ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଏଡ୍ସ ନିୟନ୍ତ୍ରଣ ସମିତି, ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଳ୍ୟାଣ ବିଭାଗ, ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ମିଶନ୍ ପବ୍ଲିକ୍ ସ୍କୁଲ୍ ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ବିଶ୍ୱ ଏଡ୍ସ ଦିବସ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗ ଦେବା ସହ ପତାକା ଦେଖାଇ ଏଡ୍ସ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ପଦଯାତ୍ରାରେ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲା ଆରକ୍ଷି ଅଧିକାରୀ ଅଂଶୁମାନ ଦ୍ୱିବେଦୀ, ଡେପୁଟୀ କଲେକ୍ଟର କାର୍ତିକନାଥ ମଣ୍ଡଳ, ସିଡିଏମଓ ଡ଼କ୍ତର ସୁଧି ରଞ୍ଜନ ନାୟକ ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏଡ୍ସ ସଚେତନତା ପ୍ଲାକାର୍ଡ ଧରି ନଗର ପରିକ୍ରମା କରିଥିଲେ। ଏହି ବର୍ଷର ଥିମ୍ “ଓଭରକମିଙ୍ଗ୍ ଡିସ୍ରୁପସନ ଟ୍ରାନ୍ସଫର୍ମିଙ୍ଗ୍ ଏଡସ୍ ରେସପନସ୍” କୁ କେନ୍ଦ୍ର କରି ହୋଇଥିବା ଏହି କାର୍ଯ୍ୟକ୍ରମରେ,ସଂକ୍ରମଣ କୁ ରୋକିବା ଏବଂ ଚାଲୁଥିବା ସେବାମାନଙ୍କୁ ସୁଦୃଢ଼ କରିବାଇ ପାଇଁ ଜିଲ୍ଲାପାଳ ଜୋର ଦେଇଥିଲେ। ଆଚରଣ, ଚିନ୍ତାଧାରା ଓ ବ୍ୟବହାରରେ ପରିବର୍ତନ ଆଣିପାରିଲେ ଏଡ୍ସ ଭଳି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିହେବ ବୋଲି ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ୨୦୦୩ ମସିହାରୁ ୨୦୨୫ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୩୦୧ଜଣ (ଆନୁମାନିକ ସଂଖ୍ୟା) ମୃତ୍ୟୁବରଣ କରିଥିବାବେଳେ ୧୨୭୩ ଜଣ ଏବେ ଏଡ୍ସ ଆକ୍ରାନ୍ତ ହୋଇଛନ୍ତି।ଏହାଛଡା ୨୦୦୩ରୁ ଅଦ୍ୟାବଧି ଜିଲ୍ଲାରେ ମୋଟ ୭ଲକ୍ଷ ୧୬ହଜାର ୨୭୬ ଜଣକଂର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ସୂଚନା ଦେଇଥିଲେ।







