Home ଜିଲ୍ଲା ପରିକ୍ରମା ଧାମନଗରରେ ‘ବିଧାୟକ ମେଧା ସମ୍ମାନ-୨୦୨୫’ର ଶୁଭାରମ୍ଭ, ଶିକ୍ଷାର ବିକାଶ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଧାମନଗରରେ ‘ବିଧାୟକ ମେଧା ସମ୍ମାନ-୨୦୨୫’ର ଶୁଭାରମ୍ଭ, ଶିକ୍ଷାର ବିକାଶ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା

3

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଉତ୍ସାହିତ ବାତାବରଣ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଧାମନଗର ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ୱାରା “ବିଧାୟକ ମେଧା ସମ୍ମାନ-୨୦୨୫”ର ଶୁଭାରମ୍ଭ କରାଯାଇଛି। ଧାମନଗର ଏନଏସି କଲ୍ୟାଣ ମଣ୍ଡପ ନିକଟରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୩୨୦ରୁ ଅଧିକ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଉକ୍ତ ସମାରୋହରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ସିଡିଓ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ର ମୁଖ୍ୟ ପଦାଧିକାରୀ ଅଞ୍ଜନା ଆରୋରା ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ବିକାଶର ରୋଡମ୍ୟାପ ଉପରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ୪ ଟି ସ୍ୱତନ୍ତ୍ର ଅଧିବେଶନ ମାଧ୍ୟମରେ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବିଆରସିସି, ସିଆରସିସି ଓ ପ୍ରତିଷ୍ଠିତ ଶିକ୍ଷା ବିଶେଷଜ୍ଞମାନେ ନେତୃତ୍ୱ ନେବା, ନାମଲେଖା ବୃଦ୍ଧି କରିବା, ବିଦ୍ୟାଳୟରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ପିଲାଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ାଇ ସେମାନଙ୍କୁ ସଫଳତାର ଶୀର୍ଷକୁ ନେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଲିମ ଦେଇଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନିମ୍ନଲିଖିତ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ରାଶି ବାବଦରେ ଜଣ ପିଛା ୫୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବାର୍ଷିକ ବୋର୍ଡ ପରୀକ୍ଷାରେ ଏ୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ, ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା କୃତୀ ଛାତ୍ରଛାତ୍ରୀ, ସୁରଭି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରକୁ ମନୋନୀତ ଛାତ୍ରଛାତ୍ରୀ, ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ କ୍ରୀଡ଼ା ପ୍ରତିଯୋଗିତାରେ ଜିଲ୍ଲାର ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀଙ୍କୁ ୫୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଏ୧ ଗ୍ରେଡ ପାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୧୦,୦୦୦, ସ୍କୁଲରେ ଡ୍ରପ ଆଉଟହ୍ରାସ କରିବାରେ ସଫଳ ହୋଇଥିବା ପ୍ରଧାନ ଶିକ୍ଷକଙ୍କୁ ୧୦,୦୦୦, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଶିକ୍ଷକଙ୍କୁ ଅତିରିକ୍ତ ୧୦,୦୦୦ ପ୍ରଦାନ କରାଯିବ। ତେବେ ନାମଲେଖା କ୍ଷେତ୍ରରେ ୧୫% କିମ୍ବା ତଦୁର୍ଦ୍ଧ୍ୱ ବୃଦ୍ଧି କରିଥିବା ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍କୁଲର ବିକାଶ ପାଇଁ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ପ୍ରଦାନ କରାଯିବ। ଏହି ଅବସରରେ ମନ୍ତ୍ରୀ ପ୍ରଧାନ ଶିକ୍ଷକ ଙ୍କୁ ସମ୍ବୋଧନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଶିକ୍ଷକମାନେ ହିଁ ସମାଜର ମୂଳଦୁଆ। ଏହି ପୁରସ୍କାର ଓ ତାଲିମ ଫଳରେ ଧାମନଗର ର ପ୍ରତିଟି ଶିକ୍ଷାନୁଷ୍ଠାନ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.