୯ ସ୍ଥାନରୁ ଖସି ୪ନଂ ରେ ପହଂଚିଛି ବୋଲି କହିଥିଲେ। ଏବଂ ଭଦ୍ରକରେ ଖୁବଶୀଘ୍ର ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେବ ବୋଲି ସୂଚାଇଥିଲେ। ଶେଷରେ ଡେପୁଟି କଲେକ୍ଟର ଶ୍ରୀ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉକ୍ତ ପ୍ରକଳ୍ପର ଏକ ଏଲ୍‌ଇଡି ଭିଡିଓ ପ୍ରସାରିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.