Home ଜିଲ୍ଲା ପରିକ୍ରମା ଧାନକିଣା ପ୍ରସ୍ତୁତି: ମିଲର୍ ମାନଙ୍କୁ ନେଇ ପ୍ରଶାସନିକ ବୈଠକ, କଟନୀ ଛଟନୀ ଶୂନ, କିଣାହେବ କେବଳ...

ଧାନକିଣା ପ୍ରସ୍ତୁତି: ମିଲର୍ ମାନଙ୍କୁ ନେଇ ପ୍ରଶାସନିକ ବୈଠକ, କଟନୀ ଛଟନୀ ଶୂନ, କିଣାହେବ କେବଳ ଏଫ୍‌.ଏ.କ୍ୟୁ ମାନର ଧାନ

47

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଖରିଫ୍ ୨୦୨୪-୨୫ ଧାନ ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ମାର୍ଗ ଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏଥିପାଇଁ ଗତ ଅକ୍ଟୋବର ୧୯ ତାରିଖରେ ପ୍ରଥମ ବୈଠକ ପରେ ମିଲର୍ ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସଦ୍‌ଭାବନା ସଭାଗୃହରେ ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ୍ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ଖରିଫ୍ ଋତୁରେ ଅମଳ ଧାନକୁ ଧାନମଣ୍ଡି ଜରିଆରେ ସରକାରୀ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୩୧୦୦ଟଙ୍କାରେ ବିକ୍ରି କରାଯିବା, ଝୋଟ ଅଖା ବ୍ୟାଗରେ ଧାନ ମଣ୍ଡିକୁ ନେବା, କଟନୀ ଛଟନୀ ବନ୍ଦ କରାଯିବା, କେବଳ ଏଫ୍‌.ଏ.କ୍ୟୁ. ମାନର ଧାନ କିଣାଯିବା ସମ୍ପର୍କରେ ଥିବା ସରକାରୀ ମାର୍ଗ୍‌ଦର୍ଶିକା ସମ୍ବନ୍ଧରେ ମିଲର ମାନଙ୍କ ଅବଗତି ନିମନ୍ତେ ଜିଲ୍ଲାପାଳ ସୂଚନା ପ୍ରଦାନ କରି ଉକ୍ତ କାର୍ଯ୍ୟକୁ ସୁରୁଖୁରୁରେ ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ପ୍ରଶାସନ ସହିତ ମିଲରମାନଙ୍କ ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଧାନ କିଣା ପାଇଁ ସମ୍ମତି ପ୍ରକାଶ କରିଥିବା ୨୨ଟି ମିଲ୍ ର ମାଲିକ ଓ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ଆଧାରରେ ଧାନ କିଣ।।ରେ ସେମାନଙ୍କ ପାଇଁ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ବିଶେଷ କରି ମଣ୍ଡିକୁ ଚାଷୀମାନେ କିପରି କେବଳ (ଏଫ୍‌.ଏ.କ୍ୟୁ) ମାନର ଧାନ ଆଣିବେ ସେ ଦିଗରେ ସେମାନଙ୍କୁ ସଚେତନ କରାଯିବା ଉପରେ ପ୍ରାଧାନ୍ୟ ଦେବାକୁ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟକି ଏହି ଖରିପ୍ ବର୍ଷ ପାଇଁ ମଣ୍ଡି ଜରିଆରେ କେବଳ ଉତମ ଗୁଣବତା ( ଏଫ୍‌.ଏ.କ୍ୟୁ)ମାନର ଧାନ ହିଁ ଚାଷୀମାନଙ୍କ ଠାରୁ କିଣାଯିବ । ସମ୍ପୁର୍ଣ୍ଣ ଶୁଖିଲା ଏବଂ ମାଟି, ବାଲି, ଗୋଡ଼ି, ଧୂଳି, ଅଗାଡ଼ି ଆଦି ମିଶା ନଥିବା ପରିଷ୍କାର ଧାନକୁ ହିଁ ଏଫ୍‌.ଏ କ୍ୟୁ ମାନର ଧାନ ବୋଲି ବିବେଚିତ କରାଯିବ । ସମସ୍ତ ଧାନ କେବଳ ଅଖା ବ୍ୟାଗ୍‌ରେ କିଣାଯିବ । ଚାଷୀ ବିକ୍ରି ପାଇଁ ମଣ୍ଡିକୁ ଆଣିଥିବା ଧାନ ଏଫ୍‌.ଏ.କ୍ୟୁ ମାନର ନହେଲେ ତାଙ୍କୁ ଫେରାଇ ଦିଆଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ସରକାରୀ ଦରରେ ଧାନ ବିକ୍ରି କରି ପୂର୍ବଦର ଅପେକ୍ଷା କ୍ୱିଂଟାଲ ପ୍ରତି ୮୦୦ଟଙ୍କା ଅଧିକ ଲାଭ ପାଇବା ପାଇଁ ଚାଷୀମାନଙ୍କୁ ବିକ୍ରିପାଇଁ ନିଜ ନିଜ ଧାନକୁ ଏଫ୍‌.ଏ.କ୍ୟୁ. ମାନର ପ୍ରସ୍ତୁତ କରିବାକୁ ଗଣମାଧ୍ୟମ ଜରିଆରେ ଅବଗତ କରାଯାଉଛି । ଏଥିପାଇଁ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ସେମାନଙ୍କୁ ଯଥେଷ୍ଟ ପୂର୍ବରୁ ସଚେତନ କରାଇବା ଦିଗରେ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏ.ସି.ଏସ୍‌.ଓ ଶରତ ବେହେରା, ଏ.ଆର.ସି.ଏସ୍‌. ପ୍ରଚୀତା ଜେନା, ଆର୍‌.ଏମ୍‌.ସି. ସମ୍ପାଦକ ସଞ୍ଜୟ କୁମାର ଦାସ ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.