Home ଜିଲ୍ଲା ପରିକ୍ରମା ଶ୍ରୀନିବାସ ଜେନାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ଶ୍ରୀନିବାସ ଜେନାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

8

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କର୍ମ ପ୍ରବଣତା, ସାଧୁତା ଓ ନିଷ୍ଠାପର ସରକାରୀ କର୍ମଚାରୀ ଭାବରେ ଦିବଂଗତ ଶ୍ରୀନିବାସ ଜେନା ଥିଲେ ଏକ ବିରଳ ଦୃଷ୍ଟାନ୍ତ। ଭଦ୍ରକ ଜିଲାର ବିଭିନ୍ନ ଅଂଚଳରେ ରାଜସ୍ୱ ବିଭାଗରେ କାର୍ଯ୍ୟ କରି ସମସ୍ତଙ୍କର ପ୍ରଶଂସାର ପାତ୍ର ଥିଲେ ସ୍ୱର୍ଗତଃ ଜେନା। ଭଦ୍ରକ ସଦର ରାଜସ୍ୱ ସର୍କଲରେ ଦୀର୍ଘଦିନ ରାଜସ୍ୱ ନିରୀକ୍ଷକ ଭାବେ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି। ଧାମରା ବନ୍ଦର ଜମି ଅଧିଗ୍ରହଣ କାର୍ଯ୍ୟରେ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଯାଇଛନ୍ତି। ଜମି ଅଧିଗ୍ରହଣ ଭଳି ଏକ ଜଟିଳ ତଥା କଷ୍ଟସାଧ୍ୟ କାର୍ଯ୍ୟକୁ ସେ ନିଜ ଦକ୍ଷତାର ସହ ତୁଲାଇଥିଲେ। ଏହି ନିଷ୍ଠାପର କାର୍ଯ୍ୟ ଯୋଗୁଁ ସ୍ୱର୍ଗତଃ ଜେନାଙ୍କୁ ୨୦୦୭ ମସିହାରେ ‘ରାଜସ୍ୱ ରବି’ ସମ୍ମାନ ମିଳିଥିଲା। ସରକାରୀ ଚାକିରୀରେ ନିଜର ଦକ୍ଷତା ଓ ନିଷ୍ଠା ପାଇଁ ରାଜସ୍ୱ ସୁପରଭାଇଜର ପଦବୀକୁ ଉନ୍ନୀତ ହୋଇ ଅବସର ଗ୍ରହଣ କରିଥିଲେ। ସ୍ୱର୍ଗତଃ ଶ୍ରୀନିବାସ ଜେନାଙ୍କ ବିୟୋଗରେ ଭଦ୍ରକ ଜିଲା ଓ ତାଙ୍କର ଜନ୍ମସ୍ଥାନ ଯାଜପୁର ଜିଲା ବରି ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଭଦ୍ରକର ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରି ସ୍ୱର୍ଗତଃ ଜେନାଙ୍କ ସଂପର୍କରେ ଉପରୋକ୍ତ ମତବ୍ୟକ୍ତ କରିଥିଲେ। ପ୍ରଫେସର ଡ. ବଳରାମ ମିଶ୍ରଙ୍କ ସଭାପତିତ୍‌ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ଡ. ଶଶଧର ଦାସ ଓ ତ୍ୟାଗଭୂମିର ସଭାପତି ଅଜୟ ନାୟକ ମଂଚ ସଂଚାଳନା କରିଥିଲେ। ଶତାଧିକ ବ୍ୟକ୍ତି ସ୍ୱର୍ଗତଃ ଜେନାଙ୍କୁ ଜଣେ ସ୍ପଷ୍ଟବାଦୀ, କର୍ମନିପୁଣ, ଦୁର୍ନୀତିମୁକ୍ତ, ସଚ୍ଚୋଟ ତଥା ନିଷ୍ଠାପର ରାଜସ୍ୱ କର୍ମଚାରୀ ଭାବରେ ଅଭିହିତ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବାବାଜୀ ନାୟକ, କମଳାକାନ୍ତ ପଣ୍ଡା, ପ୍ରତାପ ପଟ୍ଟନାୟକ, ବୈଲୋଚନ ବେହୁରିଆ, ମଳୟ ଜେନା, ପ୍ରଣୟ କୁମାର ଦାସ, ସୁଜାତା ଖଟୁଆ, ପଦ୍ମନ ରାୟ, ସସ୍ମିତା ଦାସ, ମହମ୍ମଦ ତାହେର, ବିଭୂତି ଭୂଷଣ ସାହୁ, ରଘୁନାଥ ସାହୁ, ଅବନୀ ପ୍ରଧାନ, ବୀର ନାରାୟଣ ଦାସ, ବାଇଧର ବିଶ୍ୱାଳ, ଶରତ ବିଶ୍ୱାଳ ପ୍ରଭୃତି ଶ୍ରଦ୍ଧାଞ୍ଜଳି ସଭାରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଭାବଗମ୍ଭୀର ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସହରର ତଥା ଭଦ୍ରକ ଜିଲାର ବିଭିନ୍ନ ଅଂଚଳରୁ ବହୁ ଅବସରପ୍ରାପ୍ତ କର୍ମଚାରୀ ତଥା ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.