ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଆସୁଥିବା ଧାରାରେ ନୂତନ ବର୍ଷର ପ୍ରଥମ ସୋମବାର ଜାନୁୟାରୀ ୬ତାରିଖରେ ଏହି ଶିବିର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଭଦ୍ରକ ଏସ୍.ପି. ମାଡ଼କର ସନ୍ଦୀପ ସମ୍ପଦ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୬୫ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୩୩ଟି ବ୍ୟକ୍ତିଗତ, ୨୨ଟି ସାମୁହିକ, ୯ଟି ରେଡ଼କ୍ରସ ୧ଟି ସି.ଏମ୍.ଆର.ଏଫ୍ ସମ୍ବନ୍ଧୀୟ ଅଭିଯୋଗ ଥିଲା । ରେଡ଼କ୍ରସ ସମ୍ବନ୍ଧୀୟ ୯ଜଣ ଆବେଦନକାରୀଙ୍କୁ ୪୪ ହଜାର ଟଙ୍କା ଓ ଜଣେ ଆବେଦନକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧୦ ହଜାର ଟଙ୍କା ସମୁଦାୟ ୫୪ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସୁଧାଂଶୁ ଶେଖର ବଳ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଜନାଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଜନ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଆବଶ୍ୟକତା ମତେ ତଥ୍ୟ ଉପସ୍ଥାପନ କରିଥିଲେ । ସହକାରୀ ଜିଲ୍ଲାପାଳ କାର୍ତିକନାଥ ମଣ୍ଡଳ ଓ ତନ୍ମୟ କୁମାର ଜେନା ପ୍ରମୁଖ ଏହି ଶିବିରରେ ଅଭିଯୋଗ ଉପସ୍ଥାପନା ପରିଚାଳନାରେ ସହଯୋଗ କରିଥିଲେ । ଆଗତ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ସବୁର ଆଶୁ ସମାଧାନ ପାଇଁ ନିୟମାନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶିବିରରେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସାଧାରଣ ଓ ବିବିଧ ଅନୁଭାଗର କର୍ମଚାରୀ ନିତ୍ୟାନନ୍ଦ ନାୟକ ଅଭିଯୋଗ ପଞ୍ଜିକରଣ ଦାୟିତ୍ୱ ନିର୍ବାହ କରିଥିଲେ ।