ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗର ବିଚିତ୍ର ନୀତିରେ ଅଂଚଳବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ଜଳସମ୍ପଦ ୨୦୨୪-୨୫ ଆର୍ଥିକ ବର୍ଷରେ ଚରଦିଆ ପଂଚାୟତରେ ଏକ ରାସ୍ତା ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀ ଅନୁମୋଦନ କରିବା ସହ ଏହି ରାସ୍ତା ପାଇଁ ୮୦ଲକ୍ଷ ଟଙ୍କା ବ୍ୟୟ ବରାଦ କରିବା ପରେ ଏହି ରାସ୍ତା ନିର୍ମାଣ ମଧ୍ୟ ଆରମ୍ଭ ହୋଇଥିଲା। ଏହି ରାସ୍ତାଟି ଚରଦିଆ ପଂଚାୟତ ଗଳିଆ ନଦୀ ଚାନ୍ଦକୁଡା ପୋଲ ପାଖରୁ ଆରମ୍ଭ ହୋଇ ଓଝାପଡା ଠାରେ ଶେଷ ହୋଇଛି। ଏହି ରାସ୍ତାର ଲମ୍ବ ୨.୫ କି.ମି ହୋଇଥିବା ବେଳେ ଏହି ଗଳିଆ ନଦୀ କୂଳେ କୂଳେ ଏହି ରାସ୍ତା ନିର୍ମାଣ ହେଉଛି। ଏହି ରାସ୍ତା ନିର୍ମାଣ ପାଇଁ ଦରକାର ପଡୁଥିବା ମାଟି ଏହି ନଦୀକୂଳ ଠାରୁ ଅତିକମରେ ୫ଶହ ମିଟର ଠାରୁ ୧କି.ମି ଦୂରରୁ ଆସିବାର ନିୟମ ଏଗ୍ରିମେଂଟରେ ଉପଲବ୍ଧ ବୋଲି ବିଭାଗୀୟ ଅଧିକାରୀ ସୂରଜ ମଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି। ମାତ୍ର ସଂପୃକ୍ତ ଠିକାଦାର ଏହି ରାସ୍ତା ନିର୍ମାଣ କରିବା ସମୟରେ ଗଳିଆ ନଦୀ ପଠାରୁ ମାଟି ଉଠାଇ ଏହି ରାସ୍ତା ନିର୍ମାଣ କରିବାରେ ଲାଗିପଡିଲେ। ଏହି ରାସ୍ତା ସଂପୂର୍ଣ ହୋଇ ନଥିବା ବେଳେ ସଂପୃକ୍ତ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ରନିଂ ବିଲ ବାବଦରେ ୨୦ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି। କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାର ସରକାରୀ ସ୍ଥାନରୁ ମାଟି ଉଠାଇ ରାସ୍ତା ନିର୍ମାଣ କଲେ ଏବଂ ଚାନ୍ଦବାଲି ତହସିଲକୁ ଏହି ମାଇନର ମିନେରାଲ ବାବଦରେ(ଏମଏମସି) ଦେୟ ପ୍ରଦାନ ନକରି ବିଭାଗୀୟ ଅଧିକାରୀ ରନିଂ ବିଲ ବାବଦରେ ୨୦ଲକ୍ଷ ଦେୟ ପ୍ରଦାନ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି ବିଷୟରେ ଚରଦିଆ ପଂଚାୟତର ସରପଂଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀଏବଂ ପୂର୍ବତନ ସରପଂଚ ଦିବାକର ମାଇତି ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଏହି ଅଭିଯୋଗ ଆଣିବା ସହ ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିବାକୁ ଦାବୀ ଜଣାଇଛନ୍ତି। ସରକାରୀ ସ୍ଥାନରୁ ମାଟି ଯାଇ ସରକାରୀ ସ୍ଥାନରେ ପଡିଲା ମାତ୍ର ବିଭାଗୀୟ ଅଧିକାରୀ ଏବଂ ସଂପୃକ୍ତ ଠିକାଦାରଙ୍କ ପ୍ରିୟାପ୍ରୀତିରେ ୨୦ଲକ୍ଷ ଟଙ୍କା ହରିଲୁଟ ହୋଇଗଲା। ଏ ବାବଦରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ମହାଶୟା ଏହି ସ୍ଥାନ ସରକାରୀ ସ୍ଥାନରେ ଯାଇଛି କି ନାହିଁ ବୋଲି କଥାକୁ ଟାଳି ଦେଇଥିବା ବେଳେ ସହକାରୀ ଯନ୍ତ୍ରୀ ସୂରଜ ମଲିକ ଏହି ଅଂଚଳ ପରିଦର୍ଶନ କରିବା ପରେ ନିଜର ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ। ଅନ୍ୟ ପକ୍ଷରେ ଅଧୀକ୍ଷଣଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ସେ ଏହି ଅଭିଯୋଗ ବିଷୟରେ ଅବଗତ ଅଛନ୍ତି ,କୌଣସି ସରକାରୀ କାର୍ଯ୍ୟରେ ନଦୀପଠାରୁ ମାଟି ଯାଇ କାର୍ଯ୍ୟ ହେବାର ନିୟମ ନାହିଁ ତେଣୁ ସେ ଏହାର ବିଦ୍ଧିବଦ୍ଧ ତଦନ୍ତ କରିବେ।ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି ନଚେତ ଆଗାମୀ ଦିନରେ ସେମାନେ ଜଳସମ୍ପଦ ବିଭାଗର ସର୍ବୋଚ୍ଚଯନ୍ତ୍ରୀଙ୍କ ନିକଟରେ ଏବିଷୟରେ ଅଭିଯୋଗ କରିବା ସହ ଏହି କାର୍ଯ୍ୟ ବନ୍ଦ କରିବାକୁ ଦାବୀ ଜଣାଇବେ ।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଜଳସମ୍ପଦ ବିଭାଗର ବିଚିତ୍ର ନୀତି, ନଦୀପଠାରୁ ମାଟି ନେଇ ରାସ୍ତା ନିର୍ମାଣ, କାର୍ଯ୍ୟ ବାବଦରେ...







