
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡଃ ମନମୋହନ ସିଂ ଙ୍କ ନେତୃତ୍ୱରେ ଗଠିତ ସଂଯୁକ୍ତ ପ୍ରଗତିଶୀଳ ମେଂଟ-୧( ୟୁପିଏ-୧) ସରକାର ସମୟରେ ସାଧାରଣ ସର୍ବନିମ୍ନ କର୍ମସୂଚୀ ( ସିଏମପି) ଅନୁଯାୟୀ ୬୨ ଜଣ କମ୍ୟୁନିଷ୍ଟ ସାଂସଦ ଙ୍କ ସମର୍ଥନରେ ଗ୍ରାମୀଣ ଶ୍ରମିକ ଓ କୃଷି ଶ୍ରମିକ ମାନଙ୍କ ହାତକୁ କାମ ଯୋଗାଇ ଦେବା ଲକ୍ଷ୍ୟନେଇ ୨୦୦୫ ମସିହାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ନାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିଥିଲେ । ଏହି ଆଇନ ଅନୁଯାୟୀ ଜଣେ ଗ୍ରାମୀଣ ଶ୍ରମିକ ବର୍ଷକୁ ସର୍ବନିମ୍ନ ୧୦୦ ଦିନର କାମ ପାଇବାର ଆଇନଗତ ବ୍ୟବସ୍ଥା ଥିଲା । ଯଦି ସରକାର କାମ ଯୋଗାଇ ଦେଉନଥିଲେ, ଗ୍ରାମୀଣ ଶ୍ରମିକ ମାନଙ୍କୁ ମଜୁରୀର ୫୦ ପ୍ରତିଶତ ବେକାରୀ ଭତା ଦେଉଥିଲେ । ଯଦି ସରକାର ଓ ପ୍ରଶାସନିକ ଅଧିକାରୀ ମାନେ ଏଥିରେ ଖିଲାପ କରୁଥିଲେ, ତେବେ ଶ୍ରମିକ ମାନେ ବିଚାରାଳୟର ଆଶ୍ରୟ ନେବାର ଆଇନଗତ ବ୍ୟବସ୍ଥା ଥିଲା । ଏହି ଆଇନ ଥିଲା ଜଣେ ଗ୍ରାମୀଣ ଶ୍ରମିକ ର ସାମ୍ବିଧାନିକ ଓ ଆଇନଗତ ଅଧିକାର । ଏହି ଆଇନକୁ ମୋଦି ସରକାର ଉଛେଦ କରି ଭିବି ଜୀ ରାମ୍ ଗ୍ରାମୀଣ ବିଲ୍- ୨୦୨୫ ଆଣି ସଂସଦରେ ପାରିତ କରି ରାଷ୍ଟ୍ରପତି ଙ୍କ ମୋହର ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କୁ ପଠାଇଛନ୍ତି । ଭାରତର ସଂଘୀୟ ବ୍ୟବସ୍ଥା, ପଂଚାୟତିରାଜ ବ୍ୟବସ୍ଥା, ଗାନ୍ଧୀବାଦୀ ବିଚାର ଧାରା ଓ ଗ୍ରାମୀଣ ଅର୍ଥନୀତି କୁ ଉତଖାତ କରି ଗ୍ରାମୀଣ ଶ୍ରମିକ ମାନଙ୍କ ଆଇନଗତ ଅଧିକାରକୁ ଖର୍ବ କରି ଶ୍ରମିକ ମାନଙ୍କୁ ଲାଭାର୍ଥୀ ଭାବେ ପ୍ରତିପାଦିତ କରିବା ଘଟଣା ଗ୍ରାମୀଣ ଭାରତରେ ବସବାସ କରୁଥିବା ଶତକଡ଼ା ୮୨ ଭାଗ ପରିବାର ପ୍ରତି ଚରମ ଆଘାତ ବୋଲି ଦର୍ଶାଇ ସିପିଆଇ(ଏମ) , ସିପିଆଇ ପକ୍ଷରୁ ମିଳିତ ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଭଦ୍ରକ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସମ୍ବିଧାନର ଧାରା-୨୦୧ ଅନୁଯାୟୀ ରାଷ୍ଟ୍ରପତି ଏହି ଶ୍ରମିକ ବିରୋଧୀ ବିଲ୍ ରେ ଦସ୍ତଖତ ନକରି ପୁନର୍ବିଚାର ପାଇଁ ସଂସଦକୁ ଫେରାଇ ଦେବାକୁ ମିଳିତ ବାମପନ୍ଥୀ ପ୍ରତିନିଧି ଦଳ ଦାବିପତ୍ର ରେ ନିବେଦନ କରିଛନ୍ତି । ପୂର୍ବାହ୍ନରେ ଭଦ୍ରକ ବନ୍ତଛକ ଠାରୁ ଏକ ଲାଲ୍ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ ଓ ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତିଙ୍କ ଯୌଥ ସଭାପତିତ୍ୱରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସିପିଆଇ(ଏମ) ନେତା ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ଯୁବନେତା ବିକାଶ ନାଥ, ମହିଳା ନେତ୍ରୀ ସୁରଜିତା ନାୟକ, ଗିରିଧାରୀ ନାଥ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ନିରଞ୍ଜନ ପାଣି, ଯୁବନେତା ପ୍ରତାପ ସେଠୀ, ସିପିଆଇ ନେତା ରମେଶ ଯେନା, ବିମ୍ବାଧର ବାରିକ୍, ହରିହର ବେହେରା, ଦିଲିପ ନାୟକ, ରବିନ୍ଦ୍ର ବାରିକ୍, ନାରାୟଣ ତ୍ରିପାଠୀ, ଚାଷୀ ନେତା ଅଶୋକ ବେହେରା, ଯୁବନେତା ଜ୍ୟୋତିର୍ମୟ ମଳିକ, ଜୟନୂଲ ଆବେଦିନ, ଯୁବନେତା ବିପ୍ଳବ ଯେନା ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ । ଭିବି ଜି ରାମ ଗ୍ରାମୀଣ ବିଲ୍-୨୦୨୫ ବଦଳରେ ଏମ୍ ଜି ଏନ୍ ଆର ଇଜିଏ-୨୦୦୫ ଆଇନ ଅନୁଯାୟୀ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ, କେନ୍ଦ୍ର ବଜେଟ୍ ରେ ଏମ୍ ଜି ଏନ୍ ଆର ଇଜିଏସ୍ ପାଇଁ ଅଧିକ ବ୍ୟୟବରାଦ, ବେକାରୀ ଭତା ର ପରିମାଣ ବୃଦ୍ଧି ଓ ସହରାଞ୍ଚଳର ଶ୍ରମିକ ମାନଙ୍କ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିବାକୁ ବାମପନ୍ଥୀ ନେତୃତ୍ୱ ଏହି ଆନ୍ଦୋଳନ ମାଧ୍ୟମରେ ଦାବି କରିଥିଲେ । ଭାରତର ଆଜାଦୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ନାମରେ ନାମିତ ଏହି ଆଇନକୁ ଉଠାଇ ଦେବା ମୋଦି ସରକାରଙ୍କ ଅସହିଷ୍ଣୁତା ର ପରିଚୟ ବୋଲି ବାମପନ୍ଥୀ ନେତୃତ୍ୱ ପ୍ରକାଶ କରିଥିଲେ । ଭିବି ଜି ରାମଜି ବିଲ୍ ପ୍ରତ୍ୟାହାର ନହେଲେ ଭଦ୍ରକ ଜିଲ୍ଲାବ୍ୟାପି ବୃହତର ଆନ୍ଦୋଳନ ହେବ ବୋଲି ବାମପନ୍ଥୀ ନେତୃତ୍ୱ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ।







