ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସରକାରୀ ଭାବେ ୨୦୨୩ ରୁ ଆରମ୍ଭ କରାଯାଇଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଚଳିତ ବର୍ଷ ପାଇଁ ଆୟୋଜନ କରିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ହୃଷିକେଶ ବେହେରା, ଏଲ.ଡ଼ି.ଏମ୍.ଏମ୍ ନାଗେଶ୍ୱର ରାୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ଏ.ଡ଼ି.ଭି.ଓ. ଡା. ତରୁଣ କୁମାର ମଲ୍ଲିକ୍, ପ୍ରମୁଖ ଯୋଗ ଦେଇଥିଲେ। ଭଦ୍ରକ କଲେଜ ଖେଳ ପଡ଼ିଆରେ ପୂର୍ବବର୍ଷ ପରି ଦୁଇ ଦିନିଆ ମେଳା ଆୟୋଜିତ ହେବ। ୨୦ ରୁ ଉର୍ଦ୍ଧ୍ୱ ଷ୍ଟଲ ଜରିଆରେ ଜୀବନ୍ତ ଭାବେ ବିଭିନ୍ନ ପ୍ରାଣୀ ସମ୍ପଦ ରଖାଯାଇ ଗାଈପାଳନ, ଛେଳି ପାଳନ, କୁକୁଡ଼ା ପାଳନ ଆଦି ବିଷୟରେ ଚାଷୀ ଓ ଆଗ୍ରହୀ ହିତାଧିକାରୀମାନଙ୍କୁ ସଚେତନ କରାଯିବା ନେଇ ପଦକ୍ଷେପ ନିଆଯିବ। ସେହିପରି ମତ୍ସ୍ୟ ବିଭାଗ ତରଫରୁ ବାୟୋଫ୍ଲୋକ୍ ପରି ଅତ୍ୟାଧୁନିକ ମତ୍ସ୍ୟଚାଷ ସମ୍ବନ୍ଧରେ ମଧ୍ୟ ଡେମନ୍ଷ୍ଟ୍ରେସନ କରାଯିବ। ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଳାରେ ସାଧାରଣ ସଭା, ଷ୍ଟଲ ପ୍ରଦର୍ଶନୀ, ଚାଷୀ ଏବଂ କୃଷି ବୈଜ୍ଞାନିକଙ୍କ ମଧ୍ୟରେ ବାର୍ତାଳାପ, ସାଂସ୍କୃତିକ, ପୁରଷ୍କାର ବିତରଣ ଭଳି ବିଭିନ୍ନ ପର୍ଯ୍ୟାୟରେ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବିଶେଷ କରି ଯୁବା ମହିଳା ଓ ଉଦ୍ୟୋଗପତି ମାନଙ୍କ ମଧ୍ୟରେ ବିଭିନ୍ନ କୃଷି ପାଇଁ ଆଗ୍ରହ ସୃଷ୍ଟି କରାଯିବା ଏହି ମେଳାର ମୁଖ୍ୟ ଆଭିମୁଖ୍ୟ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କୃଷକ ମାନଙ୍କୁ ଏହି କୃଷିପାଇଁ ପ୍ରବର୍ତାଇବା ମଧ୍ୟ ଏହି ମେଳାର ପ୍ରମୁଖ ଉଦ୍ଦେଶ୍ୟ। ପ୍ରତିଦିନ ମତ୍ସ୍ୟ କୃଷକ ୨୫୦ ଓ ପ୍ରାଣୀ ସମ୍ପଦ କୃଷକ ୨୫୦ ସମୁଦାୟ ୫୦୦ ହିତାଧିକାରୀଙ୍କୁ ଏହି ମେଳାରେ ଅଂଶ ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରାଯିବ। ଏହି ମେଳାର ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାର ମାନ୍ୟବର ମନ୍ତ୍ରୀଙ୍କ ସହ ଯୋଗାଯୋଗ ପରେ ଦିନ ଧାର୍ଯ୍ୟ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।