Home ଜିଲ୍ଲା ପରିକ୍ରମା ୪୨୦୯କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବ ଜାତୀୟ ଜଳପଥ ୫, କାର୍ଯ୍ୟକାରୀ ହେଲେ ଉପକୃତ ହେବେ...

୪୨୦୯କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବ ଜାତୀୟ ଜଳପଥ ୫, କାର୍ଯ୍ୟକାରୀ ହେଲେ ଉପକୃତ ହେବେ ଓଡିଶା ତଥା ପଶ୍ଚିମବଙ୍ଗବାସୀ

7

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାରେ ଜାତୀୟ ଜଳପଥ -୫ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଏବଂ ଓଡିଶା ରାଜ୍ୟ ସରକାର ଆଗଭର ହୋଇ ଉଠିଛନ୍ତି। ଏହା କାର୍ଯ୍ୟକାରି ହେଲେ ବହୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ପାରିବ ବୋଲି ଓଡିଶା ଏବଂ ପଶ୍ଚିମବଙ୍ଗବାସୀ ମତ ପୋଷଣ କରିଛନ୍ତି। ଜାତୀୟ ଜଳପଥ-୫ ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାର ୨୦୦୮ ମସିହାରେ ଆଗଭର ହୋଇଥିବା ବେଳେ ୨୦୧୬ ମସିହାରେ ଏହାର ସଂପୂର୍ଣ ପ୍ରକଳ୍ପ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପ ଆଧାରରେ ପ୍ରଥମ ପର୍ଯ୍ୟାୟରେ ଓଡିଶାର ତାଳଚେର – ମଙ୍ଗଳଗଡି ୨୩୭ କି.ମି, ଧାମରା-ପାରାଦ୍ୱୀପ ୯୫ କି.ମି, ଧାମରା- ଜିଓଁଖଳି ୨୫୬ କି.ମି ଏହି ପରି ଓଡିଶାରେ ୫୩୨ କି.ମି ନଦୀପଥ ପ୍ରଶସ୍ଥି କରଣ ହେବା ସହ ଜିଓଁଖଳି ଠାରୁ ପଶ୍ଚିମବଙ୍ଗର ନାସିରବାଦ-୯୧ କି.ମି ଜଳପଥ ମଧ୍ୟ ପ୍ରଶସ୍ଥି କରଣ କରାଯିବ। ୬୨୩ କି.ମି ନଦୀପଥ ପ୍ରଶସ୍ଥିକରଣ କରାଗଲେ ବାର୍ଷିକ ୧୮ ମିଲିୟନ ଟନ କାର୍ଗୋ ଏହି ଜଳପଥରେ ପରିବହନ କରାଯାଇ ପାରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜଳପଥରେ କୋଇଲା ପରିବହନ କରିବାକୁ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଭାରତର ସରକାରଙ୍କ ଜଳପଥ ପ୍ରାଧିକରଣ ସଂସ୍ଥା ୨୦୨୩ ମସିହାରେ ହୋଇଥିବା ମିଟିଂରେ ନିୟମ ପାରିତ ହୋଇଥିଲା। ଜାତୀୟ ଜଳପଥ -୫ କାର୍ଯ୍ୟାକାରୀ କରିବାକୁ ୧୨ହଜାର କୋଟି ଟଙ୍କାର ଆବଶ୍ୟକତା ଅଛି ବୋଲି ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଡିପିଆରରେ ପ୍ରସ୍ଥାବ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆବଶ୍ୟକତା ଅର୍ଥ ଅଧିକ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ।ଏହି ଜଳପଥ -୫ରେ ଓଡିଶା ରାଜ୍ୟରେ ତାଳଚେର, ଜେନାପୁର, ଧାମରା, ପାରାଦ୍ୱୀପ, ବାଲେଶ୍ୱର, ,ଜିଓଁଖଳି ଏହିପରି ୬ଟି ଏବଂ ପଶ୍ଚିମବଙ୍ଗର ନାସିରବାଦରେ ମଧ୍ୟ ଟର୍ମିନାଲ ରହିବ। ଏହି ଜାତୀୟ ଜଳପଥ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ୮୪୬ ହେକ୍ଟର ଜମି ର ଆବଶ୍ୟକତା ଥିବା ବେଳେ ଓଡିଶା ରାଜ୍ୟର ୧୧୭୨ ହେକ୍ଟର ଜମିର ମଧ୍ୟ ଆବଶ୍ୟକତା ଅଛି । ଏହି ଜମି ଅଧିଗ୍ରହଣ ପାଇଁ ୧୭୬କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ଏହି ପ୍ରକଳ୍ପ ଆରମ୍ଭ ହେବାର ୭ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆକଳନ ମଧ୍ୟ କରାଯାଇଛି। ୨୦୦୯ର ଆକଳନ ଅନୁଯାଇ ନଦୀ ମଧ୍ୟରେ ଉନ୍ନତି କରଣ କାର୍ଯ୍ୟ ପାଇଁ ୨୨୩୦ କୋଟି ଏବଂ କ୍ୟାନେଲ ଉନ୍ନତି କରଣ କାର୍ଯ୍ୟ ପାଇଁ ୧୯୭୯ କୋଟି ଟଙ୍କା ଆକଳନ ମଧ୍ୟ କରାଯାଇଛି। ନଦୀ ମଧ୍ୟରେ ଛୋଟ ଛୋଟ ଜାହାଜ ଯାତାୟତ ପାଇଁ ୫ଟି ବ୍ୟାରେଜ ରେନ୍ଥାପାଟ, ଇନ୍ଦ୍ରଜିତ, ଗୋବିନ୍ଦପୁର ବର୍ତଣ୍ଡା, ଏବଂ ମାଟିଲା ଠାରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ସଂପୂର୍ଣ ହେଲେ ଜଳପଥରେ କୋଇଲା, ସିମେଂଟ, ସାର, ଲୁହା ପଥର,ଚାଷ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୋଟିଏ ବନ୍ଦରରୁ ଅଣ୍ୟ ଏକ ବନ୍ଦରକୁ କମ ଖର୍ଚରେ ବହନ କରାଯାଇ ପାରିବା ସହ ପ୍ରଦୁଷଣ ମୁକ୍ତ ବହନ ସମ୍ଭବ ହୋଇ ପାରିବ ବୋଲି ସରକାର ଆଶାବାଦୀ। ଏହି ପ୍ରକଳ୍ପ ପାଇଁ ତାଳଚେର- ଧାମରା କୁ ମାଲ ପରିବହନ ପାଇଁ ବ୍ରାହ୍ମଣୀ ,ଖରସୁଆଁ ଏବଂ ଧାମରା ନଦୀର ଖନନ ଆବଶ୍ୟକତା ରହିଥିବା ବେଳେ ,ଚାରବାଟିଆ- ଧାମରା ପରିବହନ ପାଇଁ ମନ୍ତେଇ ନଦୀ, ମଙ୍ଗଳଗଡି- ପାରାଦ୍ୱୀପ ମାଲ ପରିବହନ ପାଇଁ ମହାନଦୀ ଏବଂ ଜିଓଁଖଳି – ଚାରବାଟିଆ ମାଲ ପରିବହନ ପାଇଁ ଇଷ୍ଟକୋଷ୍ଟା କ୍ୟାନେଲର ପୁନଃରୁଦ୍ଧାର ହେବ ବୋଲି ବ୍ୟୟ ଅଟକଳ କରାଯାଇଛି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଜଳପଥ ପ୍ରାଧିକରଣ ସଂସ୍ଥା ସହଭାଗିତାରେ ଏହି ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗର ସଚିବ ଉଷା ପାଢୀ ନିଜର ମନ୍ତବ୍ୟ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.