Home ଜିଲ୍ଲା ପରିକ୍ରମା କୋର୍ଟ କେଶ୍ ପରିଚାଳନାରେ ୱେବ୍ ଆପ୍ଲିକେଶନ୍ ନେଇ କର୍ମଶାଳା

କୋର୍ଟ କେଶ୍ ପରିଚାଳନାରେ ୱେବ୍ ଆପ୍ଲିକେଶନ୍ ନେଇ କର୍ମଶାଳା

16

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସହ ସଂପୃକ୍ତ ନ୍ୟାୟିକ ମୋକଦ୍ଦମା ସବୁର ସମାଧାନ, କାଉଁଟର ଆଫିଡେବିଟ୍ ଆଦିର ସହଜ ଶୀଘ୍ର ସୁପରିଚାଳନା ପାଇଁ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଆନୁକୂଲ୍ୟରେ ପ୍ରଥମଥର ପାଇଁ ୱେବ୍ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କରାଯିବା ପରିପ୍ରେକ୍ଷୀରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସି.ଡି.ଓ. ସରୋଜ କୁମାର ଦତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଡ଼େପୁଟୀ କଲେକ୍ଟର, କାର୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ହାଇକୋର୍ଟ, ଏନ୍‌.ଏଚ୍‌. ଆର.ସି., ଓ.ଏଚ୍‌.ଆର୍‌.ସି., ଡବ୍ଲୁ.ପି.ସି., ଜିଲ୍ଲା କୋର୍ଟ, ଜିଲ୍ଲାପାଳଙ୍କ କୋର୍ଟ ଆଦି ଜରିଆରେ ଆଗତ ହେଉଥିବା ବିଭିନ୍ନ କେଶ୍‌ର ସମାଧାନ ଦିଗରେ ସୁପରିଚାଳନା ପାଇଁ ନୂତନ ଏବଂ ପ୍ରଥମଥର ଭାବେ ପ୍ରଚଳନ କରାଯିବାକୁ ଥିବା ୱେବ୍ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ସମ୍ବନ୍ଧରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଏଚ୍‌.ଡି.ଏଫ୍‌.ସି.ବ୍ୟାଙ୍କର ପୃଷ୍ଠପୋଷକତାରେ ପ୍ରଚଳନ କରାଯାଇଥିବା ଏହି ୱେବ୍ ବ୍ୟବସ୍ଥା ସମ୍ବନ୍ଧରେ ଉକ୍ତ ବ୍ୟାଙ୍କର ବିଜୟ କୁମାର ନାୟକଙ୍କ ନେତୃତ୍ୱରେ ସଂପୃକ୍ତ କର୍ମଚାରୀ ମାନେ ଏହି ବ୍ୟବସ୍ଥାର ବୈଷୟିକ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିପାଇଁ ସମସ୍ତ ବିଭାଗକୁ ଲିଙ୍କ୍‌, ୟୁଜର ଆଇଡ଼ି ପାସ୍‌ୱାର୍ଡ଼ ପ୍ରଦାନ କରାଗଲା, ଯାହା ଜରିଆରେ ଲଗ୍‌ଇନ୍ କରି ବିଭାଗୀୟ ଅଧିକାରୀ ତଥା ପ୍ରତି ବିଭାଗ ପାଇଁ ଥିବା ନୋଡ଼ାଲ ଅଧିକାରୀ ମାନେ ପ୍ରତିଦିନ ନିଜନିଜ ବିଭାଗ ସମ୍ବନ୍ଧୀୟ କେଶ୍ ବିଷୟ ଦେଖିପାରିବେ ଏବଂ ସମାଧାନ ପାଇଁ ଗୃହୀତ ପଦକ୍ଷେପ ବିଷୟରେ ମଧ୍ୟ ୱେବ୍ ଜରିଆରେ ଅପ୍‌ଲୋଡ଼୍ କରିପାରିବେ । ଜିଲ୍ଲା ସ୍ତରୀୟ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଜିଲ୍ଲାର ସମସ୍ତ ବିଭାଗୀୟ କେଶ୍ ବିଷୟରେ ମନିଟରିଂ କରିପାରିବେ । ଏହି ବ୍ୟବସ୍ଥାରେ ବିଭାଗୀୟ ଅଧିକାରୀମାନେ କେବଳ ନିଜ ନିଜ ବିଭାଗ ସଂପୃକ୍ତ କେଶ୍‌କୁ ଦେଖିପାରିବେ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ପ୍ଲାଟଫର୍ମରେ କାର୍ଯ୍ୟ କରିବା ଅଭ୍ୟାସ ହେଲା ପରେ ମେଲ ଜରିଆରେ ଆଉ କେଶ୍ ସମ୍ବନ୍ଧରେ ଅବଗତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହା ଜରିଆରେ ଜନସାଧାରଣ ତ୍ୱରିତ ନ୍ୟାୟ ପାଇବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ କେଂଟପଟ୍ କେଶ୍ କିମ୍ବା ସଂପୃକ୍ତ କୋର୍ଟ ମାନଙ୍କରୁ ଷ୍ଟ୍ରିକଚର ର ସମ୍ମୁଖୀନ ହେବାକୁ ପଡ଼ିବନି ବୋଲି ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ବି.ଡି.ଓ., ତହସିଲଦାର ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.