Home ଜିଲ୍ଲା ପରିକ୍ରମା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମଙ୍ଗଳପୁର ଗ୍ରାମରାସ୍ତାକୁ ଅବରୋଧ ମୁକ୍ତ କଲା ପ୍ରଶାସନ, ଦ୍ୱିତୀୟ ପର୍ଯ୍ୟାୟରେ ଉଛେଦ ହେଲା...

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମଙ୍ଗଳପୁର ଗ୍ରାମରାସ୍ତାକୁ ଅବରୋଧ ମୁକ୍ତ କଲା ପ୍ରଶାସନ, ଦ୍ୱିତୀୟ ପର୍ଯ୍ୟାୟରେ ଉଛେଦ ହେଲା ୯ଟି ଘର

19

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ପୀରହାଟ ଥାନା ଅଧୀନ ମଙ୍ଗଳପୁର ଗ୍ରାମରାସ୍ତାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ପ୍ରଶାସନ ଅବରୋଧ ମୁକ୍ତ କରିଥିବା ଜଣାପଡିଛି । ରାସ୍ତା ପାର୍ଶ୍ୱରେ ସରକାରୀ ଜାଗାକୁ କିଛିଅଂଶ ଅବରୋଧ କରିଥିବା ୯ଟି ଘର, ପାଚେରୀ, ଗଛ ଇତ୍ୟାଦିକୁ ଉଚ୍ଛେଦ କରାଯାଇଥିବା ଜଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ଗତ ଜୁନ ମାସ ୨୬ତାରିଖରେ ମଧ୍ୟ ରାସ୍ତାର କିଛି ଅଂଶକୁ ଅବରୋଧମୁକ୍ତ କରାଯାଇଥିଲା ।ତହସିଲ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ,ମଙ୍ଗଳପୁର ମୌଜାର ଖାତା ନଂ ୫୯୧, ପ୍ଲଟ ନଂ ୬୬୯ ଓ ୭୦୩ରେ ଥିବା ସରକାରୀ ରାସ୍ତାକୁ ଅବରୋଧ କରାଯାଇଥିଲା । କେତେକ ବ୍ୟକ୍ତି ରାସ୍ତାକୁ ମାଡ଼ି ଘର ତିଆରି କରିଥିବାରୁ ରାସ୍ତା ସଙ୍କୁଚିତ ହୋଇଯାଇଥିଲା । ଯାହାଫଳରେ ରାସ୍ତାରେ ଯାନବାହାନ ଚଳାଚଳ ଓ ଯାତାୟତ ନେଇ ସମସ୍ୟା ଉପୁଜିଥିଲା । ଏପରିକି ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଜମି ରହୁଥିଲା । ଗ୍ରାମର ତପନ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ରାସ୍ତା ଅବରୋଧ ମୁକ୍ତ କରାଯିବା ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।ରାସ୍ତାକୁ ଅବରୋଧ ମୁକ୍ତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ତପନ ନିବେଦନ କରିଥିଲେ। ହାଇକୋର୍ଟ ଆବେଦନର ବିଚାର କରି ରାସ୍ତାକୁ ଅବରୋଧ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ତିହିଡି଼ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତତ୍କାଳୀନ ତହସିଦାର ଏଥିପ୍ରତି ଗୁରୁତ୍ୱ ନଦେବାରୁ ତପନ ବିଭିନ୍ନ ସମୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ସମସ୍ୟା ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରାଇଥିଲେ । ପରେ ଜିଲାପାଳ ଦିଲୀପ ରାଉତରାଏଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟରେ ଅତିରିକ୍ତ ତହସିଲଦାର ନାମିତା ଧଳ ଉଚ୍ଛେଦ କରିଥିଲେ।ଦ୍ୱିତୀୟ ପର୍ଯ୍ୟାୟରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ମାଇକ ଯୋଗେ ପ୍ରଚାର କରାଇ ସରକାରୀ ଜାଗା ଛାଡ଼ିବାକୁ ଅବରୋଧକାରୀଙ୍କୁ ନିର୍ଦ୍ଦେଶ ଦେବାସହ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ଏହି ସୂଚନା ଅନୁଯାୟୀ ତହସିଲଦାର ଶ୍ରୀ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଗ୍ରାମ ରାସ୍ତାରୁ ଜେସିବି ସହାୟତାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅତିରିକ୍ତ ତହସିଲଦାର ଅମିତ ପାଢ଼ୀ, ଡା. ଚିତରଞ୍ଜନ ଜେନା, ରାଜସ୍ୱ ନିରୀକ୍ଷକ ଆଶୁତୋଷ ଦାସ, ଅମିନ ଅମିତ ପାଢ଼ୀଙ୍କ ସମେତ ଅଗ୍ନିଶମ ବିଭାଗ ଅଧିକାରୀ ସୁବାସ ରାଉତ ଓ ବିଦ୍ୟୁତ କର୍ମଚାରୀମାନେ ଉଚ୍ଛେଦ ବେଳେ ସହଯୋଗ କରିଥିଲେ । ଆଇନ ଶୃଙ୍ଗଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରାଙ୍କ ନେତୃତ୍ୱରେ ଏସଆଇ ଶ୍ୟାମସୁନ୍ଦର ନାୟକଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ନିୟୋଜିତ ଥିବାବେଳେ ପୋଲିସ ଫୋର୍ସ ମୁତୟନ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.