Home ଜିଲ୍ଲା ପରିକ୍ରମା ଦିଶା କମିଟିର ପ୍ରଥମ ବୈଠକ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଜାତୀୟ ରାଜପଥ ସମସ୍ୟା ସମାଧାନ ଉପରେ...

ଦିଶା କମିଟିର ପ୍ରଥମ ବୈଠକ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଜାତୀୟ ରାଜପଥ ସମସ୍ୟା ସମାଧାନ ଉପରେ ପ୍ରଧାନ୍ୟ

4

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ଉନ୍ନୟନ ମୂଳକ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ଓ ବିଭାଗୀୟ ସମନ୍ୱୟତାର ପରିଚାଳନା କରିବା ଆଭିମୁଖ୍ୟରେ ଗଠିତ ଭଦ୍ରକ ଜିଲ୍ଲା ଦିଶା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଧାମନଗର ବିଧାୟକ-ତଥା-ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସାଂସଦ ଭାବେ ନିର୍ବାଚିତ ହେବାପରେ ଶ୍ରୀଯୁକ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ଗଠିତ ହୋଇଛି । ନୂତନ ଭଦ୍ରକ ଗଠନ ପାଇଁ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ଆବଶ୍ୟକ ବୋଲି ସାଂସଦ ପ୍ରକାଶ କରିଥିଲେ । ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବା ହେବାକୁ ଥିବା ପ୍ରକଳ୍ପ ସବୁ କେବଳ କାଗଜ କଲମରେ ସିମୀତ ନରହି ଜନ କଳ୍ୟାଣ ଉଦ୍ଦେଶ୍ୟରେ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ବୈଠକରେ ପାନୀୟ ଜଳ ଯୋଗାଣ, ଜାତୀୟ ରାଜପଥରେ ନିର୍ମାଣ ଜନିତ ବିଳମ୍ବତା, ଶିକ୍ଷା ବିଭାଗରେ ଶିକ୍ଷକ ଅନୁପାତ ଓ ମଧ୍ୟାହ୍ନ ଭୋଜନ ଜନିତ ସମସ୍ୟା, ସ୍ୱାସ୍ଥ୍ୟ, ନଦୀବନ୍ଧ, ଡ୍ରେନେଜ, ଜଳସେଚନ, ଫସଲ ବୀମା ଆଦି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇ ଆବଶ୍ୟକ ମତେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ।

ପାନୀୟଜଳ ଯୋଗାଣ ନିମନ୍ତେ ଜିଲ୍ଲାରେ ନିର୍ମାଣାଧୀନ ୨୦୧୬ରୁ ଆରମ୍ଭ ହୋଇଥିବା ଭଣ୍ଡାରିପୋଖରୀ ମେଗାଜଳ ପ୍ରକଳ୍ପ ଓ ୨୦୧୯ ରୁ ଆରମ୍ଭ ହୋଇଥିବା ଚାନ୍ଦବାଲି ମେଗା ଜଳ ପ୍ରକଳ୍ପର କାର୍ଯ୍ୟ ୯୦ ଭାଗରୁ ଉର୍ଦ୍ଧ୍ୱ ଶେଷ ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା । ମାତ୍ର ବାସ୍ତବ କ୍ଷେତ୍ରରେ ଗ୍ରାମାଂଚଳରେ ପାଇପ୍ ଯୋଗେ ଜଳ ପହଂଚିନଥିବା ଜନ ପ୍ରତିନିଧିମାନଙ୍କ ଅଭିଯୋଗ କ୍ରମେ କ୍ଷେତ୍ରୀୟ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସେହିପରି ଜାତୀୟ ରାଜପଥ ନିର୍ମାଣ ଜନିତ ତୃଟି ଓ ବିଳମ୍ବ ପାଇଁ ଆରଡ଼ିଛକ, ମୋଟେଲ ଛକ, ରାଣୀତାଲ ଠାରେ ଜଳ ନିଷ୍କାସନ ସମସ୍ୟା, ବିଷ୍ଣୁପୁର ଛକରେ ଦୁର୍ଘଟଣା ସମସ୍ୟା, ଟୋଲ୍‌ଗେଟ୍ ପରିଚାଳନାରେ ବଟି ଆଦାୟ ନେଇ ଗୁରୁତର ଅଭିଯୋଗ ତଦନ୍ତ କରି ଆଶୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ସେବାରେ ଆବଶ୍ୟକ ୩୫୦ଜଣ ଡାକ୍ତରଙ୍କ ଜାଗାରେ ମାତ୍ର ୧୩୪ଜଣ ଡାକ୍ତର କାର୍ଯ୍ୟରତ ଥିବା, ନବ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବା, କେନ୍ଦୁଆପଦା ପି.ଏଚ୍‌.ସି.ରେ ପ୍ରାଚୀର ଓ ଗେଟ୍ ଅଭାବରୁ ଜବରଦଖଲ ହୋଇଥିବା, ନିୟୋଜିତ ଆଉଟ୍ ସୋର୍ସିଂ ସଂସ୍ଥାକୁ ବଦଳାଇବା ଆଦି ସମସ୍ୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ୟା ସବୁର ସମାଧାନ ପାଇଁ ନୂତନଭାବେ ଯୋଗ ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ କୁମାର ବଳଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସେହିପରି ଶିକ୍ଷା ବିଭାଗରେ ଶିକ୍ଷକ ଅନୁପାତ ଠିକ୍ ରଖିବା, ଭଦ୍ରକରୁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ବାସୁଦବେପୁରରେ ପହଂଚିବାରେ ବିଳମ୍ବ ଯୋଗୁଁ ଖାଦ୍ୟର ମାନ ଠିକ୍ ନରହିବା, ୨୧୪ ନୂଆ ଶିକ୍ଷକ ଯୋଗ ଦେବା ପରେ ବି ୩୩୦ରୁ ଅଧିକ ଶିକ୍ଷକ ଆବଶ୍ୟକ ହେବା ଆଦି ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଭଦ୍ରକ ପୌରାଂଚଳରେ ବର୍ଷା ଜଳ ନିଷ୍କାସନ ପାଇଁ ଡ଼୍ରେନେଜ୍ ବ୍ୟବସ୍ଥା, ନାଜର ନାଳାର ପୁନଃରୁଦ୍ଧାର କାର୍ଯ୍ୟ ବନ୍ଦ ଥିବା, ଡ଼୍ରେନେଜ ବ୍ୟବସ୍ଥା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି, ସେହିପରି ଧାମନଗର ଏନ୍‌.ଏ.ସି.ର ଜଳନାଳର ପୁନଃରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଗୋଶାଳା ଛକରୁ ଚନ୍ଦନ ବଜାର, ମୋଚୀ ଛକରୁ ଭଦ୍ରକାଳୀ, ଭଦ୍ରକ-କୋଠାର-ଆରଡ଼ି ରାସ୍ତା ନିର୍ମାଣ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମୁଖ୍ୟ ଉନ୍ନୟନ ଅଧିକାରୀ ସଭାପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ, ପୌରାଂଚଳ, ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ, ଦିଶା କମିଟିର ସଦସ୍ୟ ଏବଂ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଓ.ପି.ଡି. ଏନ୍‌.ଆଇ.ଏସ୍‌. ପ୍ରହ୍ଲାଦ ରଣା ଏବଂ ଅନ୍ୟକର୍ମଚାରୀମାନେ ଏହି ବୈଠକ ଆୟୋଜନରେ ଆନୁସଂଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.