Home ଜିଲ୍ଲା ପରିକ୍ରମା ଜିଲ୍ଲା ସଦର ମହକୁମାରେ ନୂଆ ଜିଲ୍ଲାପାଳଙ୍କ ପ୍ରଥମ ମିଳିତ ଜନଶୁଣାଣି ଶିବିର

ଜିଲ୍ଲା ସଦର ମହକୁମାରେ ନୂଆ ଜିଲ୍ଲାପାଳଙ୍କ ପ୍ରଥମ ମିଳିତ ଜନଶୁଣାଣି ଶିବିର

4

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ପ୍ରତି ମାସର ପ୍ରତି ସୋମବାର ଏବଂ ସୋମବାର ଛୁଟିଦିବସ ଥିଲେ ପରବର୍ତୀ ଦିବସରେ ଅନୁଷ୍ଠିତ ହୋଇଥାଏ। ପ୍ରତିମାସର ପ୍ରଥମ ସୋମବାର ବା ସୋମବାର ଛୁଟିଥିଲେ ପରବର୍ତୀ ଦିନ ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଚଳିତ ସେପ୍ଟେମ୍ବର ମାସର ପ୍ରଥମ ସୋମବାର ୨ ତାରିଖରେ ପ୍ରଥମ ମିଳିତ ଜନଶୁଣାଣି ଶିବିର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଗତ ଅଗଷ୍ଟ ମାସ ୧୨ ତାରିଖରେ ଭଦ୍ରକ ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଦିଲୀପ ରାଉତରାଏ ପୂର୍ବରୁ ୨ଟି ବ୍ଲକ୍‌ରେ ଆୟୋଜିତ ମିଳିତ ଜନଶୁଣାଣି ଶିବିରରେ ଯୋଗ ଦେଇଥିଲେ ଏବଂ ସେପ୍ଟେମ୍ବର ମାସର ଏହି ପ୍ରଥମ ଜନଶୁଣାଣି ଶିବିର ସଦର ମହକୁମାରେ ତାଙ୍କର ପ୍ରଥମ ଜନଶୁଣାଣି ଶିବିର ଥିଲା। ଏହି ଶିବିରରେ ତାଙ୍କ ସହ ଭଦ୍ରକ ଏସ୍‌.ପି. ବରୁଣ ଗୁଂଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପ ଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ କୁମାର ବେହେରା ପ୍ରମୁଖ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଏହି ଯୁଗ୍ମ ଜନାଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୧୭୬ଟି ଅଭିଯୋଗ ଆଗତ ହୋଇଥିଲା। ସେଥି ମଧ୍ୟରେ ୧୩୮ ଟି ବ୍ୟକ୍ତିଗତ ସମସ୍ୟା ଭିତିକ ଓ ୩୮ ଟି ସାମୂହିକ ସମସ୍ୟା ଭିତିକ ଥିଲା। ରେଡ଼କ୍ରସ୍ ସମ୍ବନ୍ଧୀୟ ୯ ଜଣ ଆବେଦନକାରୀଙ୍କୁ ଚିକିତ୍ସା ପାଇଁ ସମୁଦାୟ ୪୭ ହଜାର ୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ରେଡ଼କ୍ରସ ପାଣ୍ଠିରୁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ଭଣ୍ଡାରିପୋଖରୀର ସାନ ଶାସନ ଗ୍ରାମପଂଚାୟତର ରଶ୍ମି ରଞ୍ଜନ ସାହୁଙ୍କୁ ୫ ହଜାର, ଧାମନଗରର ପିରିପୁର ପଂଚାୟତର ସୁବାସ ଜେନାଙ୍କୁ ୪ ହଜାର, ଫତେପୁର, ଧାମନଗରର ରଞ୍ଜନ କୁମାର ଜେନାଙ୍କୁ ୪ ହଜାର, କୋଠାର, ଧାମନଗର, କୃପାସିନ୍ଧୁ ସାହୁଙ୍କୁ ୫ ହଜାର, ପତ୍ରିବିନ୍ଧା, ଧାମନଗରର ରବୀନ୍ଦ୍ର ସ୍ୱାଇଁଙ୍କୁ ୧୫ ହଜାର, ଅଣ୍ଢାଇପଲ୍ଲୀ, ଭଦ୍ରକର କାର୍ତିକ ସାହୁଙ୍କୁ ୫ ହଜାର, ବାହାବଳପୁର, ତିହିଡ଼ିର ମିନତୀ ଜେନାଙ୍କୁ ୪ ହଜାର, ବାରୋ, ତିହିଡ଼ିର ବନବିହାରୀ ମାନଧାତାଙ୍କୁ ୫ ହଜାର, ନଦୀଗାଁ, ଧାମନଗରର ପ୍ରତାପ ସୂତାରଙ୍କୁ ୫ ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ମଞ୍ଜୁର କରାଯାଇଛି। ସେହିପରି ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନାରେ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଲାପଟପ୍ ଓ ଦିବ୍ୟାଙ୍ଗ ବିବାହ ପ୍ରୋତ୍ସାହନ ରାଶି ୬ ଯୋଡ଼ା ଦମ୍ପତିକୁ ୨ ଲକ୍ଷ ୫୦ ହଜାର ଲେଖାଏଁ ସମୁଦାୟ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାର ପ୍ରମାଣପତ୍ର ବଂଟନ କରିଥିଲେ। ସୂଚନା ଯୋଗ୍ୟ କି +୨ ପଢ଼ା ଶେଷ କରି +୩ ରେ ଅଧ୍ୟୟନ ରତ ଦୃଷ୍ଟି ବାଧିତ ଛାତ୍ର-ଛାତ୍ରୀଙ୍କୁ ସରକାରଙ୍କ ତରଫରୁ ଲାପ୍‌ଟପ୍ ପ୍ରଦାନ କରାଯାଇଥାଏ। ଏଥିରେ ଶହେ ଶତକଡ଼ା ଦୃଷ୍ଟିବାଧିତ ଥିବା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳାର ଛାତ୍ରୀ, ଧାମନଗର ବ୍ଲକର ବାସିନ୍ଦା ଗାୟତ୍ରୀ ମଲ୍ଲିକ୍ ଏବଂ ଏସ୍‌.ସି.ଏସ୍‌. ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରୀରେ ବି.ଇ.ଡ଼ିରେ ଅଧ୍ୟୟନରତ ହରିଶଙ୍କରପୁର, ଜିତାନଗର ଭଦ୍ରକ ର ବାସିନ୍ଦା ୬୦% ଦୃଷ୍ଟିବାଧିତ ଥିବା ଛାତ୍ର ସୋମ୍ୟରଞ୍ଜନ ସେନାପତିଙ୍କୁ ଏହି ଲାପଟପ୍ ପ୍ରଦାନ କରାଯାଇଥିଲା। ସେହିପରି ଜଣେ ଦିବ୍ୟାଙ୍ଗ ଓ ଜଣେ ସ୍ୱାଭାବିକ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ହୋଇଥିଲେ ସାମାଜିକ ସୁରକ୍ଷା ଯୋଜନାରେ ପ୍ରତି ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ। ଏହି ଯୋଜନାରେ ଅର୍ଥ ପ୍ରଦାନ କରାଯାଇଥିବା ଦମ୍ପତିମାନେ ହେଲେ ସାହାଡ଼ା, ଭଦ୍ରକର ଅନିଲ ସାହୁ ଏବଂ ଟୁନି ସାହୁ, ପୁରୁଷଣ୍ଢ, ବନ୍ତର ନର୍ମଦା ବେହେରା ଓ ଉମାକାନ୍ତ ବେହେରା, ଭାଟପଡ଼ା, ଚାନ୍ଦବାଲିର ଅଲେଖ ନାୟକ ଓ ପ୍ରୀତିପ୍ରଭା ନାୟକ, ଆରଡ଼ି, ଚାନ୍ଦବାଲିର ରଶ୍ମିତା ସାହୁ ଓ ସତ୍ୟବ୍ରତ ସାହୁ, ମୁସ୍ତାଫାପୁର, ଧାମନଗରର ସାଗର ତରାଇ ଓ ରଶ୍ମିତା ମାଝୀ, ଭଟସାହି, ଧାମନଗରର ବାଇଧର ସାହୁ ଓ ସ୍ନେହପ୍ରଭା ସାହୁ। ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ, ସମସ୍ୟା ସବୁର ଯଥାବିଧି ଯଥାଶୀଘ୍ର ସମାଧାନ କରିବାକୁ ଶିବିରରେ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଡ଼େପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ତନ୍ମୟ କୁମାର ଜେନା ଅଭିଯୋଗ ଉପସ୍ଥାପନରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.