Home ଜିଲ୍ଲା ପରିକ୍ରମା ଇତିହାସର ଭୁଲ୍ ସଂସ୍କରଣ ଭାରତ ଛାଡ ଆନ୍ଦୋଳନରେ ଇରମ ଓ ସହୀଦନଗର ରେ ସହୀଦ ହୋଇଥିବା...

ଇତିହାସର ଭୁଲ୍ ସଂସ୍କରଣ ଭାରତ ଛାଡ ଆନ୍ଦୋଳନରେ ଇରମ ଓ ସହୀଦନଗର ରେ ସହୀଦ ହୋଇଥିବା ବୀର ଓ ବୀରଙ୍ଗନା ମାନଙ୍କ ସ୍ମୃତି ପ୍ରତି ଘୋର ଅପମାନ – ବିକାଶ ନାଥ

3

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୨୦୧୩ ମସିହାରେ ଓଡିଶା ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିର ପୃଷ୍ଠା ସଂଖ୍ୟା- ୩୧ ର ପାରା- ୩ ଓ ପାରା-୫ ରେ ଭାରତଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ତଥା ବର୍ତମାନ ର ଭଦ୍ରକ ଜିଲ୍ଲାର ସହୀଦନଗର ଓ ଇରମରେ ସହୀଦ ହୋଇଥିବା ସହୀଦ ମାନଙ୍କ ସଂଖ୍ୟା, ଗୁଳିକାଣ୍ଡ ର ସ୍ଥାନ ଓ ତାରିଖ ସଂପର୍କରେ ସଂପୂର୍ଣ୍ଣ ଭୁଲ୍ ଲେଖାହୋଇଥିବାରୁ ଭାରତର ଛାତ୍ର ଫେଡେରେସନ( ଏସ୍‌ଏଫ୍‌ଆଇ) ର ପୂର୍ବତନ ରାଜ୍ୟ ସଭାପତି ତଥା ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ତୀବ୍ର ନିନ୍ଦା କରିଛନ୍ତି ଓ ଏହି ଭୁଲ ତଥ୍ୟକୁ ଖୁବ୍ ଶୀଘ୍ର ପରିବର୍ତନ କରି ସଠିକ୍ ତଥ୍ୟ ପ୍ରକାଶିତ କରିବାକୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ଗଣଶିକ୍ଷା ବିଭାଗକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ପ୍ରକାଶ ଥାଉକି ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଆହ୍ୱାନରେ ସାରା ଦେଶରେ ଭାରତ ଛାଡ ଆନ୍ଦୋଳନ ସଂଗଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ୧୯୪୨ ମସିହା ସେପ୍େଟମ୍ବର ୨୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ତଥା ବର୍ତମାନ ଭଦ୍ରକ ଜିଲ୍ଲାର ଲୁଣିଆଁ ଗାଁ କୁ ସଂଲଗ୍ନ ଚାନ୍ଦିଆପୋଶି ଠାରେ ବ୍ରିଟିଶ ଗୁଳିରେ ୯ ଜଣ ଆନ୍ଦୋଳନକାରୀ ସହୀଦ ହୋଇଥିଲେ । କିନ୍ତୁ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହି ରେ “୧୯୪୨ ମସିହା ସେପ୍େଟମ୍ବର ୨୧ ତାରିଖ ଶ୍ରୀଜଙ୍ଗ ଗାଁ ରେ ୧୦ ବା ୧୧ ଜଣ ବ୍ୟକ୍ତି ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ” ବୋଲି ଭୁଲ୍ ତଥ୍ୟ ପ୍ରକାଶିତ ହୋଇଛି । ଏହି ବହିରେ ବ୍ରିଟିଶ ଗୁଳିକାଣ୍ଡ ର ସ୍ଥାନ, ତାରିଖ ଓ ସଂଖ୍ୟା ସଂପୂର୍ଣ୍ଣ ଭୁଲ୍ ଥିବାରୁ ଏହା ଭଦ୍ରକ ଜିଲ୍ଲା ବାସୀ ଓ ଆମ ଭାରତବାସୀ ଙ୍କ ପ୍ରତି କୁଠାରଘାତ ଓ ସହୀଦ ମାନଙ୍କ ସ୍ମୃତି ପ୍ରତି ଉପହାସ ବୋଲି ସିପିଆଇ(ଏମ) ର ଯୁବନେତା ତଥା ଯୁବ ଆଇନଜୀବୀ ବିକାଶ ନାଥ ଗଣମାଧ୍ୟମ ଜରିଆରେ ପରିପ୍ରକାଶ କରିଛନ୍ତି । ସେହିଭଳି ୧୯୪୨ ମସିହା ସେପ୍େଟମ୍ବର ୨୮ ତାରିଖରେ ବିଦେଇପୁର ରୁ ଇରମ ୧୯ ବର୍ଗ ମାଇଲ୍ ସ୍ୱାଧୀନ ବାଞ୍ଛାନିଧି ଚକଡାରେ ଧାନ ଫସଲ ଓ ସାମୁଦ୍ରିକ ଲୁଣର କର ନଦେବା ପାଇଁ ସାଧାରଣ ଜନତା ଏକତ୍ରିତ ହୋଇ ଇରମ ମେଳନ ପଡିଆରେ ବୈଠକ କରୁଥିବା ବେଳେ ବାସୁଦେବପୁର ର ପାଢୀ ଜମିଦାର ର ଖବର କ୍ରମେ ତତ୍କାଳୀନ ପୋଲିସ ଅଫିସର କୁଞ୍ଜବିହାରୀ ଙ୍କ ସମେତ ବ୍ରିଟିଶ ପୋଲିସ୍ ସେଠାରେ ପହଂଚି ଅତି ନିଷ୍ଠୁର ଭାବେ ଗୁଳିଚାଳନା କରିଥିଲେ । ଏହି ରକ୍ତତୀର୍ଥ ଇରମରେ ମହିଳା ସହୀଦ ପରିବେୱା ଙ୍କ ସମେତ ମୋଟ ୨୯ ଜଣ ସହୀଦ ହୋଇଥିଲେ । ବର୍ତମାନ ମଧ୍ୟ କିଛି ପ୍ରତ୍ୟେକ୍ଷଦର୍ଶୀ ଇରମବାସୀ ଓ ସହୀଦନଗର ବାସୀ ବଂଚିରହିଛନ୍ତି, ଯେଉଁ ମାନଙ୍କ ପାଖରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସଠିକ୍ ତଥ୍ୟ ସଂଗ୍ରହ କରିପାରିବେ । ଭାରତର ପୂରାତନ ରାଜଧାନୀ କୋଲକାତା ଠାରେ ପ୍ରତିଷ୍ଠିତ ନେସନାଲ୍ ଲାଇବ୍ରେରୀ ରେ ଏହି ଉଭୟ ଗୁଳିକାଣ୍ଡ ସଂପର୍କରେ ବ୍ରିଟିଶ ସରକାରଙ୍କ ତଥ୍ୟକୁ ଭାରତ ସରକାର ସାଇତି ରଖିଛନ୍ତି । କିନ୍ତୁ ଭୁଲ୍ ଭାବେ ଏହି ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଇରମରେ ୨୮ ଜଣ ସହୀଦ ହୋଇଛନ୍ତି ବୋଲି ପ୍ରକାଶିତ ହୋଇଛି । ଯାହା ଇରମର ରକ୍ତଭିଜା ମାଟି ପ୍ରତି ଘୋର ଅପମାନ ବୋଲି ଯୁବନେତା ବିକାଶ ନାଥ ପ୍ରକାଶ କରିଛନ୍ତି । ଦୀର୍ଘ ୧୨ ବର୍ଷ ଧରି ଏହି ଭୁଲ ତଥ୍ୟକୁ ଆମ ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ପଢାଯାଇଥିବାରୁ ଓଡିଶାର ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ଗଣ, ଗଣଶିକ୍ଷା ସଚିବଗଣ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ର ତତ୍କାଳୀନ ଅଧ୍ୟକ୍ଷ ଗଣ ଓ ବର୍ତମାନ ର ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ର ଅଧ୍ୟକ୍ଷ ଓ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଏହି ଇଛାକୃତ ବା ଅନିଛାକୃତ ତୃଟି ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀ ନାଥ ଦାବିକରିଛନ୍ତି । ରାଜ୍ୟ ରାଜକୋଷରୁ ପ୍ରତ୍ୟେକ ମାସ କୋଟି କୋଟି ଟଙ୍କା ଦରମା ନେଉଥିବା ଓଡିଶାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଇତିହାସ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନର ଡିଣ୍ଡିମ ପିଟୁଥିବା ଓଡିଶାର ସମସ୍ତ ଘରୋଇ ଉଚ୍ଚ ବିଦ୍ୟାଳୟର ଇତିହାସ ଶିକ୍ଷକ/ଶିକ୍ଷୟତ୍ରୀ ମାନେ କାହିଁକି ରାଜ୍ୟ ସରକାର ଙ୍କ ଦୃଷ୍ଟିକୁ ଆଣିଲେ ନାହିଁ ବୋଲି ଯୁବନେତା ବିକାଶ ନାଥ ପ୍ରଶ୍ନ କରିଛନ୍ତି । ଏହି ତ୍ରୁଟିକୁ ୨୦୨୬ ମସିହା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ସଂଶୋଧନ ନକଲେ ଭଦ୍ରକ ଜିଲ୍ଲାରୁ ଛାତ୍ର ଆନ୍ଦୋଳନ ଓ ଗଣ ଆନ୍ଦୋଳନ ଆରମ୍ଭ ହୋଇ ସାରା ରାଜ୍ୟରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଗଣମାଧ୍ୟମ ଜରିଆରେ ଶ୍ରୀ ନାଥ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.