Home ଜିଲ୍ଲା ପରିକ୍ରମା ସାମାଜିକ କର୍ମୀଙ୍କ ଅସାମାଜିକ କାର୍ଯ୍ୟ, ଜବରଦଖଲ ଉଚ୍ଛେଦକୁ ବିରୋଧ

ସାମାଜିକ କର୍ମୀଙ୍କ ଅସାମାଜିକ କାର୍ଯ୍ୟ, ଜବରଦଖଲ ଉଚ୍ଛେଦକୁ ବିରୋଧ

8

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧୀନସ୍ଥ ମୌସୁଧା ଗ୍ରା.ପ.ର ଫାର୍ଶୀବନ୍ଧ ଗ୍ରାମର ଜନୈକ ସାମାଜିକ କର୍ମୀଙ୍କ ଅସାମାଜିକ କାର୍ଯ୍ୟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ପ୍ରଶାସନ ପକ୍ଷରୁ ସରକାରୀ ଅନାବାଦୀ ଜମିକୁ ଅବରୋଧମୁକ୍ତ କରୁଥିବା ବେଳେ ନିଜକୁ ବିଭିନ୍ନ ସମୟରେ ସାମାଜିକ ଓ ସୂଚନାଅଧିକାର କର୍ମୀ ଭାବରେ ପରିଚୟ ଦେଉଥିବା ସୁରେଶ ଚନ୍ଦ୍ର ନାୟକ ନିଜ ଗ୍ରାମ ଗୋଚର ଜମିରେ (ଖାତା ନଂ-୧୬୨, ପ୍ଲଟ୍ ୫୧୭) ଘେରା କରି ପକ୍କାଗୃହ ନିର୍ମାଣ କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାରଙ୍କୁ ଫଟୋଚିତ୍ର ସହିତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେ ବେଆଇନ କାର୍ଯ୍ୟରୁ ନିବୃତ ନହେବାରୁ ତାଙ୍କ ନାମରେ ଅବରୋଧ ମକଦମା ୨୦୯୭/୨୦୨୨-୨୩ ଏବଂ ୨୦୩୦/୨୦୨୪-୨୫ ରୁଜ୍ଜୁ ହୋଇଥିଲା। ସଂପୃକ୍ତ ଜମିରୁ ଅବରୋଧ ହଟାଇବାକୁ ନୋଟିସ୍ କରାଯାଇଥିଲା। ତାହା ସେ ଅମାନ୍ୟ କରିବାରୁ ତା୨୦ା୦୫ା୨୦୨୫ରେ ପ୍ରଶାସନ ପକ୍ଷରୁ ପୋଲିସ୍ ସହାୟତାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅବରୋଧକାରୀଙ୍କ ପ୍ରରୋଚନାରେ ତାଙ୍କର ସମର୍ଥକମାନେ ଉଚ୍ଛେଦକୁ ବିରୋଧକରି ବାଧା ସୃଷ୍ଟି କରିଥିଲେ। ଫଳରେ ପ୍ରଶାସନ ଆଂଶିକ ଭାବରେ ପୋତାଯାଇଥିବା ଖୁଂଟକୁ ଓପାଡିଥିଲେ କିନ୍ତୁ ଜମିରେ ଥିବା ଛାତ ପର୍ଯ୍ୟନ୍ତ ଅର୍ଦ୍ଧନିର୍ମିିତ ଘରକୁ ଭାଙ୍ଗି ନପାରି ଫେରି ଆସିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ପୁନର୍ବାର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ଉକ୍ତ ସରକାରୀ ଜମିକୁ ଅବରୋଧମୁକ୍ତ କରିବା ଓ ଅବରୋଧକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ କୁହନ୍ତି ଖୁବଶୀଘ୍ର ସଂପୃକ୍ତ ଜମିକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.