Home ଜିଲ୍ଲା ପରିକ୍ରମା ମହମ୍ମଦ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ସେପ୍ଟେମ୍ବର ୧୬/୧୭ ରେ ପର୍ବ ପାଳନ,...

ମହମ୍ମଦ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ସେପ୍ଟେମ୍ବର ୧୬/୧୭ ରେ ପର୍ବ ପାଳନ, ଶୋଭାଯାତ୍ରାରେ ଭାଗନେବେ ୭୦ କାଫେଲା

14

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସଲାମ ଧର୍ମର ପ୍ରବର୍ତକ ମହାପୁରୁଷ ହଜରତ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକର ନୂଆ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ପାଇଁ ପ୍ରଥମ ଥିବା ଏହି ଶାନ୍ତି କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ସଦସ୍ୟଙ୍କ୍‌ୁ ଶୁଭେଚ୍ଛା ଜଣାଇବା ସହ ଭାଇଚାରାର ସହର ଭାବେ ଖ୍ୟାତ ଭଦ୍ରକରେ ସାମ୍ପ୍ରଦାୟିକ ସଦ୍‌ଭାବ, ଭାଇଚାରା ରକ୍ଷା ପୂର୍ବକ ଶାନ୍ତିଶୃଙ୍ଖଳାର ସହିତ ମହମ୍ମଦ ଜୟନ୍ତୀ ପାଳନ ନେଇ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ। ଜିଲ୍ଲାପାଳଙ୍କ ସହ ଏସ୍‌.ପି. ବରୁଣ ଗୁଂଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲ୍ଲେକ୍ଟର କାର୍ତିକନାଥ ମଣ୍ଡଳ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ମତାମତ ରଖିଥିଲେ। ବୈଠକରେ ଉପସ୍ଥିତ ଭଦ୍ରକ ମୁସଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀଙ୍କ ଅନୁମତି କ୍ରମେ ଉକ୍ତ ଅନୁଷ୍ଠାନର ସମ୍ପାଦକ ହାଜି ଅବଦୁଲ ମୋକିତ ଖାଁ ମହମ୍ମଦ ଜୟନ୍ତୀ ପର୍ବ ପାଳନ ପାଇଁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ପ୍ରଦତ ସୂଚନା ଅନୁଯାୟୀ ସେପ୍ଟେମ୍ବର ୪ କିମ୍ବା ୫ ସନ୍ଧ୍ୟାରେ ଜହ୍ନ ଦର୍ଶନ ପରେ ଉକ୍ତ ଦିନଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ରୁ ରାତ୍ର ୯ଟା ମଧ୍ୟରେ ଆଖପାଖ ଅଂଚଳରୁ ପିଲାମାନେ ଭକ୍ତିଗାନ କରି ପୁରୁଣାବଜାରସ୍ଥିତ ଚୌଖଣ୍ଡିକୁ ଯାଇ ସେଠାରୁ ଭୋଗ ନେଇ ନିଜ ନିଜ ଗ୍ରାମକୁ ଫେରିବେ। ସେପ୍ଟେମ୍ବର ୧୬ କିମ୍ବା ୧୭ ରେ ପବିତ୍ର ମହମ୍ମଦ ଜୟନ୍ତୀ ପାଳନ ଅବସରରେ ଅପରାହ୍ନ ୫ଟାରେ କେତେକ ସାହି ବସ୍ତିରୁ ସୁସଜ୍ଜିତ କାଫେଲା ଶୋଭାଯାତ୍ରା ବାହାରି ଚୌଖଣ୍ଡିଠାରେ ପହଂଚିବା ପରେ ସେଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରି ମଦିନା ମଇଦାନରେ ପହଂଚିବ। ଭଦ୍ରକ ଗ୍ରାମାଂଚଳରୁ ଗୁଜିଦରଡ଼ା, ବେନ୍ତାଳ, ବିଷ୍ଣୁପୁର ବିନ୍ଧା, ରାହାଞ୍ଜ, ଚୂନଟି ଗ୍ରାମର ଜୁଲୁସ ଏହି ଶୋଭାଯାତ୍ରାରେ ସାମିଲ ହୋଇ ପ୍ରାୟ ୭୦ଟି ମେଢ଼ ଏହି ମୁଖ୍ୟ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଥିବା ବୈଠକରେ ପ୍ରକାଶ କରାଯାଇଥିଲା। ଶୋଭାଯାତ୍ରାରେ ଡିଜେ ବ୍ୟବହାର କରାନଯିବା ନେଇ କର୍ମକର୍ତାମାନେ ପ୍ରକାଶ କରିଥିଲେ।

ଏହି ମହାନ୍ ପର୍ବ ପାଳନ ଅବସରରେ ଶାନ୍ତିଶୃଙ୍ଗଳା ରକ୍ଷା, ଜନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ, ଶୋଭାଯାତ୍ରା ଓ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରୁଥିବା ମେଢ଼ ମାନଙ୍କର ସୁରକ୍ଷା ନିମନ୍ତେ ପୋଲିସ୍ ମୂତୟନ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ ସହିତ ସାମ୍ପ୍ରଦାୟିକ ସଦ୍‌ଭାବନା, ଭାଇଚାରା ଭଙ୍ଗହେଲା ଭଳି ବା ପର୍ବ ପାଳନରେ ବିଶୃଙ୍ଖଳା ସୃଷ୍ଟିକଲାଭଳି ଯେ କୌଣସି ସାମାଜିକ ଗଣମାଧ୍ୟମ ର ଦୂରୁପଯୋଗୀ ମାନଙ୍କ ସମ୍ବନ୍ଧରେ ସୂଚନା ମିଳିଲା ମାତ୍ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌.ପି. ବୈଠକରେ ପ୍ରକାଶ କରିଥିଲେ। ଏହି ପର୍ବ ପାଳନରେ ଆବଶ୍ୟକ ହେଉଥିବା ପ୍ରଶାସନିକ ଆନୁସଙ୍ଗିକ ସହଯୋଗ ସମ୍ବନ୍ଧରେ ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଆଧାରରେ ଆଲୋଚନା କରାଯାଇଥିଲା। ଶୋଭାଯାତ୍ରା ପରିକ୍ରମା କରିବାକୁ ଥିବା ରାସ୍ତାରେ ଥିବା ଖାଲଖମା ମରାମତି, ରାସ୍ତା ଆଲୋକିକରଣ, ସଫେଇ, ଲଟାବୁଦା ଓ ଗଛର ଡାଳକଟା, ଝୁଲି ପଡ଼ିଥିବା ବିଦ୍ୟୁତ ତାର ଉପରକୁ ଉଠାଇବା, ଶୋଭାଯାତ୍ରା ପାଇଁ ଆମ୍ବୁଲାନସ୍ ଓ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଆଦି ଦିଗରେ ଯଥା ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ରାମ ନବମୀ ହେଉ କି ମହରମ ହେଉ, ଗଣେଶ ପୂଜା କି ମହମ୍ମଦ ଜୟନ୍ତୀ ପବ, କାଳିପୂଜା ହେଉ କି ଇଦ୍ ଭଦ୍ରକ ଜିଲ୍ଲାର ପ୍ରମୁଖ ସମସ୍ତ ପର୍ବ ପାଳନରେ ହିନ୍ଦୁ ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ଥିବା ଭାଇଚାରା ର ବାସ୍ନା ବାରିହୋଇପଡ଼େ ଓ ସେହି ଭାଇଚାରା ହିଁ ପ୍ରତିଟି ପର୍ବ ପାଳନର ମାହୋଲକୁ ଶୃଙ୍ଖଳିତ କରିଥାଏ ବୋଲି ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ଓ ଶାନ୍ତି କମିଟି ର ଅନ୍ୟତମ ସଦସ୍ୟ ଭାବେ ସାମ୍ବାଦିକ ଅତିସ୍ କୁମାର ବେହେରା, ଗୌରାଙ୍ଗ ପଣ୍ଡା, ସୁଧାକର ରାଉତ ଓ ମୁସ୍‌ଲିମ ଜମାତ୍‌ର ଅନ୍ୟତମ କର୍ମକର୍ତା ସେକ୍ ସିରାଜୁଦ୍ଦିନ୍‌, ସେକ୍ ଜକାଉଲ୍ଲା, ଜାମିଲ ଅଖତର ଖାଁ (ରାଜୁ) ସେକ୍ ଏନହା ମହମ୍ମଦ, ଫେଲୋସିପ୍‌ର ହାଜି ଏସି୍‌. ଏମ୍ ଫାରୁକ୍ ପ୍ରମୁଖ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.