Home ଜିଲ୍ଲା ପରିକ୍ରମା ଗୌରାଙ୍ଗ ଚନ୍ଦ୍ର ବାରିକ ପାଇଲେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର

ଗୌରାଙ୍ଗ ଚନ୍ଦ୍ର ବାରିକ ପାଇଲେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର

10

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକନାଟ୍ୟ ମୋଗଲ ତାମସାର ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକଙ୍କୁ ୨୦୨୪ ବର୍ଷ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ବାରିକଙ୍କ ଘର ଏହି ଜିଲାର ରାନ୍ଦିଆ କୋରଂଟ ଗ୍ରାମରେ। ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ ସଂଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବାବୁ ସିଂ ଓ ଆକାଶ ଦାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଶ୍ରୀ ବାରିକ ଲୋକନାଟ୍ୟ ମୋଗଲ ତାମସାରେ ଦୀର୍ଘଦିନ ହେବ ଅଭିନୟ କରି ସୁନାମ ଅର୍ଜନ କରିଥିବାବେଳେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକନାଟ୍ୟ ମୋଗଲ ତାମସାକୁ ମଂଚସ୍ଥ କରିବା ସହ ପ୍ରସାର ଓ ପ୍ରଚାର କରାଇ ଲୋକନାଟ୍ୟକୁ ଉଜ୍ଜୀବିତ କରିବା ସଂଗେ ସଂଗେ ଭଦ୍ରକର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ବିମଳା ନାଟ୍ୟ ସଂସଦର ସଂପାଦକ ରହିବା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ନିଜର ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିଆସୁଛନ୍ତି। ସେ ଜଣେ ସୁସଂଗଠକ ଭାବେ ବହୁ ଅନୁଷ୍ଠାନ ସହ ଜଡିତ ରହି ସାମାଜିକ, ସାଂସ୍କୃତିକ, ସାଙ୍ଗଠନିକ ଓ ସମାଜ କଲ୍ୟାଣ ଦିଗରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ସେ କଳା ଓ ସଂସ୍କୃତିର ଅଭିବୃଦ୍ଧି ପାଇଁ ଏହି ପୁରସ୍କାର ପାଇଛନ୍ତି। ସେ ପୁରସ୍କାର ପାଇବା ପରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ବାରିକ ପୁରସ୍କାର ପାଇବା ପରେ ଭଦ୍ରକ ତ୍ୟାଗଭୂମି ସମ୍ମେଳନ, ସାଇ ଡ୍ୟାନ୍ସ ଏକାଡେମୀ, ମନ୍ଦିରା ଡ୍ୟାନ୍ସ ଗ୍ରୁପ୍‌, ଗରଦପୁର ବଂଶୀବଲ୍ଲଭ ସାହିତ୍ୟ ସାଂସ୍କୃତିକ ପରିଷଦ, ତିହିଡି କଳିଙ୍ଗ କଳାକାର ସଂଘ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.