Home ଜିଲ୍ଲା ପରିକ୍ରମା ଜରାଜୀର୍ଣ୍ଣ କେନାଲ ରାସ୍ତା ପାଇଁ ଦାୟୀ କିଏ!

ଜରାଜୀର୍ଣ୍ଣ କେନାଲ ରାସ୍ତା ପାଇଁ ଦାୟୀ କିଏ!

28

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ତାଳପଦା ଠାରୁ ପଟ୍ଟାପୋଲ ପର୍ଯ୍ୟନ୍ତ ପ୍ରାୟ ୩ କିମି ବିଶିଷ୍ଟ କେନାଲବନ୍ଧ ରାସ୍ତାଟି ଏବେ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡିଛି । ଏହି କେନାଲ ରାସ୍ତାଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ଯଦିଓ ପୂର୍ବରୁ ଜଳସଂପଦ ବିଭାଗ ହାତରେ ରହିଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହାର ନବୀକରଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୨୨ ମସିହାରେ ଏହାର ଦାୟିତ୍ୱ ନେଇଥିଲା । ବିଭାଗ ପକ୍ଷରୁ ପ୍ୟାକେଜ୍ ନଂ ଓଆର-୦୪.୩୪୨ ନାମରେ ତାଳପଦା ଠାରୁ କଂଟି ଭାୟା ମଣିବାଜି ଯାଏଁ ମୋଟ ୭.୬ କିମି ରାସ୍ତା ନିର୍ମାଣ ପାଇଁ ଜନୈକ ଠିକାଦାରଙ୍କ ସହିତ ଚୁକ୍ତି ହୋଇଥିଲା । ମଣିବାଜି ଠାରୁ କଂଟିଯାଏ କିଛି ପରିମାଣରେ କଂକ୍ରିଟ୍ ନିର୍ମାଣ ହୋଇଥିବାବେଳେ ପଟ୍ଟା ପୋଲଠାରୁ ତାଳପଦା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ କେବଳ ଡଷ୍ଟ ବିଛାଯାଇଛି । ବାକିଥିବା ରାସ୍ତାରେ କୌଣସି କାର୍ଯ୍ୟ ହୋଇନାହିଁ । ପ୍ରାୟ ଦୁଇବର୍ଷ ହେବ କାମ ବନ୍ଦ ରହିଛି । ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ୟୟ ବରାଦ ହୋଇଥିବା ଅର୍ଥରାଶି ପର୍ଯ୍ୟାପ୍ତ ନୁହେଁ ବୋଲି ଯୁକ୍ତି ଦର୍ଶାଇ ଠିକାସଂସ୍ଥା କାମ କରିବାକୁ ଆଉ ଇଚ୍ଛା ପ୍ରକାଶ କରୁନାହିଁ । ଏପଟେ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣର ବର୍ଦ୍ଧିତ ମୂଲ୍ୟ ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ତେଣୁ ରାସ୍ତାଟି ଜଳସଂପଦ ବିଭାଗ ହାତରେ ପୂର୍ବରୁ ଯେମିତି ଥିଲା, ଏବେ ଅଧିକ ଖରାପ ହୋଇଗଲାଣି । ଆରମ୍ଭରୁ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିବାବେଳେ ଉତରାଗଡିଆ ଠାରୁ କଂଟିଯାଏ ରାସ୍ତାର ଅନେକ ଅଂଶ ଯାତାୟତ ଅନୁପଯୋଗୀ ହୋଇପଡିଛି । ସେହିଭଳି ତାଳପଦା ନିକଟରେ ମଧ୍ୟ ରାସ୍ତା ଏକ ପ୍ରକାର ଜରାଜୀର୍ଣ୍ଣ ହୋଇପଡିଥିବାବେଳେ ପାଣିକାଦୁଅଭରା ବିରାଟ ଗର୍ତମାନ ସୃଷ୍ଟି ହୋଇଛି । ଅନୁରୂପ ଆକୁଲିକଣା ଛକଠାରୁ ପଟ୍ଟାପୋଲ ପର୍ଯ୍ୟନ୍ତ କେନାଲ ରାସ୍ତାରେ ପାଣି ଜମି ଧୀରେ ଧୀରେ ଛୋଟବଡ ଗର୍ତମାନ ସୃଷ୍ଟି ହେଲାଣି । ପଡିଥିବା ଡଷ୍ଟ ଏକ ପ୍ରକାର ମାଟିରେ ମିଶି ଏବେ ପାଣି କାଦୁଅଭରା ରାସ୍ତାରେ ପରିଣତ ହୋଇଗଲାଣି । ୪ ଚକିଆ ଯାନ ତ ଦୂରର କଥା, ମୋଟର ସାଇକେଲ୍ ଓ ସାଇକେଲ୍‌ଟିଏ ମଧ୍ୟ ଯିବା କଷ୍ଟକର ହୋଇପଡିଲାଣି । ବିଶେଷକରି ତାଳପଦା ନିକଟରେ ଏଭଳି ପରିସ୍ଥିତି ହୋଇଛି ଯେ ବାଇକ୍‌ଟିଏ ଯିବାବେଳେ ଚାଳକ ରାସ୍ତାରେ ପଡି ଆହତ ହେଉଛନ୍ତି । ମୋଟାମୋଟି ଭାବେ ହାଇଲେବୁଲ କେନାଲ ମୁଣ୍ଡ ଠାରୁ ପଟ୍ଟା ପୋଲ ବଜାର ଯାଏ କେନାଲ ରାସ୍ତାରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଏହି ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଜଳସଂପଦ ବିଭାଗ ଯନ୍ତ୍ରୀଙ୍କ ମତାମତ ନେବାରୁ ସେ ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କ ହାତରେ ନାହିଁ ବୋଲି କହିଛନ୍ତି । ଏପଟେ ନବୀକରଣ କାର୍ଯ୍ୟ ପାଇଁ ଠିକା ସଂସ୍ଥା ବର୍ଦ୍ଦିତ ମୂଲ୍ୟ ଦାବି କରି କାମ କରୁନଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ନିରୁପାୟ ହୋଇପଡିଛି । ତେଣୁ ଏହି ରାସ୍ତାଟିର କାର୍ଯ୍ୟ ଆରମ୍ଭ ହେବ କି ନାହିଁ, ତାହା ସନ୍ଦେହ ଘେରରେ ରହିଛି । ତେଣୁ ଏଥିପ୍ରତି ବିଭାଗୀୟ ମନ୍ତ୍ରୀ, ସଚିବ ଓ ପ୍ରଶାସନର ଉଚ୍ଚପଦସ୍ତ ଅଧିକାରୀମାନେ ଦୃଷ୍ଟିଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.